ଅନ୍ତର୍ଜାତୀୟ ସ୍ତରର ଦୃଷ୍ଟିହୀନ କ୍ରିକେଟ ମ୍ୟାଚରେ ଭାଗନେବେ ହାଟଡିହି ବ୍ଲକର ଅସହାୟ ଝିଅ ଝିଲ୍ଲି
ହାଟଡିହି, (ବିକାଶ ବିଶ୍ୱାଳ):ଆନ୍ତର୍ଜାତୀୟ ସ୍ତରର ଦୃଷ୍ଟିହୀନ କ୍ରିକେଟରେ ପ୍ରତିନିଧିତ୍ୱ କରିବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଝଣଝଣା ଗ୍ରାମର ଝିଅ ଝିଲ୍ଲି ବିରୁଆ । ଯାହାକୁନେଇ ସମଗ୍ର ଗ୍ରାମରେ ଏବେ ଖୁସିର ଲହରୀ ଦେଖା ଦେଇଛି । ଜଣେ ପିତୃମାତୃହୀନ ଗରିବ ଆଦିବାସୀ ପରିବାରର ୧୩ବର୍ଷର ଝିଅର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ମଧ୍ୟ ସମ୍ପୁର୍ଣ୍ଣ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଛି । ଝଣଝଣା ଗ୍ରାମର ସ୍ୱର୍ଗତ ସୁଦର୍ଶନ ବିରୁଆ ଓ ମମତା ବିରୁଆଙ୍କ ଏକମାତ୍ର ଭିନ୍ନକ୍ଷମ ଝିଅ ହେଉଛି ଝିଲି ବିରୁଆ । ଜନ୍ମହେବାର କିଛିଦିନ ପରେ ମା ଆରପାରିକୁ ଚାଲିଯିବା ପରେ ଜେଜେମାଙ୍କ ସ୍ନେହ ଆଦରରେ ବଢ଼ିଥିଲେ ଝିଲ୍ଲି । ଜେଜେମା ନିକଟସ୍ଥ ଜଂଗଳରୁ ଦାନ୍ତକାଠି ଆଣି ବିକ୍ରୀକରି ଯାହା ପାଉଥିଲେ ସେଇଥିରେ ସେ ସୁଦର୍ଶନଙ୍କ ତନୋଟି ଛୁଆଙ୍କୁ ଚଳାଉଥିଲେ । ଝିଲ୍ଲୀ ପାଠପଢ଼ି ଜଣେ ଭଲ ମଣିଷ ହେବାର ସ୍ୱପ୍ନ ଦେଖିଥିବାବେଳେ ଭଦ୍ରକର ଏକ ଅନ୍ଧ ସ୍କୁଲରେ ନାଁ ଲେଖାଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ସେ ପାଠପଢ଼ିବା ସାଙ୍ଗକୁ ଭଲ ଖେଳାଖେଳି କରିବାରେ ମାହିର ହୋଇଥିଲେ । ଏପରିକି ଦୃଷ୍ଟିହୀନ କି୍ରକେଟରେ ଭଲ ଖେଳାଖେଳି କରିବାରୁ ସେ ଜାତୀୟସ୍ତରରେ ରାଜ୍ୟ ବାହାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏବେ ପ୍ରଥମକରି ଆନ୍ତର୍ଜାତିକ ମ୍ୟାଚ ଖେଳିବାକୁ ଚୟନ ହୋିଛନ୍ତି । ଓଡିଶାରୁ ୫ଜଣ ଖେଳାଳୀ ଚୟନ ହୋଇଥିବାବେଳେ ଏଥିରେ ଝଣଝଣା ଗାଁର ଝିଲ୍ଲି ବରୁଆଙ୍କୁ ସାମିଲ କରାଯାଇଛି । ଯାହାକୁନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଝିଲ୍ଲିଙ୍କ ପରିବାର ଲୋକେ ଏକ ଭଙ୍ଗା ଚାଳିଆରେ ମୁଣ୍ଡ ଗୁଞ୍ଜୁଥିବାବେଳେ ରହିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ଏହି ପଞ୍ଚାୟତରେ ହଜାର ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଝିଲ୍ଲିଙ୍କ ପରିବାର ଏସବୁରୁ ବଞ୍ଚିତ ହୋଇ ଅତି ଦୟନିୟ ଅବସ୍ଥାରେ ଭଙ୍ଗାଚାଳିଆରେ ରହୁଛନ୍ତି । ଏପରିକି ସେ ନିଜ ଖେଳ ଜୀବନରେ ପାଇଥିବା ବିଭିନ୍ନ ଟ୍ରଫିକୁ ଘରେ ସାଇତି ରଖିବାକୁ ସ୍ଥାନ ନଥିବାରୁ ଏକ ପାଛିଆରେ ପୁରାଇ ରଖିଥିବା ଦେଖିବାକୁ ମିଳିଛି । ତାଙ୍କ ବାପା ଭଦ୍ରକରେ ଶ୍ରମିକଭାବେ କାମ କରୁଥିବାବେଳେ ସେଠାରେ ଏକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିଲେ । କିନ୍ତୁ ତାଙ୍କର ମୃତୁ୍ୟ ପ୍ରମାଣପତ୍ର ନଥିବାରୁ ଝିଲ୍ଲିଙ୍କ ପାସପୋର୍ଟ ପାଇବାରେ ବ୍ୟାଘାତ ଘଟାଇଛି । ଏଥିପାଇଁ ସେ କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ସହଯୋଗ କରିବାକୁ ନିବେଦନ କରିବାପରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତାଙ୍କୁ ତିରିଶ ହଜାର ଟଙ୍କାର ସହାୟତା ରାଶି ଯୋଗାଇଦେବା ସହିତ ତାଙ୍କ ବାପାଙ୍କ ମୃତୁ୍ୟ ପ୍ରମାଣପତ୍ର ଯୋଗାଇବାର ବ୍ୟବସ୍ଥା କରୁଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇଛି ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ କହିଛନ୍ତି । ଝିଲ୍ଲି ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରି ଭାରତପାଇଁ ଗୌରବ ଆଣନ୍ତୁ ବୋଲି ଉପଜିଲ୍ଲାପାଳ ଅନିଲ ସେଠୀ କାମନା କରିଛନ୍ତି ।