ଅବହେଳିତ ଅବସ୍ଥାରେ ବନ୍ତ ସଦର ମହକୁମା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ସଦର ମହକୁମା ସବୁଦିନ ପରି ଆଜି ବି ଅବହେଳିତ ଅବସ୍ଥାରେ ପଡି ରହିଛି । ସ୍ୱାଧିନତାର ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଉନ୍ନୟନମୂଳକ କାର୍ଯ୍ୟର ଗନ୍ଧବାସ୍ନା ନାହିଁ । ନାମକୁ ମାତ୍ର ସଦର ମହକୁମା ଭାବେ ଏହା ପରିଚିତ ଥିବା ବେଳେ ସଦର ମହକୁମାର ପ୍ରକୃତ ଉନ୍ନୟନ ଏଠାରେ ପରିଲକ୍ଷିତ ହୋଇନାହିଁ । ଏହା ମଧ୍ୟରେ ବନ୍ତକୁ ବ୍ଲକର ମାନ୍ୟତା ଦିଆଯିବା ବହୁ ବର୍ଷ ହୋଇଯାଇଛି । କେବଳ ସରକାରୀ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଉନ୍ନତିକରଣର ଦେଖାନାହିଁ । ଦିନ ୧୨ଟା ଠାରୁ ଡାକ୍ତରଖାନାରେ ଚାବି ପଡୁଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ କେହି ଡାକ୍ତର ଆସୁନାହାନ୍ତିି । ଜଣେ ଡାକ୍ତର ଦୀର୍ଘ ଦିନ ହେବ ଛୁଟିରେ ଯାଇଥିବା ବେଳେ ଏପର୍ଯ୍ୟନ୍ତ ସେ ଡାକ୍ତରଖାନାକୁ ଆସୁନାହାନ୍ତି । ବିନା ଡାକ୍ତର ଓ ଷ୍ଟାପ୍ ନର୍ସରେ ଡାକ୍ତରଖାନା ଚାଲୁଛି । ମେଡିକାଲ ପରିସରରେ ନୂଆ ଷ୍ଟାପ୍ କ୍ୱାଟର ତିଆରି ହୋଇଥିବା ବେଳେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ରୋଗୀ ସେବା ପାଇଁ ଆମ୍ବୁଲାନ୍ସର ସୁବିଧା ନାହିଁ । ଫଳରେ ବନ୍ତ ଅଞ୍ଚଳର ଶହ ଶହ ରୋଗୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି । ନେତା ଓ ମନ୍ତ୍ରୀ ମାନେ କେବଳ ଉନ୍ନତିକରଣର ପ୍ରତିଶୃତି ଦେଇ ଭୋଟ ସଂଗ୍ରହ କରୁଥିବାର ଦେଖାଯାଉଛି । ସେହିପରି ସଦର ମହକୁମାରେ ଫାୟାର ଷ୍ଟେସନ, ଷ୍ଟେଟ ବ୍ୟାଙ୍କ, ଟ୍ରେଜେରୀ, ବସଷ୍ଟାଣ୍ଡ, ଶୌଚାଳୟ, ଚିଲ୍‌ଡ୍ରେନ୍ ପାର୍କ, ମାର୍କେଟରେ ଡ୍ରେନେଜ ବ୍ୟବସ୍ଥା ଆଦି ଏପର୍ଯ୍ୟନ୍ତ ହୋଇପାରିନାହିଁ । ବହୁ ବର୍ଷ ପୂର୍ବରୁ ଏଠାରେ ଜଳସେଚନ ଏସ୍‌.ଡି.ଓ ଅଫିସ ଥିବା ବେଳେ ତାହାକୁ କୌଶଳ କରି କେନ୍ଦୁଝର ଜିଲା ହାଟହିଡୀ ବ୍ଲକ ଶାଳନିଆଁକୁ ସ୍ଥାନାନ୍ତର କରି ଦିଆଯାଇଛି । ଫଳରେ ଶହ ଶହ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ବନ୍ତ ସଦର ମହକୁମାର ଉନ୍ନୟନ ପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ