ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :ସମାଜରେ ଶିକ୍ଷାର ବିକାଶ ପାଇଁ ଜଣେ ଅବସରପ୍ରାପ୍ତ ଶିକ୍ଷକ ନିଜକୁ ଆଜୀବନ ସମର୍ପିତ କରିବା ଉଚିତ୍ । ଶିକ୍ଷାଦାନ କ୍ଷେତ୍ରରେ ନିଜର ପରିପକ୍ୱ ଅନୁଭୂତିକୁ ଆଜୀବନ ବାଣ୍ଟିପାରିଲେ ଜଣେ ଅବସରପ୍ରାପ୍ତ ଶିକ୍ଷକର ସ୍ୱାର୍ଥ ଓ ପରମାର୍ଥ ଉଭୟ ସାଧିତ ହୋଇଥାଏ । ଅବସର ପରବର୍ତ୍ତୀ ଜୀବନ ଶିକ୍ଷାର ବିକାଶ ପାଇଁ ନିୟୋଜିତ କରି ଜରେ ଶିକ୍ଷକ ଆତ୍ମସଂତୁଷ୍ଟି ଲାଭ କରିଥାଏ ବୋଲି ନୟାହାଟଠାରେ ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀ ଟୁନରମା ସ୍ୱାଇଁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତପୋଷଣ କରିଛନ୍ତି । ଶନିବାର ଗୋପ ବ୍ଲକ ଅନ୍ତର୍ଗତ ଶିଂଘପାନିଆଁ ନୋଡାଲ ଉପ୍ରା ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଟୁନରମା ସ୍ୱାଇଁଙ୍କୁ ଗୋପ ବ୍ଲକ୍ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ ସମନ୍ୱୟ ସମିତିର ସଭାପତି ଶିବଦତ୍ତ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗୋପ ବ୍ଲକର ପୂର୍ବତନ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀର ସବରେଜିଷ୍ଟ୍ରା ର ପ୍ରଭାତ କୁମାର ତରାଇ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିରୂପେ ମା’ ମଙ୍ଗଳା ଟ୍ରଷ୍ଟବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଦାଶ, କାକଟପୁରର ପୂର୍ବତନ ବିଇଓ ରବୀନ୍ଦ୍ର କୁମାର ଦାସ, ଅସ୍ତରଙ୍ଗର ଏବିଇଓ ମମତା ମଂଜରୀ ଦେଇ, ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୁରୀ ଜିଲ୍ଲା ସଭାପତି ସୁଶାନ୍ତ କୁମାର ନାୟକ, ସଂପାଦକ ଯୁବରାଜ ବିଶ୍ୱାଳ, ସତ୍ୟନାରାୟଣ ସାହୁ ଓ ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ଯୋଗଦେଇ ଛତ୍ରବତ୍ସଳ ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ଟୁନରମା ସ୍ୱାଇଁଙ୍କ ଗୁଣଗାନ କରିଥିଲେ । ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଟୁନରମାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ପ୍ରଦାନପୂର୍ବକ ସମର୍ଦ୍ଧିତ କରାଯାଇଥିଲା । ଏଥିସହ ଗୋପ ବ୍ଲକର ସେବାନିବୃତ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ପ୍ରଧାନ, ଗଂଗାଧର ସ୍ୱାଇଁ, ଶେଖ୍ ସିରାଜୁଦ୍ଦିନ, ଗୁରୁପ୍ରସାଦ ମହାନ୍ତି, ସଂପଦ ମିଶ୍ର, ବାଙ୍କବିହାରୀ ନାୟକ, ଅଜୟ ପାଢୀ, ବନଲତା ନାୟକ, ପାର୍ବତୀ କାଣ୍ଡି, ସୌଦାମିନୀ ଦେଇ, ମଂଜୁଲତା ଦେଇ ଓ ଅସ୍ତରଙ୍ଗ ଏବିଇଓ ମମତା ମଂଜରୀ ଦେଇଙ୍କୁ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସରୋଜ କୁମାର ମିଶ୍ର ସଭାକୁ ସଂଯୋଜନା କରିଥିଲେ । ଶିକ୍ଷକ ସନାତନ ସେଠୀ, ସୁରଜିତ୍ ସାହୁ, ଶେଖ ମକସୁଦ, ବସନ୍ତ କୁମାର ମହାନ୍ତି, ନିରଂଜନ ସ୍ୱାଇଁ ଓ ଶିବନାରାୟଣ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


