ଅପରାଧ ନିୟନ୍ତ୍ରଣରେ ପୋଲିସ୍‌ର ନିସ୍କ୍ରିୟତା ବିରୁଦ୍ଧରେ : ବାଲେଶ୍ୱର ବନ୍ଦ ସଂପୂର୍ଣ୍ଣ ସଫଳ

ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲ୍ଲା ପୋଲିସ୍‌ର ଅପାରଗତା ଯୋଗୁଁ ବାଲେଶ୍ୱରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଗୁରୁବାର ଦିନ ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ବିଭିନ୍ନ ଗଣସଂଗଠନ ଓ ରାଜନୈତିକ ଦଳର କର୍ମୀମାନେ ବାଲେଶ୍ୱରର ସହରରେ ବିଭିନ୍ନ ବ୍ୟାଙ୍କ୍‌, ବୀମା, ଡାକ ଓ ସରକାରୀ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାରଣରୁ କୌଣସି କର୍ମଚାରୀ ପ୍ରବେଶ କରିପାରିନଥିଲେ । ବଡ଼ବଡ଼ ବ୍ୟବସାୟ କେନ୍ଦ୍ର, ପନିପରିବା, ଫଳ ଓ ମାଛ ମାର୍କେଟ୍ ସଂପୂର୍ଣ୍ଣ ବନ୍ଦ ଥିଲା । ରଜ ଛୁଟି ପରେ ଆଜି ଦିନ ଦଶଟାରୁ ଅଫିସ୍‌ଗୁଡ଼ିକ ଖୋଲିବାର ଥିଲେ ମଧ୍ୟ ବସ୍ତୁତଃ କୌଣସି ସରକାରୀ ଅଫିସ୍‌, କୋର୍ଟ କଚେରୀ, ବ୍ୟାଙ୍କ୍ ବୀମା, ପୌର କାର୍ଯ୍ୟାଳୟ ପ୍ରଭୃତି ଖୋଲି ପାରିନଥିଲା । ସହରରେ କେବଳ ଦୁଇଚକିଆ ଯାନ ଚଳାଚଳ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଓ ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ବନ୍ଦଥିବାର ଦେଖାଯାଇଥିଲା । ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ମୋତିଗଞ୍ଜ ବଜାର ଓ ନୂଆବଜାରରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନଥିଲା । ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ, ଗୋଳାପୋଖରୀ ଛକ ଓ ବସ୍‌ଷ୍ଟାଣ୍ଡ୍‌ରେ ଆନ୍ଦୋଳନକାରୀମାନେ ଜିଲ୍ଲା ପୋଲିସ୍‌ର ଅପାରଗତା ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରା ଦେଇ ରାସ୍ତା ଅବରୋଧ କରିଥିଲେ । ପରିବହନ ଶ୍ରମିକ, ଉଠାଦୋକାନୀ, ଅଟୋ, ଟ୍ୟାକ୍ସି ଓ ରିକ୍‌ସାଚାଳକମାନେ ବନ୍ଦ୍‌କୁ ଦୃଢ଼ ସମର୍ଥନ ଜଣାଇଥିଲେ । ଅତୀତରେ ହୋଇଥିବା ବିଭିନ୍ନ ପାଳନ ଠାରୁ ଆଜିର ବାଲେଶ୍ୱର ବନ୍ଦ ଅଧିକ ସ୍ୱତସ୍ପୃହ ଥିଲା ଓ ବାଲେଶ୍ୱର ସହରବାସୀ ପୋଲିସ୍ ବିରୋଧୀ କ୍ରୋଧର ଏହା ଏକ ପ୍ରତିଫଳନ ବୋଲି କୁହାଯାଇପାରେ । ବାଲେଶ୍ୱରରେ ଗତ କିଛିଦିନ ଧରି ଚୋରି, ଡକାୟତ, ଲୁଟ୍‌, ଛିନ୍‌ତାଇ, ରାହାଜାନୀ, ହତ୍ୟା, ଗୁଳିଚାଳନା ଓ ନିଶା କାରବାର ପ୍ରଭୃତି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରୁ ଜିଲ୍ଲା ଓକିଲ ସଂଘ ଓ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ବରିଷ୍ଠ ନାଗରିକ ମଞ୍ଚ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ, ସମସ୍ତ ବାମପନ୍ଥୀ ଦଳ ଏବଂ କଂଗ୍ରେସ୍ ଦଳ ସମେତ ସେମାନଙ୍କର ଗଣସଂଗଠନରେ ଏହି ବନ୍ଦରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ଦଳ ପକ୍ଷରୁ ୧୬ ତାରିଖରେ ବନ୍ଦ୍ ଆହ୍ୱାନ ଦିଆଯାଇଥିଲା । ତେଣୁ ଏହି ବନ୍ଦ୍‌ରେ ବିଜେପି ଦଳର କର୍ମୀମାନେ କେତେକ ସ୍ଥାନରେ ଟାୟାରଜାଳି ରାସ୍ତା ଅବରୋଧ କରିଥିବାର ଦେଖାଯାଇଥିଲା ।
ଜିଲ୍ଲା ଓକିଲସଂଘର ସଭାପତି ମନୋଜ ନାୟକ, ସମ୍ପାଦକ ସମ୍ବିତ୍ ନନ୍ଦୀ, ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ଦଳୀୟ ନେତା ଓ ସେମାନଙ୍କର ବିଭିନ୍ନ ଗଣସଂଗଠନରୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ନିରଞ୍ଜନ ପରିଡ଼ା, ପ୍ରେମରଞ୍ଜନ ପାତ୍ର, ବିକ୍ରମ ପଣ୍ଡା, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ବିକାଶ ଦାସ, ବାସନ୍ତୀ ସାମଲ, ସୁରେଶ ବେହେରା, ଅବଦୁଲ ରଫିକ୍‌, ତୁଷାରକାନ୍ତି ତପସୀ, ଇଂ. ଅସଗର୍ ଅଲ୍ଲୀ, ଜୀବନ ବାରିକ, ତପନ ସିଟ୍‌, ଶ୍ୟାମସୁନ୍ଦର ଜେନା, ପରମାନନ୍ଦ ପଣ୍ଡା, ଭରତ ଚନ୍ଦ୍ର ସେଠୀ, ସନ୍ତୋଷ କୁମାର ସାହୁ, ଆଇନଜୀବୀ ଶକ୍ତିଧର ସାନ୍ତରା, ଶାନ୍ତନୁ ଦାସ, ସୂର୍ଯ୍ୟକାନ୍ତ କର, ଅଭିଜିତ୍ ପଣ୍ଡା, ମମତା ବେହେରା, ଅକ୍ଷୟ ପାତ୍ର, ପିନାକୀ ଧୀର୍‌, ପ୍ରଭାତ ଦାସ, ଜ୍ଞାନରଞ୍ଜନ ପାଣି, ସଞ୍ଜୟ ଚୌଧୁରୀ, କିଶୋର ଦାସ, ରାମକୃଷ୍ଣ ଜେନାଙ୍କ ସମେତ ଈଷାଣୀ ଷଡ଼ଙ୍ଗୀ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ଡ. ସୁବାଷ ଚନ୍ଦ୍ର ନାୟକ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ସୁଦର୍ଶନ ଆଚାର୍ଯ୍ୟ, ସିକନ୍ଦର ଖାଁ, ସୁବ୍ରତ ପଣ୍ଡା, ଜିତେନ୍ଦ୍ର ସେନାପତି, ପ୍ରସନ୍ନଜିତ୍ ମାଝୀ, ହରେକୃଷ୍ଣ ଦାସ, ମୃତ୍ୟୁଞ୍ଜୟ ରାଉତ, ସୁଦୀପ୍ତ ସିଂହ, ରମେଶ ଜେନା, ସଂଗ୍ରାମ ମାଝୀ, ଉମାକାନ୍ତ ପାତ୍ର, ଆବିଦ୍ ଖାଁ, ମନୋଜ ରାଠୋର, ଶରତ ଚନ୍ଦ୍ର ଦଳାଇ, ଟିପିରି ସିଂ, ଦୀନବନ୍ଧୁ ସାହୁ, ନିରଞ୍ଜନ ସାହୁ, ଦେବାଶିଷ ସିଂହ, ରାମଚନ୍ଦ୍ର ବେହେରା, ଶଶିକାନ୍ତ ବେହେରା ଓ ସନ୍ତୋଷ ପଣ୍ଡା ପ୍ରମୁଖ ଶାନ୍ତିପୂର୍ଣ୍ଣ ବନ୍ଦ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ବ୍ୟାପକ ପୋଲିସ୍ ମୂତୟନ କରାଯାଇଥିଲା । ବାଲେଶ୍ୱର ବନ୍ଦ ଆହ୍ୱାନ ଦେଇଥିବା ସଂଗଠନମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳ, ଗଣସଂଗଠନ, ବ୍ୟବସାୟୀ ଓ ସହରବାସୀଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଯଦି ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାରେ ପୋଲିସ୍ ମୁଖ୍ୟଙ୍କୁ ବଦଳି କରି ତୁରନ୍ତ ଅପରାଧ ନିୟନ୍ତ୍ରଣ ଦିଗରେ ବିହୀତ କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି, ତେବେ ଜିଲ୍ଲା ବନ୍ଦ ଆହ୍ୱାନ ଦିଆଯିବ ବୋଲି ଜିଲ୍ଲା ଓକିଲ ସଂଘ ଓ ସିଭିଲ୍ ସୋସାଇଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ