ଅବହେଳିତ ଅବସ୍ଥାରେ ପ୍ରାଣି ଚିକିତ୍ସା କେନ୍ଦ୍ର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଠାରେ ଥିବା ପ୍ରାଣି ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ଥିବାରୁ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି।ଉକ୍ତ ପ୍ରାଣି ଚିକିତ୍ସା କେନ୍ଦ୍ରଟି ଝରାଡିହି ସ୍ଥିତ ସାପ୍ତାହିକ ହାଟ ପଡିଆ ପରିସର ମଧ୍ୟରେ ରହିଛି।ବର୍ତ୍ତମାନ ବର୍ଷା ସମୟରେ ହାଟ ପଡିଆ ର ଗୋଳିଆ ପାଣି ପ୍ରାଣି ଚିକିତ୍ସା କେନ୍ଦ୍ର ପରିସର ମଧ୍ୟକୁ ପ୍ରବେଶ କରୁଥିବାରୁ ପରିସରରେ ଶିଉଳି ଜମି ରହୁଛି ଫଳରେ କୃଷକ ମାନେ ଗୃହପାଳିତ ପଶୁ ମାନଙ୍କ ଚିକତ୍ସା ପାଇଁ ଆସି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଚିକିତ୍ସା କେନ୍ଦ୍ରର ପ୍ରବେଶ ପଥ ମଧ୍ୟ କାଦୁଅ ରେ ପରିପୂର୍ଣ୍ଣ ରହୁଛି ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଖସି ପଡିବା ଭୟ ରହୁଛି ତାଛଡା ଏଠାରେ କାର୍ଯ୍ୟରତ ଥିବା ପ୍ରାଣୀ ଚିକିତ୍ସକ ଓ ସହକର୍ମୀ ମାନେ ନିଜେ ମଧ୍ୟ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ପରିସର ମଧ୍ୟରେ ପ୍ରାଣି ଚିକତ୍ସକ’ଙ୍କ ରହିବାର ସୁବିଧା ରହିଛି ହେଲେ ଏଠାରେ ଶୌଚାଳୟ ନଥିବାରୁ ଶୌଚ ଓ ସ୍ନାନ ପାଇଁ ବାହାରକୁ ଯିବାକୁ ପଡୁଛି ଫଳରେ ଚିକିତ୍ସା ଅଧିକାରୀ ଜଣକ ଅପ୍ରିତିକର ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଦୀର୍ଘ ଦେଢ ବର୍ଷରୁ ନିଜ କାର୍ଯ୍ୟ ସମ୍ପାଦନ କରି ଚାଲିଛନ୍ତି।ସରକାରୀ ସ୍ତରରେ ସ୍ବଚ୍ଛ ଭାରତ ଅଭିଯାନ ଚଳାଇ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରାଯିବା ସହିତ ବିଭିନ୍ନ ଯୋଜନାରେ ସାଧାରଣ ଲୋକଙ୍କୁ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାହନ ଦିଆ ଯାଉଥିବା ବେଳେ ଜଣେ ଅଧିକାରୀ’ଙ୍କୁ ଶୌଚାଳୟ ସୁବିଧାରୁ ବଞ୍ଚିତ କରାଯିବା ଦୁଃଖର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏହା ପରେ କାର୍ଯ୍ୟାଳୟ ଏବଂ ବାସ ଭବନରେ ବିଜୁଳି ସଂଯୋଗ ନଥିବାରୁ ନିଜେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହିତ କାର୍ଯ୍ୟାଳୟକୁ ଆସୁଥିବା କୃଷକ ଓ ପଶୁପାଳକ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାଛଡା ପଶୁ ପକ୍ଷୀ’ଙ୍କ ପାଇଁ ଶୀତଳ ଭଣ୍ଡାରରେ ରଖାଯାଉଥିବା ଆବଶ୍ୟକୀୟ ବିଭିନ୍ନ ଔଷଧ ଏଠାରେ ଗଚ୍ଛିତ କରାଯାଇ ପାରୁ ନାହିଁ।ଦୀର୍ଘଦିନ ଧରି ପାଣି ପାଇଁ ଅସୁବିଧାରେ ରହିବା ପରେ ସ୍ଥାନୀୟ ସରପଞ୍ଚ’ଙ୍କ ସହଯୋଗରେ ଓଭର ହ୍ୟାଡ୍ ଟ୍ୟାଙ୍କ ରୁ ପାଇପ ପାଣି ସଂଯୋଗ ନେଇଛନ୍ତି।ଚିକିତ୍ସାଧିକାରୀ ଶ୍ରୀ ରଞ୍ଜନ କୁମାର ପାତ୍ର’ଙ୍କ ଅନୁସାରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ’ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।ତେବେ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଥିବା ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦେଇ ସମସ୍ୟା ଗୁଡିକୁ ଦୂର କରାଯିବା ସହିତ ଶୌଚାଳୟ ଓ ବିଜୁଳି ସଂଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ