ଅନ୍ଧାରରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ
ବାଲେଶ୍ୱର, (ସରୋଜ ପଣ୍ଡା):ନର୍ସିଂ ଶିକ୍ଷା ପାଇଁ ନାମଲେଖା କ୍ଷେତ୍ରରେ ‘ଓଡ଼ିଶା ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ’ (ଡାରେକ୍ଟୋରେଟ ଅଫ ମେଡିକାଲ ଏଜୁକେସନ ଏଣ୍ଡ ଟ୍ରେନିଂ, ଓଡ଼ିଶା)ର ତୃତୀୟ ପର୍ଯ୍ୟାୟ ପୋର୍ଟାଲ ଖୋଲିବାରେ ଅହେତୁକ ବିଳମ୍ବକୁ ନେଇ ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ୩ ଗୋଟି ପର୍ଯ୍ୟାୟରେ ନାମଲେଖା ସାଙ୍ଗକୁ ସ୍ପଟ ଏଡମିସନ ପାଇଁ ଅକ୍ଟୋବର ମାସ ଶେଷ ସପ୍ତାହରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ପୋର୍ଟାଲ ଖୋଲା ରହୁଥିଲା । ମାତ୍ର ଚଳିତ ଶିକ୍ଷାବର୍ଷରେ ଜାନୁଆରୀ ୩୧ ତାରିଖରୁ ପୋର୍ଟାଲ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଚାତକ ପରି ଚାହିଁ ବସିଛନ୍ତି । ଯଦି ତୃତୀୟ ପର୍ଯ୍ୟାୟ ପୋର୍ଟାଲ ଖୋଲା ନ ଯାଏ, ତାହାଲେ ବାଲେଶ୍ୱର ସମେତ ସମଗ୍ର ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀଙ୍କର ଗୋଟିଏ ବର୍ଷ ପାଣିରେ ପଡ଼ିବା ନେଇ ଆଶଙ୍କା ଦେଖାଯାଇଛି । ସେହିଭଳି ଚଳିତବର୍ଷ ‘ଓଡ଼ିଶା ନର୍ସେସ ଏଣ୍ଡ ମିଡୱାଇଭସ ରେଜିଷ୍ଟ୍ରେସନ କାଉନସିଲ’ରୁ ବିଳମ୍ବରେ ଅନୁମତି ପାଇଥିବା ବିଭିନ୍ନ ନର୍ସିଂ କଲେଜରେ ୩୦ ପ୍ରତିଶତ ବି ନାମଲେଖା ହୋଇପାରି ନାହିଁ । ନୂଆ କଲେଜ ସମେତ ପୁରୁଣା କଲେଜଗୁଡ଼ିକରେ ଶହ ଶହ ସିଟ ଖାଲି ପଡ଼ିବା ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏନେଇ କେତେକ ଶିକ୍ଷାନୁଷ୍ଠାନ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ବି ନେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସ୍ୱଳ୍ପଦିନ ପାଇଁ ହେଉ ପଛେ ତୁରନ୍ତ ପୋର୍ଟାଲ ଖୋଲିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।