ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ ସମିତି ବୈଠକ
ବାଲେଶ୍ୱର-: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ ସମିତି ବୈଠକ ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସଙ୍କ ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସଂପାଦକ ଇଂ. ବନମାଳୀ ନାୟକ ସମ୍ମିଳନୀ ପାଇଁ ପ୍ରସ୍ତୁତ ବାର୍ଷିକ ବିବରଣୀ ଏବଂ ସଂଘର ଆୟବ୍ୟୟ ଉପସ୍ଥାପନ କରିଥିଲେ । ସଂଘର ତ୍ରୟୋବିଂଶତମ ବାର୍ଷିକ ସାଧାରଣ ସଭା ଆସନ୍ତା ମାର୍ଚ୍ଚ ୮ତାରିଖ ରବିବାର ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ପୂଜ୍ୟପୂଜା ସମ୍ବର୍ଦ୍ଧନାରେ ଚଳିତବର୍ଷ ଡ. ଭାଗବତ ପ୍ରସାଦ ଦାସ – ରେମୁଣା, ଶ୍ରୀ ଭଗବାନ ମହାପାତ୍ର – ସୋର, ଡାକ୍ତର ତାରାକାନ୍ତ ନନ୍ଦ ଓ ଶ୍ରୀ ଲୋକନାଥ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ମେଧା ପ୍ରୋତ୍ସାହନ ୨୦୧୯ ପରୀକ୍ଷାରେ ମ୍ୟାଟ୍ରିକ୍, +୨ ଏବଂ ଡିପ୍ଲୋମା ଇଞ୍ଜିନିୟରିଂରେ ସର୍ବୋଚ୍ଚ ନମ୍ବର ରଖି ବାଲେଶ୍ୱର ଜିଲ୍ଲାକୁ ଗୌରବମଣ୍ଡିତ କରିଥିବା ୧୭ଜଣ ଛାତ୍ରଛାତ୍ରୀଙ୍କୁ ଅର୍ଥ ଓ ମାନପତ୍ର ଦେଇ ପ୍ରୋତ୍ସାହିତ କରାଯିବାର ମଧ୍ୟ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମାସର ୩ୟ ରବିବାର ଦିନ ଅନୁଷ୍ଠିତ ହେଉଥିବା ଆଲୋଚନା ଚକ୍ର ଆସନ୍ତା ୧୬ ତାରିଖ ରବିବାର ଦିନ ୧୦ଟାରେ ହେବ ବୋଲି କାର୍ଯ୍ୟକାରୀ ସଭାପତି ବଂଶୀଧର ମହାପାତ୍ର ବକ୍ତବ୍ୟ ରଖିଥିଲେ । ସାଧାରଣ ସଭା ଅବସରରେ ସଂଘର ମୁଖପତ୍ର ‘ଉତ୍ତରାୟଣ’ ନିର୍ଭୁଲ୍ ତଥା ଉନ୍ନତମାନର ହେବାପାଇଁ ସମ୍ପାଦନା ମଣ୍ଡଳୀର ମୁଖ୍ୟ ଉପଦେଷ୍ଟା ଶ୍ରୀ କୃତିବାସ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ । ନୂତନଭାବେ ଗଠିତ ଖଇରା ବ୍ଲକ୍ସ୍ତରୀୟ କମିଟିକୁ ଜିଲ୍ଲା ସଂଘ ସହିତ ସମ୍ବନ୍ଧୀକୃତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୋର, ଜଳେଶ୍ୱର, ଉତ୍ତର ରେମୁଣା ତଥା ଖଇରା ସଂଘର ସଭାପତି ଓ ଉପସଭାପତିମାନେ ବୈଠକରେ ଯୋଗଦେଇ ଆଲୋଚନାରେ ସେମାନଙ୍କର ମତାମତା ରଖିଥିଲେ । ଗତ ଜୁଲାଇମାସ ଠାରୁ ଅଦ୍ୟାବଧି ୫ ଶତାଂଶ ମହଙ୍ଗାଭତ୍ତା ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦେଇନଥିବାରୁ ସଭ୍ୟସଭ୍ୟାମାନେ କ୍ଷୋଭପ୍ରକାଶ କରିବା ସହ ସରକାର ଏ ବିଷୟରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ନକଲେ ସମଗ୍ର ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣକରିବାକୁ ବାଧ୍ୟ ହେବେବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ବୈଠକ ସମାପ୍ତ ହୋଇଥିଲା ।