ଅବ୍ୟବସ୍ଥା ଘେରରେ ସ୍ବାସ୍ଥ୍ୟ କେନ୍ଦ୍ର ର ପ୍ରସୂତି ବିଭାଗ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ଏବଂ ଆଖପାଖ ଅଞ୍ଚଳର ପ୍ରସୂତି ମାନଙ୍କ ପ୍ରଥମ ପସନ୍ଦ ଥିଲା ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ପୂର୍ବରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ମାସକୁ 2 ଶହ ରୁ 3 ଶହ ପ୍ରସବ କରାଯାଉଥିଲା। କିନ୍ତୁ ବିଗତ କିଛି ବର୍ଷ ହେବ ମାସକୁ ମାତ୍ର 30 ଜଣ ପ୍ରସୂତି ପ୍ରସବ ଲାଗି ଆସୁଥିବା ଜାତିବାକୁ ମିଳିଛି। ଏହାର କାରଣ ହେଲା, ଅଭିଜ୍ଞ ଓ ବିଭାଗୀୟ ଡାକ୍ତର ଙ୍କ ଅନୁପସ୍ଥିତି ଏବଂ ପ୍ରସୂତି ଙ୍କୁ ସହଯୋଗ ର ଅଭାବ ଲାଗି ଏଭଳି ଅବସ୍ଥା ସୃଷ୍ଟି ହୋଈଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି, ଗତ ଅକ୍ଟୋବର 09 ତାରିଖରେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ପ୍ରସୂତି ବିଭାଗ ରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ଅଗ୍ନିକାଣ୍ଡ ରେ ପ୍ରସୂତି ବିଭାଗ ରେ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଈଯିବା ସହ ବିଭାଗ ସାରା ଧୂଆଁ ରେ ପରିପୂର୍ଣ୍ଣ ହୋଈଯାଈଥିଲା। ଫଳରେ ସେହି ଓର୍ଡ ରେ ପ୍ରସବ ଲାଗି ବନ୍ଧାଗୁଡା ପଞ୍ଚାୟତ ଚଷା ମହୁଲି ଗ୍ରାମର କାହ୍ନୁ ଚରଣ ପାଣିଗ୍ରାହୀ ଙ୍କ ସମ୍ପର୍କିୟ ରଶ୍ମି ପାଢ଼ୀ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ। ପ୍ରସବ ପରେ ନାବଜାତ ପୁତ୍ର ସହିତ ଘରକୁ ଯିବାକୁ ଅପେକ୍ଷା କରିଥିବା ବେଳେ ପ୍ରସୂତି ବିଭାଗ ରେ ଅଗ୍ନିକାଣ୍ଡ ଘଟିଥିଲା, ଅଗ୍ନିକାଣ୍ଡ କୁ ଦେଖି ଦାୟିତ୍ୱ ରେ ଥିବା ସେବିକା ନବଜାତକ ଏବଂ ମା ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଖବର ପାଈ ଶେରଗଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଈଥିଲା। ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଙ୍କୁ ପଚାରିବାରୁ ପ୍ରକାଶ କରିଥିଲେ ଯେ,ଘଟଣାର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ଘଟଣା କୁ 2 ମାସ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା,ଅଗ୍ନିକାଣ୍ଡ ବିଷୟରେ କୌଣସି ସୁରାକ ମିଳିନାହିଁ। ଏହି ଘଟଣା ଘଟିବା ପୂର୍ବରୁ ଦୀର୍ଘ 6 ମାସ ହେବ ବିଭାଗ ରେ ଥିବା ନବଜାତକ ଲାଗି ଉଦ୍ଦିଷ୍ଟ ଓର୍ମର ଅଚଳ ହୋଇ ପଡିଥିଲା। ଓର୍ମର ଅଚଳ ହୋଇ ପଡିଥିବା ର ଖବର ଅଧିକାରୀ ଙ୍କୁ ବାରମ୍ବାର ଜଣାଈଥିଲେ ମଧ୍ୟ ଏନେଇ କୌଣସି ଦୃଷ୍ଟି ଦିଆଯାଉନଥିବା ଜଣାପଡିଛି। ଅଗ୍ନିକାଣ୍ଡ ଘଟି ପ୍ରସୂତି ବିଭାଗର ଦରଜା ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଈଯାଈଛି। ଏଠାକୁ ପ୍ରସବ ଲାଗି ଆସୁଥିବା ମହିଳା ମାନେ ଥଣ୍ଡା କାକର,ମଶାମାଛି ଙ୍କ ସହିତ ଲଢେ଼ଇ କରୁଥିବା ବେଳେ ଜନ୍ତୁଜନ୍ତା ଭୟ ବି ରହିଛି। ଏଭଳି ପରିସ୍ଥିତି କୁ ଦୃଷ୍ଟିରେ ରଖି ସେବିକା ମାନେ ନଷ୍ଟ ହୋଈଥିବା ଦରଜା ସ୍ଥାନରେ କାର୍ଟୁନ ରଖି କାର୍ଯ୍ୟ ଜାରି ରଖିଛନ୍ତି। ଘଟଣା ଘଟିବା ପରଦିନ ଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଉକ୍ତ ବିଭାଗ କୁ ପରିଦର୍ଶନ କରିବା ଲାଗି ନଯିବା ଦୁଃଖଦାୟକ ଘଟଣା। ସବୁଠାରୁ ବଡ ସମସ୍ୟା ହେଲା ପ୍ରସୂତି ବିଭାଗ ଦାୟିତ୍ୱ ରେ ଥିବା ସେବିକା ମାନଙ୍କ ଲାଗି ଏକ ବିଶ୍ରାମ ଗୃହ ନଥିବାରୁ ସେବିକା ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ଅଭାବରୁ,ନାହିଁ ନାହିଁ ରେ ଚାଲିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଆମେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ପ୍ରକାଶ କରିଥିଲେ ଯେ,ମୁଁ ନୂତନ ଭାବେ କାର୍ଯ୍ୟ ରେ ଯୋଗଦାନ କରିଛି, ଉକ୍ତ ଘଟଣା ମୁଁ ଆପଣଙ୍କ ଠାରୁ ଶୁଣିବାକୁ ପାଈଲି,ଏବଂ ସମସ୍ୟା ର ସମାଧାନ ଲାଗି ଚେଷ୍ଟା କରିବି। ଦେଖାଯାଉ,କେବେ ବଦଳିବ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନା ଯଥା ପୂର୍ବଂ ତଥା ପରଂ ନ୍ୟାୟ ରେ ଚାଲିବ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।