ଅବକାରୀ ବିଭାଗକୁ କ୍ରିୟାଶୀଳ କରିବା ନିମନ୍ତେ ମଦ ଦୋକାନୀଙ୍କୁ ପୁରସ୍କୃତ କରିବା ପାଇଁ ଗୃହ କମିଟିର ସୁପାରିସ ଏକ ଲଜ୍ଜାକର ଓ ନିନ୍ଦନୀୟ ପ୍ରସ୍ତାବ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦ କୋଟି ଟଙ୍କା ଅବକାରୀ ବିଭାଗ ଉପରେ ଦାୟିତ୍ୱ ଦିଆଯିବାର ପ୍ରସ୍ତାବ ଆଗତ କରିଛନ୍ତି ଗୃହ କମିଟି । ଗୃହ କମିଟିରେ ସଭ୍ୟ ଥିôବା ୧୧ଜଣ ମାନ୍ୟବର ବିଧାୟକ ସଦସ୍ୟ ଅଛନ୍ତି । ଏଥିରେ ଖାଲି ସରକାରଙ୍କୁ ଦୋଷ ଦେଇ ଲାଭ ନାହିଁ । କାରଣ ଏହି କମିଟିରେ ସବୁଦଳର ପୁରୁଣା ନେତାମାନେ ଅଛନ୍ତି । ସିଧା ଭାଷାରେ ମୂଳ ଦୁଇଟି ପ୍ରସ୍ତାବ ହେଲା, ‘ସ୍ୱାକୃତିପ୍ରାପ୍ତ ମଦ ବ୍ୟବସାୟୀ ଯେତେ ମଦ ବିକ୍ରି କରିବେ, ସରକାର ସେମାନଙ୍କୁ ପ୍ରୋତ୍ସାହନ କରି ପୁରସ୍କାର ଦେବେ ।’ ୨ୟଟି ହେଲା – ‘ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୦ଟି ‘ଆଦର୍ଶ ଅବକାରୀ ଥାନା’ ପ୍ରତିଷ୍ଠା କରିବେ ।’ ଏହା ଏକ ଅଦ୍ଭୁତ ପ୍ରସ୍ତାବ । ଗୋଟାଏ ପଟରେ କିଏ କେଉଁ ବାଟରେ ବେଶୀ ମଦ ବିକ୍ରୟ କରିବେ ତ ଅନ୍ୟପଟରେ ‘ଆଦର୍ଶ ଅବକାରୀ ଥାନା’ ପ୍ରତିଷ୍ଠା କରି ଅଣସ୍ୱୀକୃତିପ୍ରାପ୍ତ ମଦ ବ୍ୟବସାୟୀଙ୍କୁ ଥାନା ବାଲା ଧରିବେ ଏବଂ ଏଥିରେ ଅତି ସୁନ୍ଦର ଶବ୍ଦ ଯୋଡ଼ା ହୋଇଛି -‘ଆଦର୍ଶ ଅବକାରୀ ଥାନା’ । ଏହାର ମାନେ ହେଲା, ଏପର୍ଯ୍ୟନ୍ତ ଅବକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ‘ଆଦର୍ଶବାନ୍ ନୁହଁନ୍ତି! ଶେଷରେ ମଦ ଦୋକାନୀକୁ ପୁରସ୍କୃତ କରିବା ହେଲା, ସରକାରଙ୍କଠାରେ ଆଉ କାହାକୁ ପୁରସ୍କୃତ କରିବା ପାଇଁ ସଂସ୍ଥା ମିଳୁ ନାହାନ୍ତି । ରାଜ୍ୟରେ ବହୁତ ସଂସ୍ଥା ‘ନିଶାନିବାରଣ’ ଉପରେ କାର୍ଯ୍ୟରତ ଓ ଏଥିମଧ୍ୟରୁ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’ ଏକ ଅଗ୍ରଣୀ ସଂସ୍ଥା ଭାବରେ ପରିଗଣିତ ହେଉଛି । ସରକାର ବା ଗୃହ କମିଟି ସମାଜରୁ ନିଶା ହଟାଉଥିବା ବା ନିଶା ବିରୋଧରେ ଲୋକଙ୍କ ମନରେ ସଚେତନତା ଆଣିବାରେ ଯେଉଁ ସଂସ୍ଥାମାନେ ଚେଷ୍ଟା କରୁଛନ୍ତି; ସେମାନଙ୍କୁ ପୁରସ୍କୃତ କରନ୍ତୁ । କାରଣ, ସରକାର କେବେହେଲେ ରାଜ୍ୟରୁ ନିଶାକୁ ହଟେଇ ପାରିବେ ନାହିଁ । ତାହା କେବଳ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’ ଭଳି କାର୍ଯ୍ୟ କରୁଥିôବା ସଂସ୍ଥା ଏହି କାର୍ଯ୍ୟଟି କରିପାରିବେ । ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’ ବାଲେଶ୍ୱର ଶାଖା ଗୃହ କମିଟିର ଏହି ସୁପାରିସ ପ୍ରସ୍ତାବକୁ ନିନ୍ଦା କରୁଛି ଏବଂ ସରକାରଙ୍କୁ ଅନୁରୋଧ ଜଣାଉଛି – ଅତିଶୀଘ୍ର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଏହାଦ୍ୱାରା ରାଜ୍ୟକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରି ଯୁବପିଢ଼ିଙ୍କୁ ନିଶା ରାକ୍ଷସ କବଳରୁ ଉଦ୍ଧାର କରନ୍ତୁ । ଏହା ହୋଇପାରିଲେ ଆମ ରାଜ୍ୟ ହସିଲେ, ଦେଶ ହସିବ । ଏଥିସହ ଆମ ମାତୃଭୂମି ଓ ମାତୃଜାତି ହସି ଉଠିବ । ମୋନା, ବାଲେଶ୍ୱର ଶାଖାର ଏକ ବିଶେଷ ବୈଠକରେ ଆଇନଜୀବି ପ୍ରଭାକର ସାହୁ, ସଭାପତି,ମମତା ମହାପାତ୍ର,ସାଧାରଣ ସଂପାଦିକା,ସୁବ୍ରତ କର, ଉପଦେଷ୍ଟା, ଡ. କ୍ଷିତୀଶ୍ୱର ଦାଶ, କୋଶାଧ୍ୟକ୍ଷ, ଡ. କେଶବ ଚରଣ ପଣ୍ଡା ଓ କୁମୁନ୍ଦ ରଞ୍ଜନ ଗିରି,ଉପସଭାପତି, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ ଦାସ, ଗୀତାଞ୍ଜଳି ସିଂହ, ହେମଲତା ଦାସ, ଅକ୍ଷୟ ତ୍ରିପାଠୀ, କମଳାକାନ୍ତ ଦାଶ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସୀତାନାଥ ଦାସ, ଯୋଗେଶ ପ୍ରଧାନ, ସୁକାନ୍ତି ଦେବଗୋସ୍ୱାମୀ ଏବଂ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।