ଅପରେସନ୍ ବ୍ଲୁ-ଷ୍ଟାର୍ର ୩୫ତମ ବାର୍ଷିକୀ,ସ୍ୱର୍ଣ୍ଣମନ୍ଦିରରେ ଖଲିସ୍ତାନ୍ ସପକ୍ଷବାଦୀ ସ୍ଲୋଗାନ୍

ଅମୃତସର(ଏଜେନ୍ସି): ଗୁରୁବାର ଦେଶବ୍ୟାପୀ ‘ଅପରେସନ ବ୍ଲୁଷ୍ଟାରର ୩୫ତମ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ଥାନ ସପକ୍ଷବାଦୀ ସ୍ଲୋଗାନ ଦିଆଯିବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶନ କରାଯାଇଛି । ଏତଦ୍ବ୍ୟତୀତ ଏଠାରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯିବା ସହ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇଛି । ଗୁରୁବାର ସକାଳୁ ହଜାର ହଜାର ଶିଖ୍ ଧର୍ମାମ୍ବଲମ୍ବୀ ଅକାଲ ତଖତ୍କୁ ଯାଇ ପାରମ୍ପରିକ ଭୋଗ ଉତ୍ସବରେ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟ ପୁଲିସ ସହ ସିଆରପିଏଫ୍ ଯବାନ୍ଙ୍କୁ ମଧ୍ୟ ଏଠାରେ ମୁତୟନ କରାଯାଇଥିଲା ।
୩୫ବର୍ଷ ତଳେ ଠିକ୍ ଆଜିର ଦିନରେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣମନ୍ଦିରରେ ବ୍ଲୁଷ୍ଟାର ଅପରେଶନ ସଂଘଠିତ ହୋଇଥିଲା । ସ୍ୱର୍ଣ୍ଣମନ୍ଦିର ପରିସରରେ ଲୁଚିଥିବା ସଶସ୍ତ୍ର ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଭାରତୀୟ ସେନା ‘ଅପରେସନ୍ ବ୍ଲୁଷ୍ଟାର’ ଆରମ୍ଭ କରିଥିଲା । ୧୯୮୪ ଜୁନ୍ ୩ରୁ ୬ ମଧ୍ୟରେ କରାଯାଇଥିବା ଏହି ୩ ଦିନିଆ ଅପରେଶନ୍ରେ ପ୍ରାୟ ୫ଠଠ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ସେନାର ୪ ଅଧିକାରୀଙ୍କ ସମେତ ୮୩ ଜଣ ଯବାନ ସହିଦ୍ ହୋଇଥିଲେ । ତକ୍ରାଳୀନ ସେନା ଅଧ୍ୟକ୍ଷ ଅରୁଣ କୁମାର ବୈଦ ଅପରେଶନ୍ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସୂଚନା ଦେଇଥିଲେ । କିନ୍ତୁ ଏହାର ଠିକ୍ ବିପରୀତ ଭାବେ ସବୁକିଛି ଘଟିଯାଇଥିଲା । ଏପରିକି ସେନା ପକ୍ଷରୁ ଟ୍ୟାଙ୍କର ଉପଯୋଗ ମଧ୍ୟ କରାଯାଇଥିଲା । ତେବେ ଏହି ଘଟଣାର ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମର୍ମାହତ ହୋଇଥିଲେ । ଅଳ୍ପ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ତାଙ୍କୁ କୁହାଯାଇଥିଲା । ଆଜି ବି ଅପରେସନ୍ ବ୍ଲୁଷ୍ଟାର୍କୁ ଦେଶର ଏକ କଳଙ୍କିତ ଅଧ୍ୟାୟ ଭାବେ ବର୍ଣ୍ଣନା କରାଯାଉଥିବା ବେଳେ ଏସବୁ ପାଇଁ ଇନ୍ଦିରାଙ୍କୁ ଦୋଷାରୋପ କରାଯାଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ