ଅବ୍ୟବସ୍ଥା ଘେରରେ ଭଞ୍ଜନଗର ଉପଖଣ୍ଡର ଶିକ୍ଷା ବ୍ୟବସ୍ଥା;କୋଚିଙ୍ଗ୍ ସେଣ୍ଟର୍ ରେ ଶିକ୍ଷକ, ବିଦ୍ୟାଳୟ ପାଲଟିଛି ଭୂତକୋଠି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମାହାମାରୀ କରୋନା ପ୍ରଭାବରେ ଯଦି କିଏ ବେଶୀ କ୍ଷତିଗ୍ରସ୍ତ ହୋଇଥାନ୍ତି ସେମାନେ ହେଉଛନ୍ତି ସରକାରୀ ବିଦ୍ୟାଳୟରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀ I ଗତ ମାର୍ଚ୍ଚ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ନଅ ମାସ ଧରି ପିଲାଙ୍କ ଜୀବନ ଉପରେ କୌଣସି ପ୍ରକାର କୁପ୍ରଭାବ ନ ପଡିବା ପାଇଁ ସରକାର ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଦେଇଛନ୍ତି I ଏହାରି ଭିତରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଦ୍ୟାଳୟ ଗୁଡିକୁ ସଙ୍ଗରୋଧ କେନ୍ଦ୍ର,ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଏବଂ କୋଭିଡ କେୟାର୍ ହୋମ୍ ରେ ପରିଣତ କରାଯାଇ ସେଗୁଡିକ ଶେଷ ହେବା ପରେ ବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ଅବହେଳିତ ହୋଇ ପଡି ରହି ଭୂତକୋଠିରେ ପରିଣତ ହୋଇଛି I ବିଶେଷ କରି ଭଞ୍ଜନଗର ଉପଖଣ୍ଡର ଭଞ୍ଜନଗର, ସୋରଡ଼ା, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଆସ୍କା, ଶେରଗଡ଼, ବୁଗୁଡ଼ା, ଧରାକୋଟ ବ୍ଳକ୍ ର ବହୁ ବିଦ୍ୟାଳୟ ଆବର୍ଜନାମୟ ହୋଇ ପଡି ରହିଥିବାର ଦୃଷ୍ଟି ଗୋଚର ହୋଇଛି I ବିଦ୍ୟାଳୟ ଗୁଡ଼ିକର ପରିସରକୁ ପରିଷ୍କାର ରଖିବା ପାଇଁ ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବାରମ୍ବାର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ଯ ତୃଣମୂଳସ୍ତରରେ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ କାହାର ଯେମିତି ସମୟ ହିଁ ନହିଁ I ବିଦ୍ୟାଳୟ ଗୁଡ଼ିକୁ ବର୍ତ୍ତମାନ ଦେଖିଲେ ଏଗୁଡ଼ିକ ବର୍ତ୍ତମାନ ସରୀସୃପଙ୍କ ଚରା ଭୂଇଁ ଏବଂ ମଦ୍ୟପ ଜୁଆଡିଙ୍କ ଅଭୟାରଣ୍ୟରେ ପରିଣତ ହେବା ଭଳି ପ୍ରତୀୟମାନ ହେଉଛି I ସେହିପରି ସଙ୍ଗରୋଧ କେନ୍ଦ୍ର ଚାଲିଥିବା ସମୟରେ ବହୁ ବିଶୃଙ୍ଖଳିତ ବ୍ୟକ୍ତି ବିଶେଷ ଯୋଗୁଁ ବିଦ୍ୟାଳୟ ଗୁଡ଼ିକର ବହୁ ଆସବାବ ପତ୍ର, ପାଚେରୀ, କବାଟ, ଝରକା, ପାଇଖାନା ଆଦି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ଯ ମାନ୍ୟବର ଜିଲ୍ଲାପାଳଙ୍କ ତାଗିଦ୍ କୁ ଭ୍ରୂକ୍ଷେପ ନ କରି ବହୁ ବିଦ୍ୟାଳୟରେ ଏଗୁଡିକର ମରାମତି ପାଇଁ କାହାରି ମନରେ ଆନ୍ତରିକତା ପ୍ରକାଶ ନ ପାଇବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ସେହିପରି ବିଦ୍ୟାଳୟ ଗୁଡ଼ିକର ପାଠ ପଢ଼ା ଦିଗକୁ ଦେଖିଲେ ଏହା ରସାତଳଗାମି ହେବା ଭଳି ଅନୁଭବ ହେଉଛି I ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ସରକାର ଅନ୍ ଲାଇନ ପାଠ ପଢ଼ା, ଶିକ୍ଷା ସଂଯୋଗ, ରେଡ଼ିଓ ପାଠଶାଳା , ଦୂରଦର୍ଶନ ଉପରେ ଗୁରୁତ୍ବ ଦେଉଥିବା ବେଳେ ଏହି ବ୍ୟବସ୍ଥା ଗୁଡ଼ିକ କିନ୍ତୁ ଧର୍ମକୁ ଆଖିଠାର ସଦୃଶ ହୋଇଛି I ଭଞ୍ଜନଗର ଉପଖଣ୍ଡର ବହୁ ଅଞ୍ଚଳ ଉପାନ୍ତ ଏବଂ ହରିଜନ ଆଦିବାସୀ ଇଲାକା ହୋଇଥିବା ବେଳେ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଅନ୍ ଲାଇନ ଶିକ୍ଷା ବାସ୍ତବତାଠାରୁ ବହୁ ଦୂରକୁ ଠେଲି ହୋଇଯାଇଛି I ଯେଉଁ କିଛି ଅଞ୍ଚଳରେ ଅନ୍ ଲାଇନ ଶିକ୍ଷା ପାଇଁ ଭିତ୍ତିଭୂମି ରହିଛି ସେହି ସ୍ଥାନ ଗୁଡ଼ିକରେ ଶିକ୍ଷକଙ୍କ ଆଗ୍ରହ ଅଭାବ ହେଉ ଅବା ବୈଷୟିକ ଜ୍ଞାନ କୌଶଳ ଅଭାବରୁ ସେହି ସ୍ଥାନ ଗୁଡିକରେ ମଧ୍ଯ ଅନ୍ ଲାଇନ ଶିକ୍ଷା ସମୁଦ୍ରକୁ ଶଙ୍ଖେ ପାଣି ଭଳି ହୋଇଛି I ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀଙ୍କ ଯୋଗସୂତ୍ର ରକ୍ଷା ହେବା ମଧ୍ଯ କାଠିକର ପାଠ ହୋଇଛି I ସବୁଠାରୁ ବିସ୍ମୟକର ବିଷୟ ହେଉଛି ଏହି ଉପଖଣ୍ଡର ପ୍ରତି ବ୍ଳକ୍ ର କୋଚିଙ୍ଗ୍ ସେଣ୍ଟର୍ ଗୁଡି଼କୁ ସତେ ଯେମିତି କରୋନା ଭୟ କରୁଛି I କରୋନା ପାଇଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିଲା ବେଳେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଘରୋଇ କୋଚିଙ୍ଗ୍ ସେଣ୍ଟର୍ ଗୁଡିକ ଖୁଲୁମଖୁଲା ବେଧଡ଼କ ଚାଲିଥିବା ବେଳେ ଏଗୁଡ଼ିକ ଉପରେ କୌଣସି ଅଧି୍କାରୀଙ୍କ ନଜର ନାହିଁ I ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ସରକାରଙ୍କଠାରୁ ମୋଟା ଅଙ୍କର ଦରମା ପାଇ ଯେଉଁ ଶିକ୍ଷକ ମାନେ ବିଦ୍ୟାଳୟ ବନ୍ଦର ଦ୍ୱାହି ଦେଇ ବିଦ୍ୟାଳୟର ରାସ୍ତା ଭୂଲି ଗଲେଣି ସେହି ସରକାରୀ ଶିକ୍ଷକ ମାନେ ହିଁ କୋଚିଙ୍ଗ୍ ସେଣ୍ଟର୍ ଗୁଡ଼ିକରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଉଛନ୍ତି I ସେହିପରି କିଛି ବିଦ୍ୟାଳୟର ହାତ ଗଣତି କିଛି ଶିକ୍ଷକଙ୍କୁ ଛାଡିଦେଲେ ଅଧିକାଂଶ ଶିକ୍ଷକ ନିଜ ପରିବାର ସହିତ ଛୁଟି ମନାଉଥିବା ଦୃଷ୍ଟି ଗୋଚର ହୋଇଛି I ସେପଟେ ଗ୍ରାମାଞ୍ଚଳର ବହୁ ଛାତ୍ରଛାତ୍ରୀ ବସ୍ତାନୀରେ ଡୋରି ବାନ୍ଧି ନିଜ ବାପା ଭାଇଙ୍କ ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିଲେ ମଧ୍ଯ ଏହାରି ତଥ୍ୟ କାହା ପାଖରେ ନାହିଁ I ତେଣୁ ସରକାର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ତୃଣମୂଳସ୍ତରରୁ ହିଁ ଶିକ୍ଷା ବ୍ୟବସ୍ଥା,ବିଦ୍ୟାଳୟ ପରିସରକୁ ସଜାଡିବା ସହ ଘରୋଇ କୋଚିଙ୍ଗ୍ ସେଣ୍ଟର୍ ଗୁଡ଼ିକ ଉପରେ ନଜର ଦେବା ପାଇଁ ସାଧାରଣରେ ଦାବି ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ