ଅନ୍ଲାଇନ୍ ଯୁଗରେ ଅତୁଟ ରହିଛି ଓଡ଼ିଆ କ୍ୟାଲେଣ୍ଡର ଚାହିଦା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ବିଭିନ୍ନ ଦେବାଦେବୀଙ୍କ ରଙ୍ଗୀନ ଆକର୍ଷଣୀୟ ଚିତ୍ର ସହ ପ୍ରଛଦ ପୃଷ୍ଟା ଭଳିକି ଭଳି ଡ଼ିଜାଇନ ଓ ସାଇଜରେ ବିଭିନ୍ନ ସଂସ୍ଥାର ପଞ୍ଜିକା । ତାରିଖ ସାଙ୍ଗକୁ କ୍ୟାଲେଣ୍ଡରରେ ମିଳୁଛି ବିଭିନ୍ନ ତଥ୍ୟ । କେଉଁଥିରେ ଟ୍ରେନ ଚଳାଚଳ ସମୟ ତ ଅନ୍ୟ କେଉଁଥିରେ ରାଶିଫଳ, ଗ୍ରହ ନିବାରଣ ଉପାୟ, ବାସ୍ତୁଶାସ୍ତ୍ର ଟିପ୍ସ ସାଙ୍ଗକୁ ସୁକ୍ଷ୍ମ ପଞ୍ଜିକା । କ୍ୟାଲେଣ୍ଡର ଓଲଟାଇଲେ ଗ୍ରହ ନକ୍ଷତ୍ରର ତଥ୍ୟ, ଦିନରୁ ଆରମ୍ଭ କରି ବର୍ଷର ଶୁଭକାଳ ସହ ବିବାହ, ବ୍ରତ, ଗୃହ ପ୍ରବେଶ(ପ୍ରତିଷ୍ଠା) ଜାଣି ହେବ । କେଉଁ ଇଂରାଜୀ ତାରିଖ ଓ ବାରରେ କେଉଁ ତିଥୀ ପଡୁଛି ତାହା ଜାଣିପାରିବେ ଆପଣ । ଏ ହେଉଛି କ୍ୟାଲେଣ୍ଡର । ଆଜିକାର ଅନ୍ଲାଇନ୍ ଓ ଅତ୍ୟାଧୁନିକ ଯୁଗରେ ମଧ୍ୟ ଓଡିଆ କ୍ୟାଲେଣ୍ଡରର ଚାହିଦା ଅତୁଟ ରହିଛି । ଏବେ ୨୦୨୪ ସାଲ ଶେଷ ହେବାକୁ ବସିଛି । ଆଉ ମାତ୍ର ୧୬ ଦିନ ପରେ ୨୦୨୫ ମସିହାର ଶୁଭାରମ୍ଭ ହେବ । ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଜୋର ଧରିଛି କ୍ୟାଲେଣ୍ଡର ବେପାର । ୧୦ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ରକମର ତଥା ବିଭିନ୍ନ ପଞ୍ଜିକାର କ୍ୟାଲେଣ୍ଡର ରାସ୍ତା ପ୍ୱାର୍ଶ୍ବ ଅସ୍ଥାୟୀ ଫୁଟପାଥ୍ ଠାରୁ ଆରମ୍ଭ କରି ବିଭିନ୍ନ ପୁସ୍ତକ ଭଣ୍ଡାରରେ ବିକ୍ରି ଜୋର ଧରିଛି । ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରେସ୍ରେ କ୍ୟାଲେଣ୍ଡର ମୁଦ୍ରିତ କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ଦିଗରେ କ୍ୟାଲେଣ୍ଡର ମାଗଣାରେ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ପ୍ରାୟତଃ ଡ଼ିସେମ୍ବର ମାସ ଆରମ୍ଭରୁ ଜାନୁୟାରି ମାସ ମଧ୍ୟଭାଗ ପର୍ଯ୍ୟନ୍ତ କ୍ୟାଲେଣ୍ଡରର ବିକ୍ରି ହେଉଥିବା ନେଇ କ୍ୟାଲେଣ୍ଡର ବ୍ୟବସାୟୀ ମାନେ କହିଛନ୍ତି । ଆଜିକାର ସମୟରେ ସାଧାରଣ ଜନତା ଗ୍ରହ ନକ୍ଷତ୍ର, ଶୁଭକାଳ, ଶୁଭଲଗ୍ନ, ପୂଜା ପଦ୍ଧତି ଇତ୍ୟାଦି ବିଷୟରେ ଜାଣିବା ପାଇଁ କ୍ୟାଲେଣ୍ଡର କିଣୁଥିବା ବେଳେ ସମୟ ଯେତେ ବଦଳିଲେ ମଧ୍ୟ ଓଡ଼ିଆ କ୍ୟାଲେଣ୍ଡର ଚାହିଦା ଅତୁଟ ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଛି ।