ଅନ୍ଧାର ରାଜରେ ଜିଲ୍ଲାର ଅଧିକାଂଶ ଗ୍ରାମ ଆଜିବି ବିଦ୍ୟୁତ୍ ସଂଯୋଗ ସାତସପନ
ରାୟଗଡ଼ା,( ଦୁର୍ଗା ପ୍ରସାଦ ପାଢ଼ୀ): ଜିଲ୍ଲା ଗଠନ ହୋଇ ୩୨ବର୍ଷ ବିତିଥିଲେ ସୁଦ୍ଧା ହଜାରେରୁ ଊର୍ଦ୍ଧ ଗାଁ ଏବେବି ଅନ୍ଧାରରେ ରହିଛି। ସେଠାରେ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବା ବେଳେ ଅଞ୍ଚଳର ଛାତ୍ରୀଛାତ୍ର ପାଠପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲାରେ ୨୬୭୨ ରାଜସ୍ବ ଓ ୧୫୦୦ ପଡା ଗାଁ ରହିଛି। ସେଥୁରୁ ଏକ ହଜାର ଗାଁ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଟାଟା ପାୱାର ପକ୍ଷରୁ ଗତ ୧୮ ତାରିଖରେ ଜିଲା ପରିଷଦ ବୈଠକରେ ଉପସ୍ଥାପିତ ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ଜିଲା ପରିଷଦ ବୈଠକ ଓ ଜିଲା ବିଦ୍ୟୁତ୍ ବୈଠକରେ ସମସ୍ତ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥୁବା ଏମ୍ପି ସପ୍ତଗିରି ଉଲାକା କହିଛନ୍ତି। ଏତେ ସଂଖ୍ୟାରେ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନଥୁବା ଦୁଃଖଦାୟକ ବୋଲି ଏମ୍ପି ଉଲାକା କହିଛନ୍ତି। ଏଭଳିକିଗତ ଦିନରେ ଅନୁଷ୍ଠିତ ଜିଲା ବିଦ୍ୟୁତ୍ ବୈଠକରେ କେବଳ ୩୦ରୁ ଊର୍ଦ୍ଧ ନୂତନ ଗାଁ ଏବଂ ହାତୀ ପ୍ରବଣ ଅଞ୍ଚଳ ବ୍ୟତୀତ ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇଥିବା ସୂଚନା ଦିଆଯାଇଥୁବା ବେଳେ ବାସ୍ତବ ଚିତ୍ର ଅଲଗା ରହିଛି। ତୁରନ୍ତ ଜିଲାର ସମସ୍ତ ଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ଏମ୍ପି ଉଲାକା ଦାବି କରିବା ସହ ଏ ନେଇ ସଂସଦରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ଜିଲାର ୧୧ ବ୍ଲକ ମଧ୍ୟରୁ ୯ ବ୍ଲକରେ ହୋଇଥିବା ସର୍ଭେ ଅନୁଯାୟୀ ୬୩୧ ଗ୍ରାମରେ ବିଦ୍ୟୁତ୍ ନାହିଁ। ସେଥୁରୁ ବିଷମକଟକ ବ୍ଲକରେ ସର୍ବାଧିକ ୧୫୯, ରାମନାଗୁଡାରେ ୬୪, ଗୁଣପୁରରେ ୬୩, ପଦ୍ମପୁରରେ ୪୫, ଚନ୍ଦ୍ରପୁରରେ ୩୪ ଓ କୋଲନରା ବ୍ଲକରେ ୪ ଗାଁ ରହିଛି। ଏହା ବ୍ୟତୀତ ମୁନିଗୁଡାରେ ୧୦୬, ରାୟଗଡାରେ ୮୪, ଗୁଡାରୀରେ ୭୨ ଗାଁରେ ବିଦ୍ୟୁତ୍କରଣ ହୋଇନାହିଁ। ଜିଲାର ୬୩୧ ଗାଁ ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ଫଳରେ ଅନ୍ଧାରରେ ରହିଛନ୍ତି ୬୩୧ଗ୍ରାମର ୪୮୧୬ ପରିବାର। ଅନ୍ୟପଟେ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ବିଦ୍ୟୁତୀକରଣ ହୋଇ ନ ଥୁବା ଗାଁଗୁଡିକ ସର୍ଭେ ଶେଷ ହୋଇନାହିଁ | ବର୍ଷା ଋତୁରେ ଗାଁଗୁଡ଼ିକୁ ଯାତାୟାତ ହୋଇନଥିବାରୁ ସର୍ଭେ ହୋଇନଥୁବା ସୂଚନା ମିଳିଛି। ସେହିଭଳି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆସୌରା ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ୨୩୫ ଗାଁକୁ ବିଦ୍ୟୁତୀସଂଯୋଗ ହୋଇନାହିଁ। ସେଥୁରେ ରାୟଗଡ଼ା ଉପଖଣ୍ଡର ୯୯ ଓ ଗୁଣପୁର ଉପଖଣ୍ଡର ୧୩୬ ଗାଁ ରହିଛି । ଯାହାକୁ ବର୍ତ୍ତମାନ ପିଏମ୍-ଜନମନ ଯୋଜନାରେ ବିଦ୍ୟୁତୀକରଣ ପାଇଁ ସାମିଲ କରାଯାଇଥିବା ଜଣାପଡ଼ିଛି । ଆଦିମ ଜନଜାତି ବାସ କରୁଥିବା ଗାଁରେ ତୁରନ୍ତ ବିଦ୍ୟୁତ୍ ସେବାନେଇ ସରକାର ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟୁତ୍ ସଂଯୋଗ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ବେଳେ ଏମ୍ପି ଓ ବିଧାୟକ ନିଜ ହାତପାଣ୍ଠିରୁ ଖର୍ଚ୍ଚ ମଧ୍ୟ କରୁଥିଲେ ସୁଦ୍ଧା ଅନ୍ଧାରରେ ଗାଁ ଲୋକ। ଅନେକ ଗାଁରେ ଗତ ୯ ବର୍ଷ ଭିତରେ ୩ ଥର ସର୍ଭେ ହେଲାଣି। ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତ କେବଳ ସର୍ଭେ ଚାଲିଛି ହେଲେ ବିଦ୍ୟୁତ୍ ସଂଯୋଗ ହୋଇପାରୁନାହିଁ । ଏ ସମ୍ପର୍କରେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ସାହୁଙ୍କୁ ପଚାରିବାରୁ ଅନେକ ଗାଁରେ ବିଦ୍ୟୁତ୍ ସଂଯୋଗୀକରଣ କାମ ଚାଲିଛି। ଗାଁଗୁଡିକ ଦୁର୍ଗମ ହୋଇଥିବା ବେଳେ ରାସ୍ତା ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ତଥାପି ସରକାର ଦେଇଥିବା ଟାଗେର୍ଟ ଶୀଘ୍ର ପୂରଣ ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।