ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ଦ୍ୱାରା ମ୍ୟାଲେସିଆରୁ ଉଦ୍ଧାର ଯୁବକ ଘରେ ପହଞ୍ଚିଲେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନ ଦ୍ୱାରା ସୁଦୂର ମ୍ୟାଲେସିଆରୁ ଉଦ୍ଧାର ହୋଇଥିବା କେନ୍ଦ୍ରାପଡାର ଯୁବକ ଆଜି ତାଙ୍କ ନିଜ ଘରେ ପହଞ୍ଚିଛନ୍ତି । ଘଟଣାରୁ ପ୍ରକାଶ ଯେ ଏହି ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବେଡ ଗ୍ରାମର ସମ୍ପଦ ମଳିକଙ୍କ ପୁଅ ତାରାକାନ୍ତ ମଳିକ(୪୫) ଗତ ୨୦୧୮ମସିହା ଜୁନମାସରେ ସେହି ଗ୍ରାମର ମୁରଲୀଧର ମଳିକଙ୍କ ପୁଅ ଏଜେଣ୍ଟ୍ ପ୍ରଶାନ୍ତ ମଳିକଙ୍କ ଦ୍ୱାରା ବିଭିନ୍ନ ପ୍ରଲୋଭନର ଶୀକାର ହୋଇ ଘରୁ ଭୁବନେଶ୍ୱର ଓ ପରେ ମ୍ୟାଲେସିଆ ଚାଲିଯାଇଥିଲେ । ଏଜେଣ୍ଟ୍ ପ୍ରଶାନ୍ତ ତାରାକାନ୍ତଙ୍କୁ କହିଥିଲା ଯେ ସେଠାରେ ଏକ ଅନ୍ତର୍ଜାତୀୟ କମ୍ପାନୀରେ ମାସକୁ ୭ହଜାର ଟଙ୍କା ଦରମାରେ ସେ ଚାକିରୀ କରିବ । ରହିବା ଓ ଖାଇବା ମାଗଣା ଯୋଗାଇ ଦିଆଯିବ । ତାରାକାନ୍ତ ପରିବାରର ଆର୍ଥିକ ଅନଗ୍ରସରତା ସମ୍ପର୍କରେ ପ୍ରଶାନ୍ତ ଜାଣିଥିବାରୁ ତାକୁ ସହଜରେ ସେ ପ୍ରଲୋଭିତ କରିପାରିଥିଲା । ତାରାକାନ୍ତ ସମେତ ଅନ୍ୟ ୧୨ଜଣଙ୍କୁ ବିଦେଶ ଭ୍ରମଣ ଭିସାରେ ମ୍ୟାଲେସିଆକୁ ପଠାଇ ଦିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ତାରାକାନ୍ତ ସହ ଅନ୍ୟା ୧୨ଜଣଙ୍କ କମ୍ପାନୀ ବଦଳରେ ବିଭିନ୍ନ ସ୍ଥାନରେ ଦୈନିକ ମଜୁରୀଆ ଭାବେ କାମରେ ଲଗାଇଥିଲା । ତାଙ୍କ ମଜୁରୀରୁ ଅର୍ଦ୍ଧାଧିକରୁ ଅଧିକ ଅର୍ଥ ସଂପୃକ୍ତ ଦଲାଲ କାଟି ନେଇ ମାସକୁ ମାତ୍ର ୧୨ଶହରୁ ୧୩ଶହ ଟଙ୍କା ଦେଉଥିଲା । ଏଭଳି ଭାବେ ୩ମାସ ବିତିଯିବା ପରେ ସଂପୃକ୍ତ ଦଲାଲ ବିନା ଅର୍ଥରେ ତାରାକାନ୍ତ ସହ ଅନ୍ୟମାନଙ୍କୁ ଖଟିବାକୁ ବାଧ୍ୟ କରିଥିଲା । ନଚେତ ଭିସା ଅବଧି ପୁରି ଯାଇଥିବାରୁ ସେମାନଙ୍କୁ ପୋଲିସରେ ଧରାଇ ଦେବାକୁ ଧମକ ଦେଉଥିଲା । ବହୁ କଷ୍ଟଦାୟକ ଓ ବିପଦଜନକ କାର୍ଯ୍ୟରେ ତାରାକାନ୍ତ ଭଳି ଯୁବକମାନଙ୍କୁ ଲଗାଯାଉଥିଲା । ସେମାନେ ବାଧ୍ୟ ହୋଇ ଜଙ୍ଗଲରେ ଲୁଚି ରହିଥିଲେ । ଜଙ୍ଗଲରେ ମଧ୍ୟବାଘ, ସର୍ପ ଭଳି ଜଙ୍ଗଲି ଯନ୍ତୁଙ୍କର ଭୟ ରହିଥିଲା । ଏଭଳି ଭାବରେ ଦିନେ ଖାଇଲେ ୩ଦିନ ଉପାସରେ ରହିବାକୁ ପଡୁଥିଲା ବୋଲି ତାରାକାନ୍ତ କହିଛନ୍ତି । ଏସମ୍ପର୍କରେ ଏକ ଭିଡିଓ ଫେସବୁକ୍ ରେ ତାରାକାନ୍ତ ଅପଲୋଡ କରିବା ପରେ ତାହା ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲା । ସଂଗଠନର ଗଲ୍ଫ ଦେଶର ସଭାପତି ବିଶ୍ୱରଞ୍ଜନ ସାହୁ ଏସମ୍ପର୍କରେ ମ୍ୟାଲେସିଆ ଓଡିଆ କମ୍ୟୁନିଟିର ସତ୍ୟବାବୁ, ହୃଦୟାନନ୍ଦ ବାବୁ ଓ ଗ୍ଲୋବାଲ ଭଲ୍ୟୁଣ୍ଟର ସଂସ୍ଥାର ସଞ୍ଜୟ ବାବୁ ପ୍ରମୁଖଙ୍କ ସହ ଯୋଗାଯୋଗ କରିଥିଲେ । ଏଥିସହିତ ଭାରତ ସରକାରଙ୍କର ମ୍ୟାଲେସିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏବଂ ଭାରତୀୟ ପ୍ରବାସୀ ପରିଷଦ ଓଡିଶା ସଙ୍ଘ, କୁଏତ୍ ଭାରତ ସେବା ଦର୍ଶନ ରାଇଟର ଫୋରମ କୁଏତ ସହ ଯୋଗାଯୋଗ କରି ତାରାକାନ୍ତକୁ ଶେଷରେ ସେଠାରୁ ମୁକୁଳେଇବାରେ ସମର୍ଥ ହୋଇଥିଲେ । ଗତ ତିନି ଦିନ ତଳେ ସେଠାରୁ ବାହାରିଥିବା ତାରାକାନ୍ତ ଆଜି ସକାଳ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧା କେନ୍ଦ୍ରାପଡାର ଗରାପୁରସ୍ଥିତ ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନ କାର୍ଯ୍ୟାଳୟକୁ ଆସିଥିଲେ । ଭୁବନେଶ୍ୱରରୁ ତାଙ୍କ ସହିତ ଭାରତୀୟ ପ୍ରବାସୀ ପରିଷଦ, ଓଡିଶା ସଙ୍ଘ, କୁଏତ୍‌ର ଜନକଲ୍ୟାଣ ସଚିବ ସୁଶାନ୍ତ କୁମାର ସାହୁ, ସଂଗଠନର ରାଜ୍ୟ ମହିଳା ସଭାନେତ୍ରୀ ପ୍ରିୟମ୍ବଦା ନାୟକ, କଟକ ମହିଳା ସଭାନେତ୍ରୀ ନିଳିମା ମିଶ୍ର ପ୍ରମୁଖ ଏଠାକୁ ଆସିଥିଲେ । କେନ୍ଦ୍ରାପଡାରୁ ସଂଗଠନର ମହମ୍ମଦ ଜାକୀର, ସେକ ଗୋଲାମ୍ ମଦାନୀ, ମନୱର ଖାନ୍‌, ମିନତୀ ସୁନ୍ଦରରାୟ, ଦିଲ୍ଲିପ ନାୟକ, ମହମ୍ମଦ ମୁସ୍ତାକିମ, ସେକ ସାବିର ଓ ମହମ୍ମଦ ସରିଫ୍ ପ୍ରମୁଖ ତାରାକାନ୍ତଙ୍କୁ ସଙ୍ଗରେ ନେଇ ତାଙ୍କ ଆମ୍ବେଡ ଗ୍ରାମସ୍ଥିତ ଘରେ ଛାଡି ଆସିଥିଲେ । ସେଠାରେ ଏଭଳି ଦୟନୀୟପରିସ୍ଥିତିରେ ୪୦ରୁ ଉର୍ଦ୍ଧ୍ୱ ଯୁବକ ରହିଥିବା ତାରାକାନ୍ତ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ମଧ୍ୟ ସେ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବାକୁ ତାରାକାନ୍ତ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ