ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ପରିଚାଳକଙ୍କ ପରଲୋକ
କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ପରିଚାଳକ ଫକିର ମୋହନ ବେହେରାଙ୍କ ଶୁକ୍ରବାର ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଼ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ମର ଶରୀରକୁ କେନ୍ଦ୍ରାପଡା ସ୍ଥିତ ବାସଭବନକୁ ଅଣାଯିବା ପରେ ତାଙ୍କ ବିୟୋଗ ଖବର ପାଇ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଓଡିଶା ସର୍କଲ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ୍, ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ଗୋଲକ ବିହାରୀ ବେହେରା, ଅଜୟ କୁମାର ନାୟକ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବଡବାରଙ୍ଗସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ଜଣେ ଭଦ୍ର, ଅମାୟିକ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁତ୍ର ଅମ୍ବିକା ପ୍ରସାଦ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ପୂର୍ବତନ ସଭାପତି ସ୍ୱାଧୀନ କୁମାର ଦାଶ, ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଓଡିଶା ସର୍କଲ ବାଲେଶ୍ୱର ଜୋନର ଜୋନାଲ ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘ ଉପସଭାପତି ଦୁର୍ଯ୍ୟୋଧନ ସେଠୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।