ଅନ୍ଧାରରେ ବିତୁଛି ଆଦିବାସୀ ଲୋକଙ୍କ ଜୀବନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଲୋକ ମାନଙ୍କ ପାଇଁ ବହୁତ କିଛି ସୁବିଧା କରିଛନ୍ତି । ହେଲେ ସେ ସମସ୍ତ ସୁବିଧା ସେମାନେ ଠିକ୍ ଭାବରେ ଉପଭୋଗ କରିପାରୁନାହାନ୍ତି । ପ୍ରତିକ୍ଷେତ୍ରରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ସେପରି ଅଭିଯୋଗ କରିଛନ୍ତି ବନ୍ତ ବ୍ଲକ ପଧାନପଡା ଆଦିବାସୀ ସାହିରଲୋକେ । ସେମାନଙ୍କ ସାହିରେ ପୂର୍ବରୁ ବିଜୁଳି ଜଳୁଥିଲା । ମାତ୍ର ୪ ମାସ ପୂର୍ବେ ଟ୍ରାନ୍ସଫର୍ମର ପୋଡି ଯିବାରୁ ସେମାନେ ଏବେ ଅନ୍ଧାରରେ ଜୀବନ ବିତାଉଛନ୍ତି । ଏହି ସାହିରେ ମୋଟ ୨୦ଟି ପରିବାର ବସବାସ କରୁଥିବା ବେଳେ ବିପିଏଲ୍ ଯୋଜନାରେ ୧୬କେ.ଭି ଟ୍ରାନ୍ସଫର୍ମର ବସା ଯାଇଥିଲା । ଗତ କିଛି ବର୍ଷ ମଧ୍ୟରେ ଏହି ଟ୍ରାନ୍ସଫର୍ମର ଦୁଇ ଥର ପୋଡିବା ଫଳରେ ତାହାକୁ ପରବର୍ତ୍ତନ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଲୋକମାନେ ଶାନ୍ତିରେ ବିଦ୍ୟୁତ୍ ବ୍ୟବହାର କରିଆସୁଥିଲେ । ମାତ୍ର ଗତ ୪ ମାସ ତଳେ ଏହି ଟ୍ରାନ୍ସଫର୍ମରଟି ପୋଡି ଯିବା ଫଳରେ ତାହାକୁ ମରାମତି କରାଯାଇନାହିଁ । ଫଳରେ ଲୋକମାନେ ଅନ୍ଧାରରେ ଜୀବନ ବିତାଉଛନ୍ତି । ସେହିପରି ଉକ୍ତ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ପିଲା ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସଂପର୍କରେ ସାହିଲୋକ ମାନେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ା