ଅବହେଳିତ ଅବସ୍ଥାରେ ଧଉଳିର ଐତିହ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଇତିହାସର ମୂକସାକ୍ଷୀ ଧଉଳି । ଏଠାରେ ଦିନେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ପାଲଟିଥିଲେ ଧର୍ମାଶୋକ । ବୌଦ୍ଧ ଓ ଶୈବ ସଂସ୍କୃତି ସମନ୍ୱୟରେ ଏଠାରେ ନିର୍ମିତ ଶାନ୍ତିସ୍ତୁପ ଓ ତାର ପାଦ ଦେଶରେ ପ୍ରବାହମାନ ଦୟାନଦୀ ଗବେଷକ, ପର୍ଯ୍ୟଟକ ଓ ବୌଦ୍ଧ-ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ଟାଣି ଆଣିଥାଏ । ଏହାର ଗୋଟିଏ ପଟରେ ଶାନ୍ତିସ୍ତୁପ ରହିଥିବା ବେଳେ ଏହାର ଅପର ପାଶ୍ୱର୍ରେ ରହିଛି ରଣ ଗୋହିରୀ । ସେହି ରଣ ଗୋହିରୀରେ ଅଶୋକଙ୍କ ସହ ଲଢିଥିଲା କଳିଙ୍ଗ । ପ୍ରଚାର ପ୍ରସାର ଅଭାବରୁ ଇତିହାସର ଏହି ରଣ ଗୋହିରୀ ଲୋକଲୋଚନରୁ ହଜିଯିବାକୁ ବସିଛି । ଐତିହ୍ୟର ସ୍ମାରକୀ ଶାନ୍ତିସ୍ତୁପ, ରଣଭୂମି ଓ ଦୟାନଦୀକୁ ଆକର୍ଷଣୀୟ କରାଯିବାର ବହୁ ସମ୍ଭାବନା ରହିଛି । କିନ୍ତୁ ଯେଭଳି ଭାବେ ଏହା କରାଯିବା କଥା, ହୋଇପାରି ନାହିଁ । ଯଦି ଦୟା ବ୍ରିଜ୍ ଠାରୁ ଦୟାନଦୀକୁ ଗଭୀର ଭାବେ ଖନନ କରାଯାଇପାରନ୍ତା ତେବେ ପର୍ୟ୍ୟଟକମାନେ ଜଳଯାତ୍ରାର ମଜ୍ଜା ନେଇ ଶାନ୍ତିସ୍ତୁପ ନିକଟରେ ପହଞ୍ଚି ପାରନ୍ତେ । ତିନି କିଲୋମିଟର ବ୍ୟାପୀ ଦୟା ସୁଗଭୀର ହେଲେ ନୌକାବିହାର ସୁଗମ ହୋଇପାରନ୍ତା । ରଣ ଗୋହିରୀରେ ଯୁଦ୍ଧ ସ୍ମୃତିକୁ ନେଇ ଏକ ଶିଳାମୂର୍ତ୍ତି ସଂଗ୍ରହାଳୟ ବା ଆର୍ଟ ଗ୍ୟାଲେରୀ ନିର୍ମାଣ କରାଯିବା ସହିତ ସ୍ଥାପତ୍ୟ କଳାର ପ୍ରଦର୍ଶନୀ ବ୍ୟବସ୍ଥା ରହିଲେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢିପାରନ୍ତା ବୋଲି ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ ନିଜ ପ୍ରତିକ୍ରିୟାରେ କହନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ପର୍ୟ୍ୟଟନ ବିଭାଗର ଆନ୍ତରିକତାର ଅଭାବ ଯୋଗୁ ଐତିହ୍ୟସ୍ଥଳ ଧଉଳିର ଅନେକ ବିକାଶ ପ୍ରକଳ୍ପ ଅଧା ପନ୍ତରିଆ ହୋଇରହିଛି । ବ୍ୟାଟେରୀ ଚଳିତ ବସ୍ ସେବା ଠାରୁ ଆରମ୍ଭ କରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ପ୍ରୋଗ୍ରାମରେ କୋଟି କୋଟି ଟଙ୍କା ବ୍ୟୟ ହୋଇ ସୁଦ୍ଧା ସୁଫଳ ମିଳିନାହିଁ । ଐତିହ୍ୟ ସଂଗ୍ରହାଳୟ, ଶିଳା ସ୍ଥାପତ୍ୟର ପ୍ରଦର୍ଶନୀ, ନୌବିହାର ଭଳି ଅନେକ ପ୍ରଭାବୀ ଓ ଐତିହ୍ୟକୁ ଯୋଡ଼ିବା ଭଳି କାର୍ୟ୍ୟକ୍ରମ ଆରମ୍ଭ ହେବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ରାଜ୍ୟ ସରକାରଙ୍କ ପର୍ୟ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।