ଅନ୍ଧାରରେ ସୋରଣ ଓ ମାନସିଂହପୁର ପଞ୍ଚାୟତ
ଚିଲିକା (ଯୁଗାବ୍ଦ ନ୍ୟୁଜ):ଚିଲିକା ବ୍ଲକର ଚିଲିକା ଉପକୂଳ ସଂଲଗ୍ନ ସୋରଣ ଓ ମାନସିଂହପୁର ପଞ୍ଚାୟତ ଦ୍ୱୟରେ ଏଯାଏଁ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ଫନି ବାତ୍ୟା ଛାଡ଼ିଯିବାର ଆଜକୁ ୮ଦିନ ବିତିଲା, ଏହି ଉଭୟ ପଞ୍ଚାୟତର ମୋଟ୍ ୩୭ଟି ୱାର୍ଡ଼ର ୩୦ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଗରମ ଗୁଳୁଗୁଳିରେ ଛଟପଟ ହେଉଥିବା ବେଳେ ଦୋକାନ ବଜାର ବିକ୍ରିବଟା ବିଜୁଳି ଅଭାବରୁ ଠପ୍ ହୋଇପଡ଼ିଛି । ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ କାରଣରୁ ପାନୀୟଜଳ ଯୋଗାଣ ବନ୍ଦ ।ା ବାତ୍ୟା ପରଠାରୁ ଖରାର ପ୍ରକୋପ ବୃଦ୍ଧି ପାଇଥିବାରୁ ଦିନରେ ଘରୁ ବାହାରକୁ ବାହାରିପାରୁ ନାହାଁନ୍ତି । ରାତିରେ ଗରମ ଗୁଳୁଗୁଳିରେ ଶୋଇ ନ ପାରି ମହିଳା, ଶିଶୁ, ବୃଦ୍ଧ, ଅସୁସ୍ଥଙ୍କ ଅବସ୍ଥା କହିଲେ ନ ସରେ । ପାନୀୟ ଜଳାଭାବରୁ ଲୋକେ ଦୂଷିତ କୂଅ, ପୋଖରୀ ପାଣି ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ଦେଖାଦେଇଛି । ଏ ଦୁଇ ପଞ୍ଚାୟତରେ ମତ୍ସ୍ୟ ବ୍ୟବସାୟ ଅନ୍ୟତମ ପ୍ରମୂଖ ବାଣିଜ୍ୟିକ କାରବାର । ବିଜୁଳି ଅଭାବରୁ ମତ୍ସ୍ୟ ସଂରକ୍ଷଣ ସମସ୍ୟା ସୃଷ୍ଟି ହୋଇଥିବାରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବେପାରୀ ଏବେ ଆର୍ଥିକ ସଂକଟରେ କାଳ କାଟୁଛନ୍ତି । ଟାଙ୍ଗୀ ବିଦ୍ୟୁତ୍ ଉପଖଣ୍ଡ ଅଧିନ ଉପରୋକ୍ତ ଉଭୟ ପଞ୍ଚାୟତରେ ବାତ୍ୟା ବିପର୍ଯ୍ୟସ୍ତ ୩୩କେଭି ଓ ୧୧ କେଭି ଲାଇନ୍ ସଜଡ଼ା କାମ ଏଯାଏଁ ଆରମ୍ଭ ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ ଟାଙ୍ଗୀ ସେସୁ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରେ ଆସନ୍ତାକାଲି ଠାରୁ ଟାଙ୍ଗୀ ଲାଇନ୍ ପଟୁ ହନୁମନ୍ତ ଅଞ୍ଚଳ ଦେଇ ଲାଇନ୍ ମରାମତି କାମ •ଲିବ ।