ଅବ୍ୟବସ୍ଥା ଏବଂ ଅସୁରକ୍ଷିତ ଅବସ୍ଥାରେ ପାନୀୟ ଜଳ ଯୋଗାଣ ବିଶୋଧନାଗାର:ନାଗରିକ କମିଟି
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ନାଗରିକ କମିଟିର ଏକ ପ୍ରତିନିଧି ଦଳ ନବରଙ୍ଗପୁର ସହରକୁ ପାନୀୟ ଜଳ ଯୋଗାଉଥିବା ଜନସ୍ୱାଥ୍ୟ ବିଭାଗର ଜଳ ବିଶୋଧନାଗାର ପରିଦର୍ଶନ କରିଛନ୍ତି । କମିଟିର ସଭାପତି ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ କମିଟି ବିଶୋଧନାଗାର ଏବଂ ଜଳ ଉଠାଣ କରାଯାଉଥିବା ଇନ୍ଦ୍ରାବତୀ ନଦୀ ମୁହାଣକୁ ଗସ୍ତ କରିଥିଲେ । ଏହି ବିଶୋଧନାଗାର ପ୍ରକଳ୍ପ ୨୦୧୭-୧୮ ମସିହାରେ ୧୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିଲା । ୮୦ ଲକ୍ଷ ଲିଟର ବିଶିଷ୍ଟ ଜଳ ଏହି ବିଶୋଧନାଗାର ସହରକୁ ପାନୀୟ ଜଳ ଯୋଗାଣ କରିଥାଏ ।ତେବେ ଗ୍ରୀଷ୍ନ ଋତୁ ଆସୁଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଗୋଳିଆ ପାଣି ସହ ଦୁର୍ଗନ୍ଧ ଯୁକ୍ତ ଅପରିଷ୍କାର ପାଣି ବାହାରୁଥିବା ଅଭିଯୋଗ କମିଟିକୁ ହସ୍ତଗତ ହୋଇଥିଲା । ଏହାର କାରଣ ଓ ନିରାକରଣ ପାଇଁ କମିଟି ବିଶୋଧନାଗାର ପରିଦର୍ଶନ କରିଥିଲା । ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ରଞ୍ଜିତ ରାୟଙ୍କ ଉପସ୍ଥିତିରେ କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲା। ଯନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ସହରରେ ପାନୀୟ ଜଳ ଯୋଗାଣ ପାଇଁ ସିଧାସଳଖ ନଦୀ ମୁହାଣରୁ ନଦୀ ପାଣିକୁ ମଟର ସାହାଯ୍ୟରେ ମୁହାଣରେ ଥିବା ୨୬ ମିଟର ଗଭୀରତା ବିଷିଷ୍ଟ ଏକ କୁଣ୍ଡରେ ଜଳ ସଂଗ୍ରହ କରାଯାଉଛି । ସଂଗୃହିତ ଜଳକୁ ବଡ଼ ବଡ଼ ପାଇପ ମାଧ୍ୟମରେ ବିଶୋଧନାଗାରକୁ ଜଳ ପ୍ରବେଶ କରାଇ ସେଠାରେ ଚୂନ, ଆଲୋମ, ପଲି ଲିଥଇଲ କ୍ଲୋରାଇଡ ଏବଂ ବ୍ଲିଚିଙ୍ଗ ସାହାଯ୍ୟରେ ପାନୀୟ ଜଳ ରୂପେ ପରିବର୍ତ୍ତନ କରାଯାଉଛି । ଏହି ବିଶୋଧୀତ ଜଳକୁ ସହରର ହିର୍ଲୀ ଡଙ୍ଗର ଉପରେ ଥିବା ଟାଙ୍କି, ଗାବର୍ଲିଆଗୁଡା ଟାଙ୍କି ଏବଂ ପିଏଚଡି କାର୍ଯ୍ୟାଳୟ ନିକଟସ୍ଥ ଟାଙ୍କିକୁ ନେଇ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ତେବେ ଏହି ବିଶୋଧିତ ଜଳ ପାନୀୟ ଉପଯୋଗୀ କି ନାହିଁ ତାହା କମିଟି ପ୍ରଶ୍ନ ଉଠାଇଛି । କାରଣ ନଦୀ ମୁହାଣରୁ ଯେଉଁ ଜଳ ସଂଗ୍ରହ କରାଯାଉଛି ଉକ୍ତ ସ୍ଥାନରେ ଲୋକେ ସ୍ନାନ, ଶୌଚ ହେଉଥିବା ବେଳେ ସଂପୃକ୍ତ ନଦୀର ଉପରମୁଣ୍ଡରୁ ଅଳିଆ ଆବର୍ଜନା, ଭାସି ଆଶୁଥିବା ମୃତ ଗୋରୁ, ଗାଇ,କୁକୁର, ବିଲେଇ ମାନଙ୍କ ଅବଶେଷ ସମେତ ଇନ୍ଦ୍ରାବତୀ ନଦୀ ତଟରେ ଥିବା ଶ୍ମଶାନର ଶବ ଦାହ କୋଇଲା,ପାଉଁଶ ଆଦି ଅପରଷ୍କିକାର ଦ୍ରବ୍ୟ ଉକ୍ତ ମୁହାଣ ଦେଇ ଭାସି ଆସିଥାଏ । ଦୀର୍ଘ ଦିନ ଧରି ଏହି ଜଳ ଗ୍ରହଣ କରୁଥିବାରୁ ସହର ବାସୀଙ୍କୁ ଥଣ୍ଡା, କାଶ, ଜ୍ୱର, ଚର୍ମରୋଗ ଆଦି ଲାଗି ରହୁଥିବା ଆଶଙ୍କା କରାଯାଉଛି । ତେଣୁ ଏହି ଜଳକୁ ପରୀକ୍ଷଣ କରି ପାନୀୟ ଉପଯୋଗ ସୁନିଶ୍ଚିତ କରିବା ସହ ଜଳ ଉଠାଣ ଓ ଜଳ ଯୋଗାଣ ସ୍ଥଳରେ ବିଦ୍ୟୁତ ଅନୁପସ୍ଥିତିରେ ଜେନେରେଟର କିମ୍ବା ଡିଜି ବ୍ୟବସ୍ଥା କରିବା, ପୁରୁଣା ପମ୍ପ ହାଉସରେ ଥିବା ୧୦ଟି ବୋର ୱେଲ୍ ମାଧ୍ୟମରେ ପୂର୍ବଭଳି କାର୍ଯ୍ୟକ୍ଷମ କରାଇ ସହରକୁ ବିଶୁଦ୍ଧ ଜଳ ଯୋଗାଣ କରିବା, ବିନା ସୁରକ୍ଷା କର୍ମୀରେ ଏହି ବିଶୋଧନାଗାର ରହିଥିବାରୁ ଯୁଦ୍ଧ କାଳୀନ ଭିତିରେ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ବିଶୋଧନାଗାରର ଚତୁପାଶ୍ୱର୍ରେ ଥିବା ପାଚେରୀ କାନ୍ଥ ଉପରେ ତାର ବାଡ ବ୍ୟବସ୍ଥା କରିବା ପାଇଁ କମିଟି ସରକାରଙ୍କ ଠାରେ ଦାବି କରିଛି।କମିଟିର ଏହି ପ୍ରତିନିଧି ଦଳରେ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ସମେତ ସହ ଆବାହକ ପ୍ରଦୀପ ସାହୁ, ଯୁଗ୍ନ ସଂପାଦକ କିଶୋର ପଟ୍ଟନାୟକ, କୋଷାଧ୍ୟ ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ବାଘେ, ବରୁଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।