ଅନ୍ଲାଇନ୍ ଯୁଗରେ ବି ଅତୁଟ ରହିଛି କ୍ୟାଲେଣ୍ଡର ଚାହିଦା
ଆସିକା, (ଯୁଗାବ୍ଦ ନ୍ୟୁଜ):ବିଭିନ୍ନ ଦେବା ଦେବୀଙ୍କ ରଙ୍ଗୀନ ଆକର୍ଷଣୀୟ ଚିତ୍ର ସହ ପ୍ରଚ୍ଛଦ ପୃଷ୍ଟା । ଭଳିକି ଭଳି ଡିଜାଇନ୍ ଓ ସାଇଜ୍, ବିଭିନ୍ନ ସଂସ୍ଥାର ପଞ୍ଜିକା । ତାରିଖ ସାଙ୍ଗକୁ କ୍ୟାଲେଣ୍ଡରେ ମିଳୁଛି ବିଭିନ୍ନ ତଥ୍ୟ । କେଉଁଥିରେ ଟ୍ରେନ ଚଳାଚଳ ସମୟ ତ ଅନ୍ୟ କେଉଁଠିରେ ରାଶିଫଳ, ଗ୍ରହ ନିବାରଣ ଉପାୟ, ବାସ୍ତୁ ଶାସ୍ତ୍ର ଟିପ୍ସ୍ ସାଙ୍ଗକୁ ସୂକ୍ଷ୍ମ ପଞ୍ଜିକା ଟିଏ ଆପଣଙ୍କ ହାତରେ ରହିବ । କ୍ୟାଲେଣ୍ଡର ପୃଷ୍ଟା ଓଲଟାଇଲେ ଗ୍ରହ ନକ୍ଷତ୍ରର ତଥ୍ୟ, ଦିନରୁ ଆରମ୍ଭ କରି ବର୍ଷର ଶୁଭକାଳ ସାଙ୍ଗକୁ ବିବାହ, ବ୍ରତ, ଗ୍ରହପ୍ରତିଷ୍ଟାର ଯୋଗ (ଶୁଭ ଦିବସ) ଜାଣି ହେବ । କେଉଁ ଇଁରାଜୀ ତାରିଖ ଓ ବାରରେ କେଉଁ ତିଥି ପଡୁଛି ତାହା ଜାଣି ପାରିବେ ଆପଣ । ଏ ହେଉଛି କ୍ୟାଲେଣ୍ଡର ବେପାର । ଆଜିକାର ଅନ୍ଲାଇନ୍, ଅତ୍ୟାଧୁନିକ ଯୁଗରେ ମଧ୍ୟ କ୍ୟାଲେଣ୍ଡର ଭଳି ବହୁ ମୁଖୀ ଉପକାରୀ ଜିନିଷଟିଏ ତାର ଚାହିଦା ଅତ୍ୟୁଟ ରଖିଛି । ଆଉ ଏବେ ମସିହା ୨୦୨୪ ଶେଷ ହୋଇ ୨୦୨୫ ମସିହା ଆସିବାକୁ ଥିବା ବେଳେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଜୋରଧରିଛି କ୍ୟାଲେଣ୍ଡର ବେପାର । କୋଡିଏ ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ଦରରେ ଅସ୍ଥାୟୀ ଫୁଟଫାଥ୍ ଦୋକାନଠାରୁ ଆରମ୍ଭ କରି ବହି ଦୋକାନ ଗୁଡିକରେ କ୍ୟାଲେଣ୍ଡର ବିକ୍ରୀ ଦିନକୁଦିନ ଜୋର ଧରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ଅଧୀନସ୍ଥ ନିରଂଜନ ନଗର ଅଞ୍ଚଳରେ ଥିବା ଚନ୍ଦନ ବୁକ୍ ଷ୍ଟୋରରେ ବିଭିନ୍ନ କିସମର କ୍ୟାଲେଣ୍ଡର ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ଡିସେମ୍ବର ମାସରେ ସବୁଠାରୁ ଅଧିକ କ୍ୟାଲେଣ୍ଡର ବିକ୍ରୀ ହେଉଥିବା ବେଳେ ପ୍ରାୟତଃ ଫେବୃଆରୀ ମାସ ପର୍ଯ୍ୟନ୍ତ କ୍ୟାଲେଣ୍ଡର ବିକ୍ରୀ ହୋଇଥାଏ । ଆଜିକାର ସମୟରେ ସାଧାରଣ ଜନତା ଗ୍ରହ ନକ୍ଷତ୍ର, ଶୁଭ କାଳ, ଶୁଭ ଲଗ୍ନ, ପୂଜା ପଦ୍ଧତି ସମ୍ପର୍କରେ ଜାଣିବାକୁ କ୍ୟାଲେଣ୍ଡର କିଣୁଥିବା ବେଳେ ସମୟ ଯେତେ ବଦଳିଲେ ମଧ୍ୟ କ୍ୟାଲେଣ୍ଡର ଚାହିଦା ଅତ୍ୟୁଟ ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।