ଅଭାବୀ ଧାନ ବିକ୍ରିକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ହିଂଜିଳି କଂଗ୍ରେସ

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକର ୧୫ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ଗୋଟିଏ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କ୍ରୟ ସକାଶେ ଠିକ୍ କରାଯାଇଥିଲା । ଚଳିତ ବର୍ଷ ଅନଲାଇନ ଯୋଗୁଁ ଟୋକେନ ପାଇନଥିବା ଚାଷୀ ସମିତିର ସମ୍ପାଦକଙ୍କୁ ଟୋକେନ ବିଷୟରେ ପଚରିଲେ ଉପରୁ ଟୋକେନ ଆସୁଛି, ଏଥିରେ ଆମର କିଛି କରିବାର ନାହିଁ କହି ଚାଷୀଙ୍କୁ ବୁଝାଇ ସୁଝାଇ ଫେରାଇ ଦେଉଛନ୍ତି । ଯାହା ଫଳରେ ପ୍ରକୃତ ଚାଷୀ ଧାନ ଅମଳ କରି ସରକାରଙ୍କଟୋକେନ ବ୍ୟବସ୍ଥାକୁ ଚାହିଁ ବସିଛି । ଚୋରା ବେପାରୀ ଓ ସମବାୟ ସମ୍ପାଦକ ଏବଂ ସ୍ଥାନୀୟ ଯୋଗାଣ ନିରୀକ୍ଷକଙ୍କ ମଧୁଚନ୍ଦ୍ରିକାରେ ଯୋଗାଣ ବିଭାଗର ଧାନ କ୍ରୟ ବ୍ୟବସ୍ଥା ବାଧାପ୍ରାପ୍ତ ହୋଉଛି । ହିଂଜିଳି ବ୍ଳକ ଗଣ୍ଡଳା ଗ୍ରାମର କିଛି ଚାଷୀ ଟୋକେନ ପାଇଥିଲେ ମଧ୍ୟ ସେମାନଙ୍କ ଅମଳ ଧାନ ମଣ୍ଡିରେ ବିକ୍ରି ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି ଶେଷ ହେବାକୁ ଥିବା ବେଳେ ସମବାୟ ସମ୍ପାଦକ ଏବଂ ସ୍ଥାନୀୟ ଯୋଗାଣ ନିରୀକ୍ଷକଙ୍କ ମେରିରାୟ ଶାସନ ଯୋଗୁଁ ଗଣ୍ଡଳା ପଂଚାୟତର ବହୁ ଚାଷୀ ଟୋକେନ ପାଇଥିଲେ ମଧ୍ୟ ସେମାନଙ୍କଅମଳ ଧାନ ବିକ୍ରି କରିନପାରି ଟୋକେନ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅଭିଯୋଗ କରି ହିଂଜିଳିକାଟୁ ବ୍ଳକ କଂଗ୍ରେସ ପକ୍ଷରୁ ଏକ ଟିମ୍ ଶୁକ୍ରବାର ଭୂବନେଶ୍ୱର ଯାଇ ମହାମହିମ ରାଜ୍ୟପାଳ ଡ଼ଃ. ଗଣେଷ ଲାଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ହିଂଜିଳି ବ୍ଳକ କଂଗ୍ରେସ ସଭାପତି ପଦ୍ମଚରଣ ସାହୁ, ବସନ୍ତ କୁମାର ପଟ୍ଟନାୟକ, ଦୟାନିଧି ମହାନ୍ତି, ପଙ୍କଜ କୁମାର ଗୌଡ଼, ନିଶିକାନ୍ତ ସାହୁ, ବାବୁ ସାହୁ, ନିଳାଂଚଳ ପାଣିଗ୍ରାହୀ, ବାଉରିଆ ଗୌଡ଼, ବୃନ୍ଦାବନ ଦାଶ, ଗୁଜୁରି ଦାସ, ସ୍ୱରାଜ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।