ଅବ୍ୟବସ୍ଥା ଭିତରେ ଶିଳପୋଖରୀ ପ୍ରାଥମିକ ବିଦ୍ୟାଳୟ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଶିକ୍ଷା ବିଭାଗରେ ମାଳ ମାଳ ଅଧିକାରୀ ନିଯୁକ୍ତି ଥିଲେବି ଉପଯୁକ୍ତ ତଦାରଖ ଅଭାବରୁ ସମଗ୍ର ବ୍ଲକରେ ଶିକ୍ଷାଦାନ ବିପର୍ଯ୍ୟସ୍ଥ ହୋଇପଡିଛି । କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ ଆଉ କେଉଁ ସ୍କୁଲକୁ ଶିକ୍ଷକ ଯାଉ ନାହାନ୍ତି । କିନ୍ତୁ ଏସବୁ ବୁଝିବାକୁ କେହି ଅଧିକାରୀ ଗୁରୁତ୍ୱ ଦେଉ ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସଢ଼ା ପଞ୍ଚାୟତର ଶିଳପୋଖରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀ ଥିବାବେଳେ ଗତ ୨୦୨୦ ମସିହାରୁ ଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି । ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ଦିଆଯାଇ କାମ ଚଳାଯାଉଥିଲା । ଯାହାକି ସରକାରୀ ରେକର୍ଡରେ ଉଳେଖ କରାଯାଇ ନାହିଁ । କିନ୍ତୁ ତନ୍ମଧ୍ୟରୁ ପୁଣି ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ସରଳ ପ୍ରାଥମିକ ବିଦ୍ୟାଳୟକୁ କାଢ଼ିଆଣିବା ପରେ ଏବେ ମାତ୍ର ଜଣେ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଛି ଏହି ବିଦ୍ୟାଳୟ । ସେ ମଧ୍ୟାହ୍ନ ଭୋଜନ କଥା ବୁଝିବେ, ଅଫିସ କାର୍ଯ୍ୟରେ ହାଟଡିହି ଆସିଲେ କିମ୍ବା କୌଣସି କାର୍ଯ୍ୟପାଇଁ ଛୁଟିରେ ରହିଲେ ସ୍କୁଲ ବନ୍ଦ ହୋଇଯାଉଛି । ଏଠାରେ କେବଳ ଆଦିବାସୀ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରୁଥିବାବେଳେ  ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଅଧିକାଶଂ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଆଉ ସ୍କୁଲ ପଠାଉ ନାହାନ୍ତି । ୨୦୨୦ରୁ କରୋନା କଟକଣା ପାଇଁ ସ୍କୁଲ ବନ୍ଦ ହୋଇଯିବାପରେ  ସ୍କୁଲ ପିଲାଙ୍କ ବ୍ୟାଙ୍କ ଜମା ଖାତାକୁ ମଧ୍ୟାହ୍ନ ଭୋଜନ ଟଙ୍କା ଦେବାକୁ ସରକାର ଘୋଷଣା କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଏଠାରେ କାର୍ଯ୍ୟକାରୀ କରାଯାଇ ନାହିଁ । ଏପରିକି ମଧ୍ୟାହ୍ନ ଭୋଜନର କୌଣସି ରେକର୍ଡପତ୍ର ମଧ୍ୟ ସ୍କୁଲରେ ନାହିଁ । ବର୍ତ୍ତମାନର ଶିକ୍ଷୟତ୍ରୀ ଜଣକ ନିଜ ପକେଟରୁ ପଇସା ଖର୍ଚ୍ଚ କରି ୧୫ଦିନ ହେଲା ମଧ୍ୟାହ୍ନ ଭୋଜନ ଦେଉଛନ୍ତି ବୋଲି କହିଛନ୍ତି । ଗ୍ୟାସ ଟାଙ୍କି ଓ ଚୁଲା ଥିଲେବି ଗ୍ୟାସ ଭରିବା ପାଇଁ ଟଙ୍କା ନଥିବାରୁ କାଠ ଜାଳରେ ରୋଷେଇ ହେଉଛି ବୋଲି ସେ କହିଛନ୍ତି । ବିଦ୍ୟାଳୟ ନଳକୂପ ଅଚଳ ଥିବାରୁ ଛାତ୍ରଛାତ୍ରୀ ମାନେ ଗାଁ ଭିତରେ ଥିବା ନଳକୂପରୁ ପାଣି ଆଣି ବ୍ୟବହାର କରୁଛନ୍ତି । ବିଦ୍ୟାଳୟର ପାଇଖାନା ମଧ୍ୟ ଭାଙ୍ଗିକି ପଡିଛି ।  ଏପରି ଅନେକ ସମସ୍ୟାରେ ସ୍କୁଲଟି ଛନ୍ଦି ହୋଇପଡିଥିବାବେଳେ ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ଏନେଇ ବିଇଓ ଏବଂ ଏବିଇଓଙ୍କୁ ବାରମ୍ବାର ଜଣାଇଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୩ଜଣ ଏବିଇଓ ଏବଂ ଜଣେ ବିଇଓ ଥିଲେବି ଦୀର୍ଘ ୪ବର୍ଷ ଭିତରେ ଜଣେକି ହେଲେ ଅଧିକାରୀଙ୍କ ପାଦ ପଡିନି ଉକ୍ତ ବିଦ୍ୟାଳୟରେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଇଓ ଏବଂ ଏବିଇଓ ମାନେ ନିୟମିତ ସ୍କୁଲ ପରିଦର୍ଶନ ପାଇଁ ନିୟମ ଥିଲେବି ଏଠାକାର ଅଧିକାରୀ ମାନେ କେତେ ତତ୍ପର ଓ କର୍ତ୍ତବ୍ୟନିଷ୍ଠ ତାହା ଏହି ସ୍କୁଲକୁ ଦେଖିଲେ ଜଣାପଡେ । ଏ ସମ୍ପର୍କରେ ବିଇଓ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ସେ ଆଜି ଏ ସମ୍ପର୍କରେ ଜାଣିବାକୁ ପାଇଲେ, ତେଣୁ ଦିନେ ଦୁଇଦିନ ଭିତରେ ଉକ୍ତ ସ୍କୁଲକୁ ଯାଇ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ