ଅପହୃତ ନାବାଳିକା ଆନ୍ଧ୍ରର କତ୍ତୁରୁ ଗ୍ରାମରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା କାଶୀନଗର ବ୍ଲକର ଚୁଡଙ୍ଗପୁର ଗ୍ରାମର ଜଣେ ନାବାଳିକା ଅପହୃତ ହୋଇଥିବାର କାଶୀନଗର ଥାନାରେ ମାମଲା ରୁଜୁ ହୋଇଥିଲା । ଏହାକୁ ଭିତ୍ତି କରି କାଶୀନଗର ଥାନାରେ ୫୫/୨୨ରେ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । କାଶୀନଗର ଥାନା ପୋଲିସ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରେତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଖୋଜାଖୋଜି କରାଯାଉଥିଲା । ଶେଷରେ ପଡୋଶୀ ରାଜ୍ୟ ଆନ୍ଧ୍ରର ନଲକ୍କାଜଡୁ ଗ୍ରାମର ଟି.ସୁରେଶ ନାବାଳିକାଙ୍କୁ ନେଇ କତ୍ତୁରୁ ଗ୍ରାମରେ ରଖିଥିବାର କୌଣସି ସୂତ୍ରରୁ ଖବର ପାଇ କାଶୀନଗର ପୋଲିସ ଉଦ୍ଧାର କରିଥିବା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।