ଅନ୍ୟ ରାଜ୍ୟର ଶ୍ରମିକ ପାଇବେ ଆର୍ଥିକ ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି): ସଂପ୍ରତି ଲକଡାଉନ ଯୋଗୁ ଅନ୍ୟରାଜ୍ୟର ଶ୍ରମିକମାନେ ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ରହିଯାଇଛନ୍ତି । ଯେଉଁ ଶ୍ରମିକମାନେ ଛୋଟମୋଟ ନିର୍ମାଣକାରୀ ସଂସ୍ଥାରେ ରହି ଦୀର୍ଘର୍ଦିନ ଧରି କାର୍ଯ୍ୟ କରିଆସୁଥିଲେ ଲକ୍ଡାଉନ ଯୋଗୁ ସେମାନେ ଘରକୁ ଫେରି ପାରିନାହାଁନ୍ତି । ସେମାନେ କାମକରୁଥିବା ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଯାଇଛନ୍ତି । ଏପଟେ କାମ ବନ୍ଦ ଯୋଗୁ ସେମାନଙ୍କ ପାଇଁ ଚଳିବା ମୁସ୍କିଲ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନ୍ୟରାଜ୍ୟର ଏହି ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିବାପରେ ବ୍ଲକ ଓ ପୌର ପ୍ରଶାସନ ଜରିଆରେ ଶ୍ରମିକମାନଙ୍କ ସମ୍ପର୍କରେ ଟିକ୍ନିକ୍ ତଥ୍ୟ ସଂଗ୍ରହ କରାଯାଉଛି । କାମ କରୁଥିବା ସଂସ୍ଥାର ନାମ, କେଉଁ ସଂସ୍ଥାରେ କାମ କରୁଥିଲେ, କେଉଁ ଅଞ୍ଚଳରେ ରହୁଛନ୍ତି ଏବଂ ବାହାର ରାଜ୍ୟର କେଉଁ ଜିଲ୍ଲାର ସେମାନେ ବାସିନ୍ଦା ଅଟନ୍ତି ସେନେଇ ସମସ୍ତ ତଥ୍ୟ ଯଥାଶୀଘ୍ର ପ୍ରଦାନ କରିବାକୁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।


