ଅପମିଶ୍ରିତ ମଦ ଜବତ ମାମଲା: ମ୍ୟାନେଜର ସମେତ ତିନି ଅଭିଯୁକ୍ତଙ୍କୁ ଜେଲ
ଦିଗପହଣ୍ଡି, (ୱାଇଏନ୍ଏସ୍): ଲକ୍ଡ଼ାଉନ୍ ସମୟରେଦିଗପହଣ୍ଡି ବ୍ଳକ ନିମଖଣ୍ଡି ପେଣ୍ଠ ଗ୍ରାମ ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ବାହାର ଦେଶୀମଦ ଭାଟି ରୁ ସୋମବାର ୬୦ ଟି ପ୍ଲାଷ୍ଟିକ ଡ୍ରମ ରେ ଥିବା ୧୦୮୦୦ ଲିଟର ଅପମିଶ୍ରିତ ମଦ ପୋଚ , ପ୍ଲାଷ୍ଟିକ ଜାରକିନ ରେ ଥିବା ୫ ଲିଟର ମଦ ଓ ୧୨୭୦ ଟି ଦେଶୀମଦ ପାଉଚ, ୫ ଟି ବ୍ୟବହୃତ ଆମୋନିଆ ଫସଫେଟ ପକେଟ ଜବତ ମାମଲା ରେ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ମଙ୍ଗଳବାର ମଦଭାଟି ମ୍ୟାନେଜର ଙ୍କ ସମେତ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ମଦଭାଟିରେ ସେଲ୍ସମ୍ୟାନ୍ କାମ କରୁଥିବା କଟକ ଜିଲା ନିଆଳି ଥାନା କରଞ୍ଜ ଗ୍ରାମର କ୍ଷେତ୍ରମୋହନ ସ୍ବାଇଁ, ମଦଭାଟି ରେ ମଦ ପ୍ରସ୍ତୁତ ପାଇଁ ରୋଷେୟା କାମ କରୁଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗ୍ରାମର ଭିକାରୀ ଗୌଡ, ମଦଭାଟି ମ୍ୟାନେଜର କାମ କରୁଥିବା ଦିଗପହଣ୍ଡି ଥାନା ଅଁଳାଗୁଡ଼ା ଗ୍ରାମର ଦେବେନ୍ଦ୍ର ବିଷୋୟୀ, ମଦଭାଟି ର ଅନ୍ୟତମ ମଦ ପ୍ରସ୍ତୁତ ପାଇଁ ନିଯୁକ୍ତ ରୋଷେୟା ହିଞ୍ଜିଳି ଥାନା ବନ୍ଦଳା ଗ୍ରାମର ବାବୁଲା ସାହୁ।ଥାନା ଏସ ଆଇ ବଳଭଦ୍ର ଗଣ୍ଡ ଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୯୬/୨୦ ଦଫା – ୨୭୨/୨୭୩/୩୪ ଆଇ ପି ସି ସମେତ ରାଜ୍ୟ ଅବକାରୀ ଆଇନର ଧାରା ୫୨(କ) ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ସୋମବାର ମଧ୍ୟାହ୍ନ ରେ ଦିଗପହଣ୍ଡି ପୋଲିସ ଟିମ୍ କୋଭିଡ – ୧୯ ନିମନ୍ତେ ପାଟ୍ରୋଲିଂ କରୁଥିବା ବେଳେ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଭାଟି ର ସିଲ୍ ଭାଙ୍ଗି ଲକ୍ ଡାଉନ୍ ନିୟମ ଉଲ୍ଲଙ୍ଘନ କରାଯାଇ ସେଠାରେ ମଦ ପ୍ରସ୍ତୁତ କରାଯାଉଥିବା ଖବର ମିଳିଥିଲା। ଏନେଇ ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଏବଂ ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ ଙ୍କୁ ଅବଗତ କରାଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ସେମାନଙ୍କ ଉପସ୍ଥିତିରେ ମଦଭାଟିରୁ ମଦଭାଟିରୁ ଜଉମୁଦ ଲାଗିଥିବା ଦୁଇଟି ତାଲା ସମେତ ବିପୁଳ ପରିମାଣର ଅପମିଶ୍ରିତ ମଦ, ମଦ ପୋଚ ପ୍ରଭୃତି ଜବତ କରାଯାଇଥିଲା । ମଦଭାଟି ପରିଚାଳନା ନିମନ୍ତେ ଲାଇସେନ୍ସ ପ୍ରାପ୍ତ ପଟ୍ଟାଦାର ସିମାଞ୍ଚଳ ସାହୁ ଙ୍କ ନିର୍ଦ୍ଦେଶକ୍ରମେ ସେମାନେ ମଦ ପ୍ରସ୍ତୁତ କରୁଥିଲେ ବୋଲି ଅଭିଯୁକ୍ତମାନେ ସ୍ୱୀକାର କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇ ଆଇ ସି କହିଛନ୍ତି।