ଅଫିସ ପାଇଁ ଶୀର୍ଷରେ ବାଙ୍ଗାଲୋର୍: ରିପୋର୍ଟ
ନୂଆଦିଲ୍ଲ : ଭାରତର ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ କନସଲଟିଂ ସଂସ୍ଥା ସିବିଆର୍ଇ ସାଉଥ୍ ଏସିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ରିଅଲ୍ ଇଷ୍ଟେଟ୍ ମାର୍କେଟ ଆଉଟ୍ଲୁକ୍ ୨୦୧୯ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସମଗ୍ର ଏସିଆରେ ଅଫିସ ସ୍ଥାନ ପାଇଁ ବାଙ୍ଗାଲୋର ଶୀର୍ଷ ସ୍ଥାନରେ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ୨୦୧୮ରେ ୪୭ ନିୟୁତ ବର୍ଗଫୁଟ ଅଫିସ ସ୍ଥାନ ପାଇଁ ଚାହିଦା ସୃଷ୍ଟି ହୋଇଥିଲା । ବାଙ୍ଗାଲୋର, ଦିଲ୍ଲୀ-ଏନ୍ସିଆର୍ ଓ ହାଇଦ୍ରାବାଦରେ ଚହିଦା ସବୁଠୁ ଅଧିକ ରହିଥିଲା । ୨୦୧୯ରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ଅଂଶୁମାନ ମାଗାଜିନ, ଅଧ୍ୟକ୍ଷ ଓ ସିଇଓ-ଭାରତ, ଦକ୍ଷିଣ ଏସିଆ, ମଧ୍ୟ ପ୍ରାଚ୍ୟ ଏବଂ ଆଫ୍ରିକା କହିଛନ୍ତି ଯେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଇକ୍ୱିଟି ବଜାରରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ ନିବେଶ ଆଗମନ ହୋଇଛି । ଫଳରେ ଭାରତ ବ୍ୟବସାୟ ପାଇଁ ଏକ ଆକର୍ଷଣୀୟ ସ୍ଥାନ ପାଲଟିପାରିଛି । ୨୦୧୯ରେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବିଭିନ୍ନ କାରଣ ଯୋଗୁଁ ବୃଦ୍ଧି ଦେଖାଦେବ । ସେଗୁଡ଼ିକ ହେଉଛି ପ୍ରଯୁକ୍ତି, ଚାହିଦା-ଯୋଗାଣ, ସହଜ ବ୍ୟବସାୟ ବାତାବରଣ ମାନ୍ୟତାରେ ଉନ୍ନତି ଏବଂ ଜିଏସ୍ଟି ଓ ରେରା କାର୍ଯ୍ୟକାରିତାର ସକାରାତ୍ମକ ପ୍ରଭାବ । ତେବ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଆଶା ରଖାଯାଇଛି । ଏହା ଦ୍ୱାରା ୨୦୧୯ରେ ନୂଆ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ୨୦୦ ନିୟୁତ ବର୍ଗଫୁଟ ସ୍ଥାନ ସାମିଲ ହେବାର ସମ୍ଭାବନା ରହିଥିବା ସେ ଉଲ୍ଲେଖ କରିଛନ୍ତି । କାର୍ଯ୍ୟାଳୟ, ଖୁଚୁରା, ଆବାସିକ ଏବଂ ଲଜିଷ୍ଟିକ କ୍ଷେତ୍ରରେ ଏହି ସବୁ ସୁଯୋଗ ସୃଷ୍ଟି ହେବ । ରିପୋର୍ଟରେ କୁହାଯାଇଛି ଯେ କୃତ୍ରିମ ବୁଦ୍ଧିମତା, ଅଗମେଣ୍ଟେଡ ରିଅଲିଟି, ଇଣ୍ଟରନେଟ ଅଫ ଥିଙ୍ଗ୍ସ, ରୋବୋଟିକ ପ୍ରୋସେସ ଅଟୋମେସନ ଏବଂ ବ୍ଲକଚେନ୍ ଭଳି ପ୍ରଯୁକ୍ତି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର କାର୍ଯ୍ୟ ପ୍ରଣାଳୀକୁ ବଦଳାଇ ଦେବ । ଲଜିଷ୍ଟିକ ଏବଂ ଖୁଚୁରା କ୍ଷେତ୍ରରେ ଅନେକ ସୁଯୋଗ ସୃ୍ଷ୍ଟି ହେବ । ଆବାସିକ କ୍ଷେତ୍ରରେ ପୁନରୁଦ୍ଧାର ଦେଖିବାକୁ ମିଳିବ । ନୂତନ ଯୋଗାଣରେ ୧୫% ଏବଂ ବିକ୍ରିରେ ୧୩% ବାର୍ଷିକ ଅଭିବୃଦ୍ଧି ୨୦୧୯ରେ ଦେଖିବାକୁ ମିଳିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଚାହିଦା ବଢିବ ଏବଂ କୋଲକାତା ଓ ପୁନେରେ ସ୍ଥିର ରହିବ ବୋଲି ଆକଳନ କରାଯାଇଛି ।