ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ବ୍ୟାଙ୍କ ଜାତୀୟକରଣ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ବାଲେଶ୍ୱର ଶାଖା ପକ୍ଷରୁ ବ୍ୟାଙ୍କ ଜାତୀୟକରଣ ଦିବସ ସୋମବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ଆକିନିଆସ୍ଥିତ ଆନନ୍ଦ ମାର୍ଗ ଆବାସିକ ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଉପେନ୍ଦ୍ର ନାରାୟଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ସମାଜସେବୀ ଡ. ଭାସ୍କର ଚନ୍ଦ୍ର ଜେନା, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଉପ-ସଭାପତି ଅମରନାଥ ସେଠୀ, ରହିମୋହନ ମଲିକ, ସମ୍ପାଦକ ଶରତ ଚନ୍ଦ୍ର ପଣ୍ଡା, ସାଂଗଠନିକ ସମ୍ପାଦକ ନିରଞ୍ଜନ ପଣ୍ଡା, ପ୍ରଫୁଲ୍ଲ ରାଉତ, ଉତ୍ତମ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବ୍ୟାଙ୍କ ଜାତୀୟକରଣ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ ।ଏଥି ସହିତ ସାମାଜର ଦୁଃସ୍ଥ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶେଷ କରି ଆନନ୍ଦମାର୍ଗ ବିଦ୍ୟାଳୟ ଭଳି ଆବାସିକ ସ୍କୁଲମାନଙ୍କରେ ପଢ଼ୁଥିବା ଅସହାୟ ଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବା ଓ ସେମାନଙ୍କ ସହ କିଛି ସମୟ ବିତାଇ ପାରିଲେ ପରିବାରଠାରୁ ଦୂରରେ ରହିବାର ଦୁଃଖ ସେମାନଙ୍କର ବହୁମାତ୍ରାରେ ଲାଘବ ହୋଇପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସଭା ପରେ ବିଦ୍ୟାଳୟ ପରିସରରେ ଫଳ ଓ ଔଷଧୀୟ ବୃକ୍ଷଚାରା ରୋପଣ କରାଯାଇଥିଲା । ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ।