ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଏକ ବୈଠକ ବଡବାରଙ୍ଗସ୍ଥିତ ସଂଘ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ସଂଘର ଉପ ସଭାପତି ଦୁର୍ଯ୍ୟୋଧନ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ଦିବଂଗତ ସଦସ୍ୟମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ ଅସୁସ୍ଥ ସଦସ୍ୟ ଉମେଶ ଚନ୍ଦ୍ର ପରିଡା ଓ ନିତ୍ୟାନନ୍ଦ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରର୍ଥନା କରାଯାଇଥିଲା । ଏହା ପରେ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ସଙ୍ଘର ବିବରଣୀ ପ୍ରଦାନ କରିଥିଲେ । ଆମ ଦେଶ ଭାରତ ବର୍ଷରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କେବଳ ବ୍ୟାଙ୍କ ପେନସନ୍ ଭୋଗୀମାନଙ୍କର ପେନସନ୍ ରିଭିଜନ ହୋଇନଥିବାରୁ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦୀର୍ଘ ବର୍ଷ ଧରି ଅବହେଳିତ ଓ ଅଣଦେଖା କରାଯାଉଥିବା ଭ୍ୟାଙ୍କ ପେନସନ୍ ଭୋଗୀମାନଙ୍କ ପେନସନ୍ ରିଭିଜନ କରାଯିବା ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଶରତ କୁମାର ମୁଦୁଲି, ଉଦୟନାଥ ସାହୁ, ସୁନାକର ଜେନା, ହରିପଦ ପଣ୍ଡା, ଅତୁଲ ଚନ୍ଦ୍ର ଗିରି, ରାମଚନ୍ଦ୍ର ସେଠୀ, କ୍ଷୀରୋଦ ଚନ୍ଦ୍ର ବେହେରା, ନିତ୍ୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।