ଅପାସୋରା ହୋଇ ରହିଯିବ ୩ ମେ’
ପୁରୀ (ଯୁଗାବ୍ଦ ନ୍ୟୁଜ୍): ଠିକ୍ ଏକମାସ ପୂର୍ବରୁ ଆଜିର ଦିନରେ ‘ଫନି’ ପୁରୀରେ ରଚିଥିଲା ମହାତାଣ୍ଡବ । ଯାହାକୁ ପୁରୀବାସୀ ମଲା ପର୍ୟ୍ୟନ୍ତ ଭୂଲିପାରିବେ ନାହିଁ । ତାହାକୁ ଆଜିକୁ ପୁରିଛି ଏକମାସ । ଆଜି ଜୁନ୍ ୩ ତାରିଖ ମଙ୍ଗଳବାର, ଗତମାସ ୩ ତାରିଖ ଶୁକ୍ରବାର ଥିଲା ପୁରୀ ପାଇଁ ଅଭିଶପ୍ତ ବାର । ଶୁକ୍ରବାର ସକାଳ ସାଢ଼େ ୮ରୁ ଆରମ୍ଭ ହୋଇ ସାଢେ ୧୨ ପର୍ୟ୍ୟନ୍ତ ଫାନି ନିଜ ଅକ୍ତିଆରକୁ ନେଇଯାଇଥିଲା ପୁରୀ ସହର ସମେତ ସମଗ୍ର ଜିଳ୍ଲାକୁ । କେହି କିଛି ଜାଣିବା ପୂର୍ବରୁ ଆରମ୍ଭ ହୋଇଥିଲା ସୁ ସୁ ଗର୍ଜନ । ଏହି ଗର୍ଜନ ଶୁଣି ସମସ୍ତେ ଜୀବନ ବିକଳରେ ଘରକୁ ଦୌଡିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ଫାନିର ତାଣ୍ଡବ । ସମୁଦ୍ରକୂଳରୁ ସୁ ସୁ ଗର୍ଜନ ଛାଡି ଲୁଣିପାଣି ଓ ବାଲିକୁ ଉଡ଼ାଇ ଆଣି ମାଡ଼ କରିଥିଲା ସହରବାସୀଙ୍କୁ । ପରେ ତାଣ୍ଡବ ଏତେ ଭୟଙ୍କର ହୋଇଥିଲା ଯେ, ମାତ୍ର ୪ ଘଣ୍ଟା ଭିତରେ ଛାରଖାର କରିଦେଲା ସମ୍ପୂର୍ଣ୍ଣ ଜିଲ୍ଲାକୁ । ଲକ୍ଷ ଲକ୍ଷ ଗଛ ଉପୁଡି ପଡ଼ିବାସହ ଅନେକ ଜୀବଜନ୍ତୁ ମୁତ୍ୟୁବରଣ କଲେ । ମାତ୍ର ପୂର୍ବ ସୂଚନା ଅନୁସାରେ ଚଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ମଣିଷଙ୍କ ମୃତ୍ୟୁ ସଂଖ୍ୟା ୨୫ରେ ସୀମିତ ରହିଥିଲା । ହେଲେ ଏହାକୁ ରୋକିବାକୁ କାହାରି ନିକଟରେ ଶକ୍ତି ନଥିଲା । ସମସ୍ତେ ଏହି ଦୃଶ୍ୟ ଦେଖି ପାଲଟିଯାଇଥିଲେ ନିର୍ବାକ । ଅନ୍ୟପକ୍ଷରେ ପୁରୀର ବାଲୁଖଣ୍ଡରେ ବାତ୍ୟା ଫାନିର ପ୍ରଭାବ ପଡିବ ବୋଲି ଘୋଷଣା ହୋଇଥିଲେ ବି ସମସ୍ତଙ୍କର ଭରସା ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ହେଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ଗୁଣ୍ଡିଚାମନ୍ଦିର ମଧ୍ୟ ହୋଇଗଲା ଛାରଖାର । ଯାହାର ମରାମତି କାର୍ୟ୍ୟ ଆଜି ପର୍ୟ୍ୟନ୍ତ ଶେଷ ହୋଇନାହିଁ । ସେହିଦିନର ସେହି ୪ ଘଣ୍ଟାର ତାଣ୍ଡବରେ ବେସାହାରା ହୋଇଗଲେ ଲକ୍ଷ ଲକ୍ଷ ଲୋକ । ହେଲେ ଘଟଣା ଘଟିବାର ଏକମାସ ବିତିଯାଇଥିଲେ ସୁଧା ବିପନ୍ନମାନେ ଫେରିନାହାନ୍ତି ତାଙ୍କର ଭିଟାମାଟିକୁ । ସେହିଦିନର ସେହି ଦୃଶ୍ୟ ମନେପଡିଲେ ରୁମ ଟାଙ୍କୁରି ଉଠୁଛି । ବାତ୍ୟା ଚାଲିଯାଇଛି ସତ ହେଲେ ସେହି ମେ ୩ ୨୦୧୯କୁ ମୃତ୍ୟୁ ପର୍ୟ୍ୟନ୍ତ ଭୁଲିପାରିବେ ନାହିଁ ପୁରୀବାସୀ । ତେଣୁ ସେହି ଦିନର ଘଟଣାକୁ ନେଇ କେତେଜଣ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଅନୁଭୁତିକୁ ତଳେ ଉପସ୍ଥାପନ କରାଯାଇଛି ।
୫୦ବର୍ଷ ଭିତରେ ଏପରି ବାତ୍ୟା ଦେଖିନଥିଲୁ ମୋର ବୟସ ୫୦ ଛୁଇଁଲାଣି, ଏଭଳି ବାତ୍ୟା କେବେ ଦେଖିନଥିଲି । ୧୯୯୯ ମହାବାତ୍ୟାରେ ପୁରୀରେ କିଛି ପ୍ରଭାବ ପଡିନଥିଲା । ହେଲେ ଗତ କିଛି ବର୍ଷ ତଳେ ବାତ୍ୟା ଦେଖିଛୁ ହେଲେ ଏପରି ବାତ୍ୟା ଦେଖିନଥିଲୁ । ସକାଳେ ନିତ୍ୟକର୍ମ ସାରି ଘରୁ ଦୋକାନକୁ ଯାଉଥିଲୁ ହେଲେ ଅଧାବାଟରେ ଆରମ୍ଭ ହେଲା ପବନ । ସେହି ପବନର ମାଡ଼ ଏତେ ଜୋର୍ ଥିଲା ଯେ ମୋ ଗାଡ଼ିକୁ ରାସ୍ତାରେ ବୁଲାଇଦେଲା । ପରେ ବାଲି ଓ ଲୁଣି ପାଣି ଆସି ଦେହରେ ମାଡ଼ ହେଉଥାଏ । ଠିକ୍ ସେହି ସମୟରେ ସମୁଦ୍ର ବେଳାଭୂମି ଆଡୁ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ । ସେହି ପବନରେ ଘରର ଆଜ୍ବେଷ୍ଟସ୍, ଗଛ, କ୍ୟାବିନ୍ ଉଡାଇ ଆଣୁଥିବା ଦେଖି ମୁଁ ଭୟରେ ଗାଡି ସହିତ ଜଣଙ୍କୁ ଘରକୁ ପଳାଇଲି । ସେହି ସମୟରେ ମୁଁ ଯାହାଙ୍କ ଘରେ ଆଶ୍ରୟ ନେଇଥାଏ ତାଙ୍କର ଛାତ ଘର ହୋଇଥିଲେ ସୁଧା କବାଟ ଓ ଝରକାକୁ ପବନ ଭାଙ୍ଗିଦେଲା । ପବନ ସହିତ ମଧ୍ୟ ବାଲି ଓ ବର୍ଷା ପାଣି ଘରେ ଗଦା ହୋଇଥିଲା । ଆକାଶ ସମେତ ରାସ୍ତାଘାଟ ପାଲଟିଗଲା ଅନ୍ଧାରମୟ । ୪ ଘଣ୍ଟାର ତାଣ୍ଡବ କମିଲା ପରେ ବାହାରକୁ ବାହାରିଲା ବେଳକୁ ଶ୍ରୀହୀନ ହୋଇପଡିଛି ପୁରୀ ବାଲୁଖଣ୍ଡ । ବିରାଟ ବିରାଟ ଗଛ ଭାଙ୍ଗି ରାସ୍ତାରେ ପଡିଛି । ବିଦ୍ୟୁତ୍ ଖୁଣ୍ଟ, ଘର ଆଜ୍ବେଷ୍ଟସ୍ ସହ ଅନେକ ଜିନିଷ ଉଡ଼ି ରାସ୍ତାରେ ପଡିଛି । ରାସ୍ତା ସମ୍ପୂର୍ଣ୍ଣ ବନ୍ଦ । ଶେଷରେ ଚାଲିକରି ମୁଁ ଘରକୁ ଗଲି । ଘରେ ପହଞ୍ଚିଲା ବେଳକୁ ବହୁତ ସମୟ ଲାଗିଥିଲା । ହେଲେ ଗାଁ ମଧ୍ୟ ଶ୍ରୀହୀନ ହୋଇପଡିଥିଲା । ଏହି ବାତ୍ୟା ଅନୁଭୂତି ମୃତ୍ୟୁ ପର୍ୟ୍ୟନ୍ତ ମନେରହିବ । ସୁକାନ୍ତ ମାଳ, ପୁରୀ
ମହାପ୍ରଭୁଙ୍କ କ୍ଷେତ୍ରରେ ଏପରି ହେବ ବୋଲି ବିଶ୍ୱାସ ନଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଏଭଳି ଘଟଣା କେବେ ଘଟିନଥିଲା । ୧୯୯୯ ମହାବାତ୍ୟାର ପ୍ରଭାବ ପୁରୀରେ ସହରରେ ପଡ଼ିନଥିଲା । ତେଣୁ ଚଳିତ ବାତ୍ୟା ଫାନି ପୁରୀରେ ସ୍ଥଳଭାଗ ଛୁଇଁବ ବୋଲି ଘୋଷଣା କରିଥିଲା ପାଣିପାଗ ବିଭାଗ । ହେଲେ ଏହାକୁ କେହି ବିଶ୍ୱାସ କରିପାରିନଥିଲେ । ତେଣୁ ମହାପ୍ରଭୁ ଅଛନ୍ତି, ବାତ୍ୟା ଅନ୍ୟ ଆଡେ ବୁଲିଯିବ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । ହେଲେ ଘଟଣା ଦିନ ସକାଳ ସାଢେ ୮ଟାରୁ ଆରମ୍ଭ ହୋଇଗଲା ବାତ୍ୟା । ବାତ୍ୟା ପ୍ରକୋପରେ ଏତେ ଜୋରରେ ପବନ ବୋହିବା ଦେଖିନଥିଲୁ । ବଡ଼ଦାଣ୍ଡରେ ଥିବା ପୁଲିସ ପୋଷ୍ଟଠାରୁ ଆରମ୍ଭ କରି ଅନେକ ବ୍ୟବସାୟୀ ଅନୁଷ୍ଠାନକୁ ଉଡାଇ ଆଣି ରାସ୍ତାରେ ଫିଙ୍ଗିଦେଲା । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେଲା । ଯେତେବେଳେ ମହାପ୍ରଭୁଙ୍କ ନିକଟରେ ବାତ୍ୟାର ପ୍ରକୋପ ପଡିଛି ସେତେବେଳେ ସାଧାରଣ ମଣିଷ କ’ଣ କରିପାରିବ । ପୁରୀରେ ଏଭଳି ଘଟଣା ପ୍ରଥମ । କେବେ ବାତ୍ୟା ହେବ ବୋଲି ବିଶ୍ୱାସ ନଥିଲା । ଏହି ବାତ୍ୟାରେ ପୁରୀ ସହର ସମେତ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ମଧ୍ୟରେ ଆଜକୁ ଏକମାସ ବିତିଥିଲେ ବି ଲୋକେ ବିଜୁଳି ପାଇପାରିନାହାନ୍ତି । ଅନେକ ଲୋକ ମଧ୍ୟ ନିଜ ଘରକୁ ଫେରିନାହାନ୍ତି । ତେବେ କେବେ ସେହି ମହାପ୍ରଭୁ ଏହାକୁ ଠିକ୍ କରୁଛନ୍ତି କେବଳ ତାଙ୍କୁ ଜଣା । ଶ୍ରୀଜଗନ୍ନାଥଙ୍କ ଧାମରେ ଏପରି ଘଟଣା ଘଟିବ ବୋଲି କାହାର ବିଶ୍ୱାସ ନଥିଲା । ଲଲାଟେନ୍ଦୁ ମିଶ୍ର, ସମାଜସେବୀ, ପୁରୀ ମହାପ୍ରଭୁ ମୋ ପରିବାରକୁ ବଞ୍ଚାଇଦେଲେ ପୁରୀରେ ବାତ୍ୟା ହେବ ବୋଲି ଖବରକାଗଜ ଓ ଟିଭିରୁ ଜାଣିଥିଲୁ । ହେଲେ ପୁରୀରେ ଏତେ ପ୍ରଭାବ ପଡିବ ବୋଲି ବିଶ୍ୱାସ ନଥିଲା । କାରଣ ମହାପ୍ରଭୁଙ୍କ ଶଙ୍ଖ କ୍ଷେତ୍ରକୁ କେବେ ବିପଦ ଆସେନାହିଁ । କାରଣ ଏହା ପୂର୍ବରୁ ଅନେକ କିମ୍ବଦନ୍ତୀ ରହିଛି । ହେଲେ ଉକ୍ତ ଦିନ ଏହାକୁ ବିଶ୍ୱାସ ନକରି ସକାଳୁ ଉଠି ମୋ ନିତ୍ୟକର୍ମ ସାରି ମୋର ବ୍ୟବସାୟ ଅଭିମୁଖେ ବାହାରିଥିଲି । ହେଲେ ଘରୁ ସାଇକେଲ ବାହାର କଲାବେଳକୁ ପବନ ଆରମ୍ଭ ହେଲା । ଏତେ ଜୋର୍ରେ ପବନ ଆସିଲା ଯେ ସାଇକେଲକୁ ମୋଠାରୁ ଛଡ଼ାଇ ନେଇ ରାସ୍ତାରେ ଫିଙ୍ଗିଦେଲା । ପରେ ସମୁଦ୍ରକୂଳ ଆଡୁ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ ସହ ବାଲି ଓ ପାଣି । ଏତେ ଜୋର୍ରେ ପବନ ହେଲା ଯେ ଆମ୍ଭ ବସ୍ତିରେ ଥିବା ୫୦୦ ଘରର ଚାଳଛପର ଉଡାଇନେଲା । ସମସ୍ତେ ବାହାରକୁ ବାହାରି ନିଜ ନିଜର ଘରକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିଲା ବେଳେ ପବନ ପୁଣି ଆସି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଲା ବସ୍ତିକୁ । ଏପରି ଭୟଙ୍କର ପବନକୁ ଦେଖି ଜୀବନ ବଞ୍ଚାଇବା ପାଇଁ ସମସ୍ତେ ନିକଟସ୍ଥ ଛାତଘରକୁ ଦୌଡ଼ିବାକୁ ଲାଗିଲେ । ହେଲେ ମୋର ୪ ପରିବାର ମଧ୍ୟରେ ୧ବର୍ଷର ପୁଅ ରହିଛି । ସେ ବର୍ଷାରେ ସମ୍ପୂର୍ଣ୍ଣ ଭିଜିଯାଇଥିଲା । ହେଲେ ମୋ ଘର ପାଖାପାଖି ଛାତ ଘର ନଥିବାରୁ ପବନରେ କିପରି ଯିବି ବୋଲି ଚିନ୍ତା କରୁଥାଏ । ସେହି ବର୍ଷା ଓ ପବନରେ ପୁଅକୁ କୋଳରେ ଧରି ବସିଥାଏ । ହେଲେ ସେହି ସମୟରେ ଆମ ସାହିର ଅନ୍ୟ ଜଣେ ଲୋକ ଆସି ମୋ ପୁଅକୁ ମୋ ଠାରୁ ନେଇ ଦୂରରେ ଥିବା ଏକ ଛାତ ଘରକୁ ଚାଲିଗଲା । ତାଙ୍କ ପଛେ ପଛେ ଆମ୍ଭେ ଦୌଡିଲୁ । ହେଲେ ରାସ୍ତାରେ ଗଛ ପଡି ରାସ୍ତା ବନ୍ଦ ହୋଇଥିଲା । କେବଳ ଭଗବାନ ରକ୍ଷା କର ରକ୍ଷା କର ବୋଲି କହି ସେହି ଛାତ ଘରେ ପହଞ୍ଚି ଯାଇଥିଲୁ । ସେହି ବିପଦରୁ ମହାପ୍ରଭୁ ବଞ୍ଚାଇ ଦେଲେ ମୋ ପରିବାରକୁ । ମହାପ୍ରଭୁ ନିଜେ କାହା ରୂପରେ ଆସି ରକ୍ଷା କଲେ । ନଚେତ୍ ସେହିଦିନ ମୋ ପରିବାର ଅବସ୍ଥା କ”ଣ ହୋଇଥାନ୍ତା ତାହା ଜଣାନଥିଲା । ମୃତ୍ୟୁ ପର୍ୟ୍ୟନ୍ତ ବାତ୍ୟା ଦିନର ଘଟଣା ଭୁଲିପାରିବି ନାହିଁ ।


