ଅବହେଳିତ ଐତିହ୍ୟ ଚୈତନ୍ୟ ମନ୍ଦିର ପ୍ରତି ପ୍ରଶାସନ ନିରବଦ୍ରଷ୍ଟା
ସରକାର ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳିଥାଏ । ମାତ୍ର ଏକ ଧର୍ମୀୟ ଇଷ୍ଟ ଦେବତାଙ୍କ ପ୍ରତି ଅବହେଳା ହେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଏହିପରି ଏକ ଅବହେଳା ସର୍ବପୁରାତନ ଐତିହ୍ୟ ମନ୍ଦିର ଚୈତନ୍ୟ ଦେବଙ୍କ ପ୍ରତି ହେବା ନେଇ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ସୂଚନାନୁସାରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମରେ ଅବସ୍ଥିତ ଖ୍ରୀଷ୍ଟପୂର୍ବ ଦେଢଶହ ବର୍ଷ ପୁରୁଣା ଚୈତନ୍ୟ ଦେବ ମନ୍ଦିର । ବଂଶାନୁକ୍ରମେ ଗ୍ରାମର କିଛି ବ୍ୟକ୍ତି ଏହି ମନ୍ଦିରର ରକ୍ଷଣାବେକ୍ଷଣ କରି ଆସୁଥିଲେ । ଏହି ମନ୍ଦିରରେ ଚୈତନ୍ୟ ଦେବ ଓ ନିତ୍ୟାନନ୍ଦ ଦେବ ପୂଜା ପାଉଛନ୍ତି । ଗ୍ରାମବାସୀ ଚଳନ୍ତି ଠାକୁର ହିସାବରେ ଏହାକୁ ମାନ୍ୟତା ଦେଇ ରୀତିନୀତିରେ ପୂଜାର୍ଚ୍ଚନା କରି ଆସୁଛନ୍ତି । ମନ୍ଦିରର ଉନ୍ନତି ପାଇଁ ଏହାର ଚତୁଃପାଶ୍ୱର୍ରେ ନଡିଆ ଗଛ ଲଗାଇ ଏଥିରୁ ଆଦାୟ ଅର୍ଥ ଠାକୁରଙ୍କ କାର୍ଯ୍ୟରେ ଲାଗିଥାଏ । ଗ୍ରାମବାସୀ ଘର ପିଛା ୧୫ ଟଙ୍କା ଲେଖାଁଏ ଆଦାୟ କରି ଠାକୁରଙ୍କ ଲାଗି ପ୍ରତିଦିନ ଧୂପ ଦ୍ୱୀପ ସହିତ ପ୍ରାତଃରେ ବାଳଭୋଗ, ମଧ୍ୟାହ୍ନରେ ସଙ୍କୁଳି ଭୋଗ (ଅନ୍ନ ପ୍ରସାଦ) ଓ ସଂଧ୍ୟାରେ ଦହି ପଖାଳ ଭୋଗର ବିଧି ରହିଥିବା ବେଳେ ଏହା କିଛିଦିନ ପର୍ଯ୍ୟନ୍ତ ଚାଲିଥିଲା । ଏସବୁ ସତ୍ତେ୍ୱ ମନ୍ଦିର ଓ ଠାକୁରଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ ପୁରୀ ଚୈତନ୍ୟ ଦେବ ରାଧାକାନ୍ତ ମଠ ଟ୍ରଷ୍ଟ ଦାୟିତ୍ୱ ଗ୍ରହଣ କରିଥିଲା । ଦାୟିତ୍ୱ ଗ୍ରହଣ ପରେ ଠାକୁରଙ୍କ ରୀତିନୀତି ଓ ପ୍ରତ୍ୟହ ପୂଜା ପାଇଁ ପୂଜକର ଅର୍ଥ ଦାୟିତ୍ୱ ନେଇ ଏଥିରେ ଅବହେଳା କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହାସହ ଉକ୍ତ ଟ୍ରଷ୍ଟ ମନ୍ଦିରର ଦାୟିତ୍ୱ ଗ୍ରହଣ ପରେ ଘୋରଡିଆରେ ଥିବା ଚୈତନ୍ୟ ଦେବଙ୍କ ପୁରୁଷାନୁକ୍ରମେ ଦାୟିତ୍ୱ ନେଇ ଚଳାଇ ଆସୁଥିବା ତରଣୀ କୁଣ୍ଡୁଙ୍କୁ ଦାୟିତ୍ୱ ଦେଇଥିଲେ । ମାସିକ ପ୍ରଥମେ ୩୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଜିସୁଦ୍ଧା ଦେଉଛନ୍ତି । ସ୍ୱଳ୍ପ ଟଙ୍କା ଦ୍ୱାରା ତରଣୀ ମନ୍ଦିର ଚଳାଇବା କଷ୍ଟକର ହୋଇପଡିଥିଲା । ଏନେଇ ତରଣୀ କରିଥିବା ଏକ ଦୋକାନର ସମସ୍ତ ଟଙ୍କା ବାଧ୍ୟ ହୋଇ ମନ୍ଦିର କାର୍ଯ୍ୟରେ ଲଗାଇଥିଲେ । ଫଳରେ ଦୋକାନଟି ଅଚଳ ହୋଇଗଲା । କାଳକ୍ରମେ ଠାକୁରଙ୍କ ରୀତିନୀତି ଓ ପୂଜାର୍ଚ୍ଚନା ଧିରେ ଧିରେ ବନ୍ଦ ହୋଇ ସାଧାରଣ ଦୁଇଟି କଦଳୀରେ ଭୋଗ ସମ୍ପନ୍ନ ହେଉଛି, ଯାହା ପରମ୍ପରାକୁ କ୍ଷୁଣ୍ଣ କରୁଛି । ଅନ୍ୟ ପକ୍ଷ୍ୟରେ ଏହି ମନ୍ଦିରର ଚାରିବାଟି ସମ୍ପତ୍ତି ଥିବା ସହିତ ନଡିଆ ଗଛରୁ ଆଦାୟ ଅର୍ଥ ସବୁ ରାଧାକାନ୍ତ ମଠ ଟ୍ରଷ୍ଟ ନେଉଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଆବାହକ ତରଣୀ କୁଣ୍ଡୁ ବାରମ୍ବାର ଟ୍ରଷ୍ଟି କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ମନ୍ଦିର ଟ୍ରଷ୍ଟ ମାସିକ ୧୦୦୦ ଟଙ୍କା ଦେଉଥିବା ସ୍ଥଳେ ଏଠାରେ ୨୦୦୦ ଟଙ୍କାରୁ ଊଦ୍ଧ୍ୱର୍ ଖର୍ଚ୍ଚ ହୋଇଥାଏ । ଜଳକ୍ଳିଷ୍ଟକୁ ଆଧାର କରି ଏହି ମନ୍ଦିର ପରିସରରେ ଥିବା ଏକ ପୁରାତନ କୂପକୁ ୨୦୧୫ ମସିହାରେ ଗ୍ରାମବାସୀ ପୁନରୁଦ୍ଧାର କରିଥିଲେ । ମାତ୍ର ଏହାକୁ ଅଣଦେଖା କରିବାରୁ ଏହା କାଳକ୍ରମେ ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚି ବ୍ୟବହାର ଯୋଗ୍ୟ ହେଉନାହିଁ । ଫଳରେ ପୁନଃ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ମନ୍ଦିରକୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ମନ୍ଦିର ବେଢା ମରାମତି ହୋଇଥିବା ବେଳେ ମରାମତି ଅଭାବରୁ ଛାତ ଓ ପଛପାଶ୍ୱର୍ ଭାଙ୍ଗିରୁଜି ଗଲାଣି । ମନ୍ଦିର ପଛପାଶ୍ୱର୍ରେ ଉଇ ହୁଙ୍କା ବସା ବାନ୍ଧିଥିବା ବେଳେ ରୋଷଘର ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡିଛି । ସେହିପରି ଠାକୁରଙ୍କ ପ୍ରଥା ଅନୁଯାୟୀ ବର୍ଷକୁ ଦୁଇଥର ଯଥା କାର୍ତ୍ତିକ ପୁର୍ଣ୍ଣିମା ଓ ଦୋଳ ପୁର୍ଣ୍ଣିମା ତିଥୀରେ ଏହାର ବାର୍ଷିକ ଉତ୍ସବର ଆୟୋଜନ ନିର୍ଦ୍ଦେଶ ଥିବା ବେଳେ ଅର୍ଥ ଅଭାବରୁ ଏହା ବନ୍ଦ ହୋଇ ଯାଇଛି । ଏପରି ସମସ୍ୟା ପରେ ମଧ୍ୟ ମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।