ଅବକାରୀ ଚଢାଉ ୫୦ କେଜି ଗଂଜେଇ ଜବତ, ୬ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୫୦ କେଜି ଗଂଜେଇ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ଚୋରା କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇଟି କାର ଓ ଗୋଟିଏ ମଟର ସାଇକେଲ ଜବତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ ତୁଡିପାଜୁପଟୁ ଫୁଲବାଣୀ ଆଡକୁ ଆସୁଥିବା ଏକ ମଟର ସାଇକେଲ(ନଂ ଓଡି ୧୨ ସି ୨୬୫୨)ରେ ଗଂଜେଇ ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ କର୍ମଚାରୀମାନେ ସ୍ଥାନୀୟ ପଟାବାଲି ସାହିରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡି ଡିକିରୁ ୫ କିଲୋ ଗଂଜେଇ ମିଳିଥିଲା। ବାଇକ ଚାଳକ ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତର ଗଣ୍ଡାପଡା ଗ୍ରାମର ସାମନ୍ତ ଚନ୍ଦ୍ର କମ୍ପ ଓ କାଶିନିପଦରର ଉଆଦୁର୍ଗା ଗ୍ରାମର ତନୁ କର୍ଣ୍ଣଙ୍କୁ ଗିରଫ କରାଯାଇଥିଲା। ସେହିପରି ଭୋର ସମୟରେ ଟିକାବାଲି ବ୍ଲକ କଇଁଝରଠାରେ ଚଢାଉ କରାଯାଇ ଏକି ସ୍କର୍ପିଓ(ନଂ ଓଆର ୦୨ ବିଭି ୫୫୧୫)ରୁ ୨୨ କିଲୋ ୫ ଗ୍ରାମ ଗଂଜେଇ ଜବତ କରାଯାଇଛି। ଗାଡିଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ତଦନ୍ତରୁ ଜଣାଯାଇଛି। ଏହି ମାମଲାରେ ଖଜୁରୀପଡା ବ୍ଲକ ପ୍ରେମଝରୀର ଟୁକୁନା ବେହେରା ଓ ଟିକାବାଲି ବ୍ଲକର ଜୋସେଫ ଦିଗାଲଙ୍କୁ ଗିରଫ କରାଯାଇଛି। ଅନ୍ୟ ଏକ କାରରେ ଗଂଜେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ପଡିଛି। ଏହି କାରକୁ ଫୁଲବାଣୀ- ଖଜୁରୀପଡା ରାସ୍ତାର ମେଗା ନର୍ସରୀ ଛକଠାରେ ଚଢାଉ କରି ଜବତ କରାଯାଇଛି। ଏହି ଘଟଣାରେ ଟିକାବାଲି ବ୍ଲକର ପିପୁଡିଡିହ ଗ୍ରାମର ସଚିନ ଦିଗାଲ ଓ ବାଦ୍ରୁଗୁଡା ଗ୍ରାମର ପାକାଲିନି ଦିଗାଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅବକାରି ବିଭାଗ ପକ୍ଷରୁ ତିନୋଟି କେସ ନଂ ୫୨/୨୧,୨୮/୨୧ ଓ ୩୮/୨୧ରେ ମାମଲା ରୁଜୁ କରାଯାଇଛି। ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଅଜୟ କୁମାର ବେହେରା,ଏସଆଇ ପ୍ରଦୀପ କୁମାର ରଥ,କନେଷ୍ଟବଲ ଅମରଜିତ ସାହୁ, ରାଧାକୃଷ୍ନ ସାହୁ, ଜ୍ଞାନ ପ୍ରକାଶ ସାହୁ, ସଂଜୟ ପାତ୍ର ଏହି ଚଢାଉରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ