ଅପରାଧିକ ଆଇନ ସଚେତନତା କର୍ମଶାଳାର କେଇ ଘଣ୍ଟା ମଧ୍ୟରେ ଗୋଷ୍ଠୀ ସଂଘର୍ଷ
ବଡ଼ସାହି, (ନିରଞ୍ଜନ ମହାନ୍ତ): ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା ଶିବିର ଗୋଟିଏ ଦିନରେ ପ୍ରାୟ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡିରେ ଗତ ୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ବଡ଼ସାହି ବ୍ଲକ୍ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀ ଫାଣ୍ଡିରେ ବୈଶିଙ୍ଗା ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ୨୦୨୪ ମସିହା ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ସମ୍ପର୍କରେ ଆଲୋକପାତ କରାଯାଇଥିଲା।ଫାଣ୍ଡି ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ଠିକ୍ ରହିବ ସେଥିପାଇଁ ଉପସ୍ଥିତ ବିଭିନ୍ନ ବର୍ଗର ସ୍ଥାନୀୟ ନାଗରିକଙ୍କ ସହଯୋଗ କାମନା କରାଯାଇଥିଲା।ଉକ୍ତ କର୍ମଶାଳାର କେଇ ଘଣ୍ଟା ନ ବିତୁଣୁ ସ୍ଥାନୀୟ ମାଣତ୍ରୀ ବଜାରରେ ସାମାନ୍ୟ କଥାରୁ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା ଏବଂ ଏହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିବା ଦେଖି ବିଭାଗ ବଜାର ମଧ୍ୟରେ ପୁଲିସ ଫୋର୍ସ ମୁତୟନ କରିବାକୁ ବାଧ୍ୟ ହୋଇଥିଲା।ପ୍ରସିଦ୍ଧ ଶୈବ ପୀଠ ମାଣତ୍ରୀ ଜାଗର ମେଳା ୧୫ ଦିନ ଧରି ଚାଲୁ ରହିବାକୁ ଥିବାବେଳେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ଦୂର ଦୃଷ୍ଟି ଅଭାବରୁ ଅଧିକ ପୁଲିସ କର୍ମଚାରୀ ଏଠାରେ ରଖା ଯାଇ ନଥିବାରୁ ବାଇକ୍ ରଖିବାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ଏଥିସହିତ ଫାଣ୍ଡି ଅଧିକାରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଥିବାର ଦେଖାଯାଉଛି।