ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ଇପିଏଫ ପେନସନରୁ ବଞ୍ଚିତ ହୋଇଥିବା ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ କର୍ମଚାରୀ ହକ ପାଇଁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଅବସର ନେଇଥିବା କର୍ମଚାରୀ ଏବଂ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଇପିଏଫ ପେନସନ ସଂସ୍ଥାରୁ ପେନସନ ଓ ଅବସରକଳୀନ ଗ୍ରାଚ୍ୟୁଇଟି ଦାବିକରି ପୂର୍ତ୍ତ ବିଭାଗ ଡିଭିଜନ-୧ ଅଫିସ ସମ୍ମୁଖରେ ମଙ୍ଗଳବାର ଗଣଧାରଣାରେ ବସିଛନ୍ତି । ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁନଥିବାରୁ ଇପିଏଫ ସଂସ୍ଥା ଏହି କର୍ମଚାରୀଙ୍କୁ ପେନସନ ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଡିଏଲଆର, ୱାର୍କଚାର୍ଯ ଓ ରେଗୁଲାର କାର୍ଯ୍ୟକାଳର ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉନାହିଁ ବୋଲି ସେମାନେ ଆପତ୍ତି ଉଠାଇଛନ୍ତି । ଡିଭିଜନ କର୍ତ୍ତୃପକ୍ଷଙ୍କୁ ବହୁ ଆବେଦନ ଓ ନିବେଦନ ପରେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଇନଗତ ପ୍ରାପ୍ୟ ପ୍ରଦାନରେ ଚରମ ଅବହେଳା କରାଯାଉଥିବାରୁ ସେମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଇତିମଧ୍ୟରେ କେତେକ କର୍ମଚାରୀ ଆର୍ଥିକ ଅନାଟନ ଓ ଚିକିତ୍ସା ନପାଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଏପରିକି ମୃତ କର୍ମଚାରୀମାନଙ୍କ ବିଧବା ପତ୍ନୀମାନେ ମୃତ ସ୍ୱାମୀଙ୍କ ଫଟୋଚିତ୍ର ରଖି ଆଜି ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଆଇନଗତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ବରିଷ୍ଠ କର୍ମଚାରୀମାନଙ୍କ ଆଇନଗତ ଦାବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ ଜଣାଇ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦାମୋଦର ନାୟକ,ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଇପିଏଫ ପେନସନର୍ସ ଆସୋସିଏସନର ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି, ସମାଜସେବୀ ସୁଦର୍ଶନ ଜେନା ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱରରେ ନଥିବାରୁ ତାଙ୍କ ସହ ସାକ୍ଷାତ କିମ୍ବା ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ଧାରଣାରେ ବସିଥିବା କର୍ମଚାରୀମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ