ଅବ୍ୟବସ୍ଥା ଘେରରେ ସବ୍ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ପରିସରରେ ଦଲାଲ ସକ୍ରିୟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ନିର୍ଦ୍ଧାରିତ ସମୟରେ କର୍ମଚାରୀ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ କଡକାଡି କରାଯାଇଛି । ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ସହରରେ ଅବସ୍ଥାପିତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଚାକିରି କରୁଥିବା ସହରରେ ଘରଭଡା ନେଇ ରହିବା ପାଇଁ ନିୟମ ପ୍ରଚଳନ କରାଯାଇଥିଲେ ମଧ୍ୟ ସରକାରୀ ବାବୁ ମାନେ ସରକାରଙ୍କ ସମସ୍ତ ନିତିନିୟମକୁ ପଛରେ ପକାଇ ସହର ଠାରୁ ୨୦/୩୦ କିମି ଦୂରରେ ରହୁଥିବା ଜଣାପଡିଛି । ଘରଭଡା ବାବଦକୁ ସରକାରୀ ତହବିଲରୁ ଅର୍ଥରାଶି ପ୍ରଦାନ କରାଯାଉଥିଲେ ମଧ୍ୟ କାର୍ଯ୍ୟ କରୁଥିବା ସହରରେ ବହୂ ସରକାରୀ ବାବୁ ରହୁନଥିବା ଜଣାପଡିଛି । ଫଳରେ ସରକାରୀ ବାବୁ ସଠିକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ଜରୁରୀ କାର୍ଯ୍ୟରେ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀ ମାନେ ବହୁ ସମୟରେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଯାହାର ଜଳ୍ଳନ୍ତ ଉଦାହରଣ ହିଞ୍ଜିଳିକାଟୁ ସବ୍ ରେଜିଷ୍ଟାର କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଜମି, ଘର, ଜାଗା ରେଜିଷ୍ଟେସନ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବହୁ ଜନସାଧାରଣ ପ୍ରତିଦିନ ହିଞ୍ଜିଳିକାଟୁ ସବ୍ ରେଜିଷ୍ଟାର କାର୍ଯ୍ୟାଳୟକୁ ଆସିଥାନ୍ତି । ସରକାରୀ ନିୟମାନୁସାରେ କାର୍ଯ୍ୟାଳୟର କର୍ମଚାରୀ ମାନେ ପ୍ରତ୍ୟହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସିବାର ନିୟମ ରହିଛି । ହେଲେ କିଛି କର୍ମଚାରୀ ପ୍ରତ୍ୟହ ୧୧ଟାରେ ଆସୁଥିବା ବେଳେ କିଛି କର୍ମଚାରୀ ସାଢେ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି କାର୍ଯ୍ୟାଳୟର ମୁଖ୍ୟ ସବ୍ ରେଜିଷ୍ଟାର ମହୋଦୟା ମଧ୍ୟ ସାଢେ ୧୧ଟା ପୂର୍ବରୁ କାର୍ଯ୍ୟାଳୟକୁ ଆସୁନଥିବା ଦେଖିବାକୁ ମିଳିଛି । ଯଦ୍ୱାରା ଦୁରଦୂରାନ୍ତରରୁ ଜମି କିମ୍ବା ଜାଗା ରେଜିଷ୍ଟ କରିବାକୁ ଆସୁଥିବା ଗ୍ରାହକ ମାନେ ଅକାରଣରେ ସମୟ ନଷ୍ଟ କରିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ସାଢେ ୧୦ଟାରେ ହାତଗଣତି ମାତ୍ର ୨ ଜଣ କର୍ମଚାରୀ କାର୍ଯ୍ୟାଳୟକୁ ଆସୁଥିବା ନଜିର ରହିଛି । ସଂପୃକ୍ତ କାର୍ଯ୍ୟାଳୟରେ ଦଲାଲ ମାନେ ସକ୍ରିୟ ହୋଇ ଉଠିଛନ୍ତି । ହାତଗୁଞ୍ଜା ନଦେଲେ ଫାଇଲ୍ ଘୁଞ୍ଚୁନଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ଜୈନିକ ବ୍ୟକ୍ତ୍‌ି ନିଜର ଘରକୁ ୪୦ଲକ୍ଷ ଟଙ୍କାରେ ବିକ୍ରି କରିଥିବା ବେଳେ ସରକାରୀ କାଗଜପତ୍ରରେ ୮ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ନେଇ ଦଲିଲରେ ଦର୍ଶଯାଇଛି । ସଂପୃକ୍ତ କାର୍ଯ୍ୟାଳୟରେ ହାତଗୁଞ୍ଜା ଦେଲେ ସବୁ ଅସମ୍ଭବକୁ ସମ୍ଭବ କରି ଦିଆଯାଉଛି । ଏପରିକି ସଂପୃକ୍ତ କାର୍ଯ୍ୟାଳୟର ଜୈନିକ ୪ର୍ଥ ଶ୍ରେଣୀ କର୍ମଚାରୀ ମଦ୍ୟପାନ କରି କାର୍ଯ୍ୟାଳୟକୁ ଆସୁଥିବା ଏବଂ ହାତଗୁଞ୍ଜା ଅଧିକ ପରିମାଣରେ ନମିଳିସଲେ ଅସଭ୍ୟ ଭାଷା ପ୍ରୟୋଗ କରୁଥିବା ନେଇ ବହୁ ବ୍ୟକ୍ତି ଗୁରୁତର ଅଭିଯୋଗ କରିଛନ୍ତି । ଗତ କିଛି ଦିନ ପୂର୍ବେ ମୃତବ୍ୟକ୍ତିଙ୍କ ଦସ୍ତଖତ କରି ଜୈନିକ ବ୍ୟକ୍ତିଙ୍କ ଜମିକୁ ବିକ୍ରି କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ସଂପୃକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ମହଲରେ ନାନା ଆଶଙ୍କା ସୃଷ୍ଟି ହୋଇଥିଲା । କିଛି ଦିନ ପରେ ପୁଣିଥରେ ଏସବୁ ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଦାବି ଜଣାଇଛନ୍ତି । ଏ ନେଇ ହିଞ୍ଜିଳିକାଟୁ ସବ୍ ରେଜିଷ୍ଟାର ଅଧିକାରୀ ପ୍ରଜ୍ଞା କୁମାରୀ ସିଂହଦେଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ