ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଗଣଧାରଣା ୧୬ରେ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ବିଦ୍ୟୁତ ବୋର୍ଡ଼, ରିଲେୟାନ୍ସ୍ ଓ ନେସ୍କୋ ସଂସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟକରି ଅବସର ନେଇଥିବା ଶହ ଶହ କର୍ମଚାରୀଙ୍କୁ ବକେୟା ଅର୍ଥ ନ ମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବାଲିଆସ୍ଥିତ ପାୱାର ଏମ୍ପେ୍ଲାୟିଜ ୟୁନିୟନ ସଭାଗୃହରେ ଜଗଦୀଶ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବହୁ ବରିଷ୍ଠ ବିଦ୍ୟୁତ କର୍ମଚାରୀ ସେମାନଙ୍କ ଆଇନଗତ ପ୍ରାପ୍ୟ ନପାଇ ଦୁଃଖକଷ୍ଟରେ କାଳାତିପାତ କରୁଥିବାର ପ୍ରକାଶ କରିଥିଲେ । ୨୦୧୫-୧୬ ମସିହାରେ ବେତନ ସଂଶୋଧନ ବାବଦକୁ ୫୦ ଭାଗ ବକେୟା ଅର୍ଥ ଦିଆଯାଇନଥିବା ସେମାନେ କହିଥିଲେ । ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ପ୍ରାୟ ୫୦୦ ଅବସର କର୍ମଚାରୀ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ମୁଖ୍ୟଙ୍କୁ ଏହି ପ୍ରାପ୍ୟ ପାଇବା ପାଇଁ ଲିଖିତଭାବେ ଆବେଦନ କରିଥିଲେ । ଗତ ଅକ୍ଟୋବର ୨୫ ତାରିଖରେ କର୍ତ୍ତୃପକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ଏହି ଆଇନଗତ ପ୍ରାପ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଅଦ୍ୟାବଧି ଏ ବାବଦରେ ବିଲ ପ୍ରସ୍ତୁତ କରାଯାଉ ନାହିଁ କିମ୍ବା ଜଣେ ହେଲେ କର୍ମଚାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇନଥିବା ସଂପର୍କରେ ବୈଠକର ଆବାହକ ଭରତ ଚନ୍ଦ୍ର ସେଠୀ ଓ ଶଶାଙ୍କ ବେହେରା ସୂଚନା ଦେଇଥିଲେ । ଦୀର୍ଘ ଆଲୋଚନା ପରେ ଆସନ୍ତା ୧୬ ତାରିଖଠାରୁ ଅବସରପ୍ରାପ୍ତ କର୍ମଚାରୀମାନେ ରେମୁଣାସ୍ଥିତ ଟିପିଏନଓଡିଏଲର ମୁଖ୍ୟ ଦପ୍ତର ସମେତ ୫ଟି ଜିଲାରେ ଥିବା ୧୬ଟି ବିଦ୍ୟୁତ ଡିଭିଜନ ସମ୍ମୁଖରେ ଗଣଧାରଣା ଦେବାକୁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି । ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀଙ୍କ ଆଇନଗତ ଦାବି ଓ ଆଗାମୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପାୱାର ଏମ୍ପେ୍ଲାୟିଜ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ, ଉପ-ସଭାପତି ଅକ୍ଷୟ କୁମାର ଜେନା ଓ ୟୁନିୟନର ଉପଦେଷ୍ଟା ତଥା ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଦୃଢ଼ ସମର୍ଥନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ବ୍ରହ୍ମାନନ୍ଦ ଦାସ, କମଳଲୋଚନ ମଣ୍ଡଳ, ବିଷ୍ଣୁ ଦାସ, ଚୈତନ୍ୟ ଦ୍ୱିବେଦୀ ଓ ବୃନ୍ଦାବନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟତମ ଉପ-ସଭାପତି ଅକ୍ଷୟ କୁମାର ଜେନା ଧନ୍ୟବାଦ ଦେଇଥିଲେ ।