ଅବଧି ଶେଷ ପରେବି ଦାୟିତ୍ୱ ହସ୍ତାନ୍ତର କରୁନି ଶିଶୁମଙ୍ଗଳ ସମିତି

କେନ୍ଦ୍ରାପଡ଼ା, (ଦେବଦତ୍ତ ମହାରଣା):ଶିଶୁମାନଙ୍କ ଅଧିକାର, ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସରକାର ଗୋଟିଏ ଗୋଟିଏ ଶିଶୁ ମଙ୍ଗଳ ସମିତି ଗଠନ କରିଛନ୍ତି । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୪ଜଣ ସଦସ୍ୟଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ସମିତି ସେହି ଜିଲ୍ଲାରେ ଆବଶ୍ୟକ କରୁଥିବା ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଓ ଅଧିକାର ରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହ ସେହି ଶିଶୁମାନଙ୍କୁ ଯତ୍ନ, ସୁରକ୍ଷା, ଚିକିତ୍ସା, ବିକାଶ ଓ ପୁନଃ ଥଇଥାନ ପାଇଁ କାର୍ଯ୍ୟ କରିବେ । କିନ୍ତୁ ସରକାରଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ଅବଧି ଏହାମଧ୍ୟରେ ଶେଷ ହୋଇଯାଇଥିଲେ ମଧ୍ୟ ସେମାନେ ନବ ନିଯୁକ୍ତ ସମିତିକୁ ଦାୟୀତ୍ୱ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ନୁହନ୍ତି । କିନ୍ତୁ କ’ଣ ପାଇଁ ଅବଧି ଶେଷ ପରେବି ସରକାରଙ୍କ ମହିଳା ଶିଶୁବିକାଶ ବିଭାଗ ଦ୍ୱାରା ନବ ଗଠିତ ନୂତନ ଶିଶୁମଙ୍ଗଳ ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଗତ ତା ୧୧.୦୭.୨୦୧୮ରିଖରେ ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା – ୧୧୭୫୫ରେ କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ସ୍ମିତାଞ୍ଜଳି ମହାପାତ୍ର, ଲଳିତାଞ୍ଜଳି ଦାସ, ନରୋତ୍ତମ ପଟ୍ଟନାୟକ ଓ କିଶୋର କୁମାର ସ୍ୱାଇଁଙ୍କୁ ନେଇ ଏକ ଶିଶୁ ମଙ୍ଗଳ ସମିତି ଗଠନ କରାଯାଇଥିଲା । ସମିତିର ଅଧ୍ୟକ୍ଷ ଭାବରେ କାହାରିକୁ ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ୨୦୧୮ମସିହାରୁ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ସଂଖ୍ୟା – ୩୮୨୭ ତା ୨.୦୩.୨୦୨୦ରିଖରେ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭାବରେ ଭଗବତି ପ୍ରସାଦ ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହିତ ଗତ ୧୧.୦୭.୨୦୧୮ରିଖରେ ନିଯୁକ୍ତ ୪ଜଣ ସଦସ୍ୟଙ୍କୁ ଏହି ସମିତିର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏହାପରେ ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର ନୂତନ ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଦେଇଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଏହି ସମିତିର କାର୍ଯ୍ୟକାଳ ୩ବର୍ଷ ହୋଇଥିବା ବେଳେ ୩ବର୍ଷ ପୁରଣ ପରେବି ଏହି ସମିତି ନୂତନ ଶିଶୁ ମଙ୍ଗଳ ସମିତିକୁ ଦାୟୀତ୍ୱ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି । ପ୍ରଥମତଃ ୨୦୧୮ମସିହାରେ ନିଯୁକ୍ତ ସମିତିର କାର୍ଯ୍ୟକାଳ ୨୦୨୧ମସିହାରେ ଶେଷ ହେଉଥିବା ବେଳେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ଶିଶୁ ମଙ୍ଗଳ ସମିତି ଗଠନ ହୋଇପାରିନଥିଲା । ପରେ ୨୦୨୨ମସିହାରେ ନୂତନ ସମିତି ଗଠନ ପାଇଁ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯିବା ପରେ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସ ତାଙ୍କ କାର୍ଯ୍ୟକାଳ ୩ବର୍ଷ ପୁରଣ ହୋଇନଥିବା ଦର୍ଶାଇ ଓଡିଶା ହାଇକୋର୍ଟରେ ୨୦୨୨ମସିହାରେ ଡବ୍ଲୁପିସି ନଂ- ୨୧୩୦୭ରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ତା ୨୬.୦୮.୨୦୨୨ରିଖରେ ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦେଶ ଦେଇଥିଲେ ଯେ ଯଦି ନୂତନ ସମିତି ଗଠନ ପାଇଁ କୈାଣସି ବିଜ୍ଞପ୍ତି ପ୍ରକାଶ ପାଇଥାଏ ତେବେ ତାହା ଚାଲୁରହିବ କିନ୍ତୁ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ କୈାଣସି ନୂତନ ନିଯୁକ୍ତି ପ୍ରଦାନ କରାଯାଇପାରିବ ନାହିଁ । ଏହାପରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସମେତ ସମସ୍ତ ସଦସ୍ୟଙ୍କର କାର୍ଯ୍ୟକାଳ ଅବଧି ଏହା ମଧ୍ୟରେ ଗତ ୧ତାରିଖରେ ଶେଷ ହୋଇଯାଇଥିବା ବେଳେ ନୂତନ ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଉନାହିଁ । ଏସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଗତ ତା ୨୭.୨.୨୦୨୩ରିଖରେ ପତ୍ର ସଂଖ୍ୟା – ୫୨ରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ପତ୍ର ଲେଖି ଏଭଳି ପରିସ୍ଥିତିରେ କଣ କରାଯିବ ବୋଲି ସ୍ପଟିକରଣ ମାଗିଥିବା ସୂଚନା ଦେଇଛନ୍ତି । ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୈାଣସି ସ୍ପଟିକରଣ ମିଳିନଥିବା ଶ୍ରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ