ଅବ୍ୟବସ୍ଥାରେ ଗଂଗଦାହାଟ ଆୟୁର୍ବେଦିକ ଚିକିତ୍ସାଳୟ;ବିଶ୍ରାମାଗାରରେ ଚାଲିଛି ଚିକିତ୍ସାଳୟ
ନାଉଗାଁ,(ଓ୍ବାଇଏନ୍ଏସ୍): ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚିକିତ୍ସାଳୟ ମାନ ଖୋଲୁଛନ୍ତି । ଏଥିପାଇଁ ବିଭିନ୍ନ ଚିକିତ୍ସା କେନ୍ଦ୍ର ମାନ ନିର୍ମାଣ କରାଯିବା ସହିତ ପଦବୀ ଗୁଡିକ ମଧ୍ୟ ପୁରଣ କରାଯାଉଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକସ୍ଥିତ ଗଂଗଦାହାଟ ଆୟୁର୍ବେଦିକ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଏହି ଚିକିତ୍ସାଳୟରେ ଡାକ୍ତର, ଫାର୍ମାସିଷ୍ଠ, ଆଟେଣ୍ଡାଂଟ ପଦବୀ ପୁରଣ ହୋଇଥିଲେ ମଧ୍ୟ ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ କରାଯାଇନାହିଁ ଯାହାକି ଚିକିତ୍ସାଳୟଟି ଏକ ବିଶ୍ରାମାଗାର ମଧ୍ୟରେ ଚାଲୁଛି । ଏହି ବିଶ୍ରାମାଗାରରେ ବିଜୁଳି ବ୍ୟବସ୍ଥା ନଥିବା ବେଳେ ସ୍ୱଛ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ନଥିବା ମଧ୍ୟ ଜଣାଯାଇଛି । ଯାହାକୁ ନେଇ ଡାକ୍ତର ସମେତ ଅନ୍ୟ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ମୁତାବକ ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତସ୍ଥିତ ଗଂଗଦାହାଟରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟଟି ୧୯୭୮ ମସିହାରେ ସ୍ଥାପିତ ହୋଇଥିଲା ଏହି ଚିକିତ୍ସାଳୟଟି ଏକ ଚାଳ ଘରେ ଖୋଲା ଯାଇଥିଲା । ଗଂଗଦାହାଟରେ ୧୯୮୪ ମସିହାରେ ତତ୍କାଳିନ ରାଜସ୍ୱ ଓ ପରିବହନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଦ୍ୱାରା ଗଂଗଦାହାଟ ବିଶ୍ରାମାଗାରକୁ ଉଦଘାଟନ କରାଯାଇଥିଲା । ପରେ ଉକ୍ତ ବିଶ୍ରାମାଗାରରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲା ଯାଇ ଚିକିତ୍ସା କରାଯାଇଥିଲା । ଏହି ଚିକିତ୍ସାଳୟ ଖୋଲିବା ଦ୍ୱାରା ଡେରିକି, କୋରୁଅ, ଓଷକଣା, ତିରୁଣା, ଡାବର ଆଦି ପଂଚାୟତ ସମେତ ପୁରୀ ଜିଲ୍ଲାର ଭଣ୍ଡିସାହି, ମୁତୁଣିଆ ଆଦି ଗ୍ରାମର ଜନସାଧାରଣମାନେ ଉପକୃତ ହେଉଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚିକିତ୍ସାଳୟର ନିଜସ୍ୱ ଗୃହ ନଥିବାରୁ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ । ଏପରିକି ସ୍ୱଛ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ ହୋଇପାରିନାହିଁ । ଫଳରେ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସାଳୟର ଚର୍ତୁପାଶ୍ୱର୍ରେ ଅନବନା ଘାସ ମାଡି ଯିବା ସହିତ କାନ୍ଥକୁ ଲାଗି ବଡ ବଡ ଗଛ ଗୁଡିକ ଥିବା ଦେଖିବାକୁ ମିଳୁଛି । ଯାହାଫଳରେ ବିଭିନ୍ନ ପ୍ରକାର ସରିସୃପ ଏହି ଚିକିତ୍ସାଳୟର ଚତୁପାଶ୍ୱର୍ରେ ବୁଲୁଥିବା ଦେଖାଯାଉଛି । ଏପରିକି ଦୁଇ ଦିନ ତଳେ ଉକ୍ତ ଗୃହ ମଧ୍ୟରେ ଏକ ବିଷଧର ସାପ ଦେଖିବାକୁ ମିଳିଥିଲା । ଯଦି ଉକ୍ତ ଗୃହରେ କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଚିକିତ୍ସାଳୟର ନିଜସ୍ୱ ଗୃହ ନିର୍ମାଣ ପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦ୍ୱାରା ଦାବି ହେଉଛି । ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଉକ୍ତ ବିଶ୍ରାମାଗାରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କରାଯାଇଥିବା ଜଣାଯାଇଛି ।