ଅପହୃତ କୁ ଉଦ୍ଧାର କଲା ପୋଲିସ ; ମାଗିଥିଲେ ୩ଲକ୍ଷ ଟଙ୍କା

ଭଞ୍ଜନଗର / ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ରମେଶ ଚନ୍ଦ୍ର ସାହୁ ବ୍ୟକ୍ତିଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ ମାନେ । ପୋଲିସ ଅପହରଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଅପହର୍ତ୍ତାଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ ୧୧ ତାରିଖ ସକାଳେ ପଞ୍ଚଭୂତି ଗ୍ରାମ ବେଗୁନିଆର ଶଙ୍କର ନାଇକ ଉକ୍ତ ଗ୍ରାମର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଙ୍କୁ ଫୋନ୍‌ କରି ଏକ ପୁରୁଣା ମାମଲାର ଆପୋଷ ସମାଧାନ ପାଇଁ ଭଞ୍ଜନଗର ଆସିବ ପାଇଁ ଡାକିଥିଲେ। ଏହା ପରେ ରମେଶ ପୁଅ ଜଗନ୍ନାଥ ଓ ଗ୍ରାମର ହାଡୁବନ୍ଧୁ ସାହୁଙ୍କ ଧରି ଭଞ୍ଜନଗର ପୁରୁଣା ବସ୍‌ଷ୍ଟାଣ୍ଡରେ ପହଂଚିଥିଲେ । ସେଠାକୁ ୨ଜଣ ଯୁବକ ଆସି ଶଙ୍କରର ଲୋକ ବୋଲି କହି କୁଲାଡ଼ ଗ୍ରାମ ଅଭିମୁଖେ ନେଇଥିଲେ। ବାଟରେ ବାଲିଆପଟା ଜଙ୍ଗଲ ରାସ୍ତାରେ ବାଇକ୍‌ ରଖି ସାଙ୍ଗରେ ଯାଇଥିବା ହାଡୁବନ୍ଧୁଙ୍କୁ ସେଠାରେ ଅପେକ୍ଷା କରିବାକୁ କହି ରମେଶ ଓ ପୁଅ ଜଗନ୍ନାଥଙ୍କୁ ଜଙ୍ଗଲ ଭିତରକୁ ଏକ କୁକୁଡ଼ା ଫାର୍ମ କୁ ନେଇଥିଲେ। ସେଠାରେ ଶଙ୍କର ଓ ତାଙ୍କ ସାଥୀମାନେ ବାପ-ପୁଅଙ୍କୁ ମାଡ ମାରିଥିଲେ। ପରେ ରମେଶଙ୍କୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ଆଣି ବାପାଙ୍କୁ ନେଇଯିବାକୁ ଜଗନ୍ନାଥକୁ କହିବା ସହ ପୋଲିସ ରେ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଘଟଣା ସ୍ଥଳରୁ ଜଗନ୍ନାଥ ଓ ହାଡୁବନ୍ଧୁ ଘରକୁ ଫେରି ଆସିଥିଲେ । ଟଙ୍କା ପାଇଁ ଜଗନ୍ନାଥଙ୍କ ମା’ ଭାଇମାନଙ୍କୁ ଫୋନ୍‌ କରିଥିଲେ। ଫଳରେ ସମ୍ପର୍କୀୟ ମାନେ ଏନେଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ଜଣାଇଥିଲେ। ଏନେଇ ସେ ଭଞ୍ଜନଗର ଏସ୍‌ଡିପିଓଙ୍କୁ ଅବଗତ କରାଇବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହଯୋଗ ଲୋଡିଥିଲେ। ପରେ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଟଙ୍କାଦେବାକୁ ଘଟଣାସ୍ଥଳକୁ ଯାଇଥିଲେ। ଟଙ୍କା ଦେବାବେଳେ ପୋଲିସ ଚଢାଉ କରି ବାରୁଡା ଗ୍ରାମର ଆଲୋକ ସାହୁ ଓ ଶିବ ପ୍ରଧାନଙ୍କୁ କାବୁ କରିବା ସହ ଅପହୃତ ରମେଶ ସାହୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମାତ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ସମେତ ତାର ଅନ୍ୟ ୩ ସାଥି ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଏକ ବାଇକ, ଗୋଟିଏ ଛୁରୀ,ବୋମା ଓ ନଗଦ ୨୦୦୦ ଟଙ୍କା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଏ ନେଇ ଜଗନ୍ନାଥ ପ୍ରସାଦ ଥାନାରେ କେସ ନମ୍ବର ୧୦୪/୨୦ ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୌର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ