ଅବହେଳିତ ହୋଇପଡିଛି କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ

ନିମାପଡ଼ା, (ସନ୍ତୋଷ ଦାଶ):ରାତି ପାହିଲେ ସାରା ଦେଶ ପାଳନ କରିବ ସ୍ଵାଧୀନତାଦିବସ। ତେବେ ଯେଉଁ ସବୁସ୍ଥାନ ରେ ସ୍ଵାଧିନତା ସଂଗ୍ରାମୀ ମାନେ ନିଜ ଜୀବନ କୁ ବାଜି ଲଗାଇ ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିଥିଲେ ସେହି ସବୁ ସ୍ଥାନ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହି ଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କୁହୁଡି ଠାରେ ଥିବା ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଭାରତର ସ୍ବାଧୀନତା ବିପ୍ଳବ ର ଏକ ଅଂଶ ବିଶେଷ। ବାଲେଶ୍ଵରର ଇଞ୍ଚୁଡ଼ି ଭଳି ୧୯୩୦ ମସିହା ମଇ ମାସ ୨୧ ତାରିଖରେ ଅସ୍ତରଙ୍ଗର କୁହୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା। ଇଞ୍ଚୁଡି ଠାରେ ସତ୍ୟଗ୍ରହୀଙ୍କ ସ୍ମୃତି ରକ୍ଷା ଲାଗି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିଲେ ମଧ୍ଯ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ଏହି ପୀଠର ଭିତ୍ତିଭୂମିରେ ସାମାନ୍ୟତମ ଉନ୍ନତି କରାନଯିବା ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦ ମାନଙ୍କୁ ବ୍ୟଥିତ କରିଛି । ଅବହେଳିତ ହୋଇପଡ଼ିରହିଛି ଏହି ସ୍ଵାଧୀନତା ସଂଗ୍ରାମ ର ମୁକସାକ୍ଷୀ କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ।କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଏଵଂ ଶହିଦ୍ ସ୍ମୃତିସ୍ତମ୍ଭ ସ୍ଥାପନ ହୋଇଥିଲେ ମଧ୍ୟ ତାହା ଖୋଲାପଡିଆରେ ଅବହେଳିତ ଅବସ୍ଥାରେ ରହିଚି । ପ୍ରତିବର୍ଷ ମଇ ୨୧ତାରିଖରେ ଏଠାରେ ବିଭିନ୍ନ ସଭା ସମିତି ଆୟୋଜନ କରାଯାଉଛି ।ଏହି ସମାରୋହକୁ ପ୍ରତିବର୍ଷ ବିଧାୟକ, ମନ୍ତ୍ରୀ ଓ ସାଂସଦ ଏବଂ ପ୍ରଶାସନିକ ଅଧିକାରୀ ମାନେ ଅତିଥି ହୋଇ ଆସି ଭାଷଣବାଜି କରନ୍ତି କିନ୍ତୁ ସେ ସବୁ କେବଳ ଭାଷଣରେ ସୀମିତ ରହିଯାଇଛି। ଭାଷଣ ମାଧ୍ୟମ ଦେଉଥିବା ପ୍ରତିଶୃତି କାର୍ଯ୍ୟକାରି ନହୋଇ ପାଣିର ଗାର ପାଲଟୁଛି । ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟାଗ୍ରହୀଙ୍କ ଶିବିର ପରିଚାଳନା ଦାୟିତ୍ୱରେ ଥିଲେ ସଂଗ୍ରାମୀ ମାନେ ଅସୀମ ଦୁଃଖ, କଷ୍ଟ ଓ ନିର୍ଯ୍ୟାତନା ସହି ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ ।ସେହି ତ୍ୟାଗ ଓ ବଳିଦାନକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସ୍ମରଣୀୟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ,ରାଜନେତାଙ୍କ ସାମାନ୍ୟତମ ଆନ୍ତରିକତା ନଥିବା କୁହନ୍ତି ବରିଷ୍ଠ ନାଗରିକ ତଥା ସମାଜସେବୀ ପଣ୍ତିତ ତ୍ରିଲୋଚନ ମିଶ୍ର।ତେଣୁ ଯଥାଶୀଘ୍ର ଏଠାରେ ସ୍ମୃତିପୀଠ ଚାରିପଟେ ସ୍ଥାୟୀ ପ୍ରାଚୀର, ପାଠାଗାର ଓ ସଂଗ୍ରହାଳୟ, କୁନିକୁନି ଛାତ୍ରଛାତ୍ରୀଙ୍କ ପାଇଁ ପାର୍କ, ପୀଠ କୁ ଆଲୋକୀ କରଣ, ପାନୀୟ ଜଳ ବ୍ୟବସ୍ଥା, ଅତିଥି ଗୃହ, ଏବଂ ଏକ ବୈଠକ ମଣ୍ଡପ ନିର୍ମାଣ କରାଗଲେ ମୁକ୍ତି ସଂଗ୍ରାମରେ ବ୍ରିଟିଶ ପୁଲିସ ପକ୍ଷରୁ ଅକଥନୀୟ ନିର୍ଯାତନା ସହିଥିବା ସେ ତ୍ୟାଗୀ ପୁରୁଷମାନଙ୍କୁ ସମ୍ମାନ ଅର୍ପଣ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଏହି ଐତିହାସିକ ପୀଠର ଉନ୍ନତି ହୋଇପାରିଲେ ଲବଣ ସତ୍ୟାଗ୍ରହ ପୀଠ କୁହୁଡି ଭବିଷ୍ୟତ ପିଢ଼ିଙ୍କ ପାଇଁ ଶିକ୍ଷଣୀୟ ସ୍ଥାନ ହୋଇ ପାରିବ ବୋଲି ସମାଜସେବୀ ତଥା ସ୍ଥାନୀୟ ବାସିନ୍ଦା ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ.ସତ୍ୟବ୍ରତ ଲେଙ୍କା , ମହେଶ୍ଵର ନାୟକ,ଅର୍ଜୁନ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ