ଅବସରପ୍ରାପ୍ତ ସୈନିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଅବସରପ୍ରାପ୍ତ ସୈନିକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବା ଦାବୀ ନେଇ ଗୁରୁବାର ଅବସରପ୍ରାପ୍ତ ରାଜ୍ୟ ସୈନିକ ସଂଘ (ବ୍ରହ୍ମପୁର) ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ସଂଘର ସଭାପତି କାଳୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଜିଲ୍ଲା ସୈନିକ ବୋର୍ଡର ଥିବା କର୍ମଚାରୀ ମାନେ ସେମାନଙ୍କୁ ନାହିଁ ନଥିବା ଅସୁବିଧା କରୁଛନ୍ତି । ବିଭିନ୍ନ କାର୍ଯ୍ୟ ପାଇଁ ହାତଗୁଞ୍ଜା ମାଗିବା ସହ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି ବୋଲି ସଂଘ ପକ୍ଷରୁ ଦାବି ପତ୍ରରେ ଦର୍ଶାଯାଇଛି । ଏହା ସହ ଜିଲ୍ଲା ସୈନିକ ବୋର୍ଡ କାର୍ଯ୍ୟାଳୟରେ ବହୁ ଦିନହେଲା ସେକ୍ରେଟାରୀ ପଦବୀ ଖାଲି ଥିବାରୁ ତୁରନ୍ତ ଏହି ପଦବୀ ପୂରଣ କରିବା ସହ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନିତିଗ୍ରସ୍ଥ ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଉପ ସଭାପତି ନିକୁଞ୍ଜ ବିହାରୀ ପ୍ରଧାନ, ସଂପାଦକ ଅଭୟ ଚନ୍ଦ୍ର ପ୍ରଧାନ,ସଂଯୋଜକ ନୀଳାଞ୍ଚଳ ନନ୍ଦ ଓ ପ୍ରଶାନ୍ତ କୁମାର ସାହୁ, ଯୁଗ୍ମ ସଂପାଦକ ଦେବୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।