ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଜିଲ୍ଲା ସମ୍ମିଳନୀ

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ୨୨ତମ ଜିଲ୍ଲା ସମ୍ମିଳନୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଧିରେନ୍ଦ୍ର ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ବାର୍ଷିକ ବିବରଣୀ ଓ ଆୟ ବ୍ୟୟର ବିବରଣୀ ପାଠ କରିଥିଲେ । ବିଗତ ବର୍ଷମାନଙ୍କରେ ସଂଘ ପକ୍ଷରୁ କରାଯାଇଥିବା ସାମାଜିକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଇ.ଟି.ଆରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ବ୍ରଜମୋହନ ମିଶ୍ର ଯୋଗ ଦେଇଥିଲେ । ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକମାନଙ୍କ ଏକତା ଓ ସାମାଜିକ କର୍ତ୍ତବ୍ୟବୋଧକୁ ଅତିଥିମାନେ ପ୍ରଶଂସା କରିଥିଲେ । ବିଭିନ୍ନ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ସଂଘର ସଦସ୍ୟ ସଦସ୍ୟାମାନଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲାରେ ଗତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ୧୬ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ନଗଦ ଅର୍ଥ ପ୍ରଦାନ କରି ପୁରଷ୍କୃତ କରାଯାଇଥିଲା । ଏହି ଅଧିବେଶନରେ ଆଗାମୀ ୪ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ଏହି ଅଧିବେଶନରେ ବିଭିନ୍ନ ଶାଖା କମିଟି ତରଫରୁ ସମସ୍ତ କର୍ମକର୍ତ୍ତା, ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବେଣୁଧର ପାଳ, ଭବେଶ ପଣ୍ଡା, ଶଶାଙ୍କ ରଥ, ରମେଶ ଚନ୍ଦ୍ର ଜେନା, ପ୍ରତିମା ପଣ୍ଡା, ପ୍ରଣିତା ମିଶ୍ର, ସ୍ୱର୍ଣ୍ଣଲତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ