ଅଭିଜ୍ଞାତା ଥିବା ଡ୍ରାଇଭର ଵି ଟେଷ୍ଟରେ ଫେଲ
କୋରାପୁଟ,(ହେମନ୍ତ ପାଣଗ୍ରାହୀ): କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସର ର ସଂକୀର୍ଣ୍ଣ ଜାଗାରେ ଚାଲିଛି ଡ୍ରାଇଭିଂ ଟେଷ୍ଟ ।ତିରିଶ ବର୍ଷ ରୁ ଉର୍ଦ୍ଧ ଡ୍ରାଇଭର ଵି ଫେଲ ମାରୁଛନ୍ତି। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି। ଆଞ୍ଚଳିକ ପରିବହନ ରେ ସ୍ୱଛତା ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗ ତରଫରୁ ବିଭିନ୍ନ ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ କୋରାପୁଟ ଜ଼ିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଏହାର ବ୍ୟତିକ୍ରମ ଦେଖିବା କୁ ମିଳିଛି। ଡ୍ରାଇଭିଂ ଟେଷ୍ଟ ପାଇଁ ଜାଗା ନ ଥିବା ଯୋଗୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସର ରେ ହେଉଛି ଡ୍ରାଇଭିଂ ଟେଷ୍ଟ କାର୍ଯ୍ୟକ୍ରମ। କେଉଁ ମୁହୂର୍ତ୍ତ ରେ ଯେ ଅଘଟଣ ଘଟିଯିବ ତାହା ଭାବିବା ଅସମ୍ଭବ।ଟେଷ୍ଟ ଦେବା ସମୟରେ ନା ଅଛି ପ୍ରଯ୍ୟାପ୍ତ ପରିମାରଣ ର ସ୍ଥାନ ନା ଅଛି ସିସି ଟିଭି ର ସୁବିଧା। ଏଣୁ ଡ୍ରାଇଭିଂ ଟେଷ୍ଟ ରେ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ଆସୁଛି। କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ହାତ ଗୁଞ୍ଜା ଦେଲେ ସବୁ କିଛି ସମ୍ଭବ ନ ଦେଲେ ବାରମ୍ବାର କାର୍ଯ୍ୟାଳୟ କୁ ଦୌଡିବା କୁ ପଡୁଛି ବୋଲି ଅଭିଯୋଗ ଆସିଛି । ବାଇକ କି କାର ଡ୍ରାଇଭିଂ ଟେଷ୍ଟ ପାଇଁ ପ୍ରୟାପ୍ତ ପରିମାଣରେ ଜାଗା ନାହିଁ l କାର ଡ୍ରାଇଭିଂ ପାଇଁ ଚୂନ ରେ ଟ୍ରାକ କରାଯାଇଛି ଯାହା ୫ ରୁ ୭ ଟା ଗାଡି ଟେଷ୍ଟ ଦେଇ ସାରିବା ପରେ ଚୂନ ଲିଭି ଯାଉଛି।ଏହା ପରେ ଯେଉଁ ମାନେ ଡ୍ରାଇଭିଂ ଟେଷ୍ଟ ଦେଉଛନ୍ତି ସେମାନଙ୍କୁ ଟ୍ରାକ ଠିକ ସେ ଦେଖା ଯାଉନାହିଁ ଯାହା ଫଳରେ ଡ୍ରାଇଭ ଟେଷ୍ଟ ଦେଉଥିବା ପାର୍ଥି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଡ୍ରାଇଭିଂ ଲାଇସେନ୍ସ ରେନୁଆଲ କରିବା ପାଇଁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଡ୍ରାଇଭିଂ ଟେଷ୍ଟ ରେ ଫେଲ କରାଯାଉଛି l ସେମାନେ ଟ୍ୟାକ୍ସି ଚଳାଇ ରୋଜଗାର କରିବା ସମ୍ଭବ ପର ହେଉନାହିଁ l ଯାହା ଫଳରେ ସେମାନଙ୍କ ପରିବାର ଭୋକ ଉପାସରେ ରହୁଛନ୍ତି।
ଆଗରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୁ ଲାଗି ରହିଥିବା ବିଦ୍ୟାଳୟ ର ଖେଳ ପଡିଆ ରେ ଡ୍ରାଇଭିଂ ଟେଷ୍ଟ ହେଉଥିଲା । ସେଇ ପଡିଆ ରେ ଫିଟନେସ ପାଇଁ ଗାଡି ଗୁଡିକ ଘଣ୍ଟା, ଘଣ୍ଟା ଧରି ରହିବା ଯୋଗୁ ବିଦ୍ୟାଳୟ ତରଫରୁ ଅଭିଯୋଗ ଆସିବା ପରେ ସେଠାରୁ ସ୍ଥାନାନ୍ତରିତ କରାଯାଇଥିଲା । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ଠାରେ ପୋଲିସ ହାଉସିଂ ବୋର୍ଡ଼ ଦ୍ଵାରା ନୂତନ କରି ସ୍ୱୟଂକ୍ରୀୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ନିର୍ମାଣ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ । ଆଉ କେତେ ବର୍ଷ ପରେ ଶେଷ ହେବ ତାହା ଅନିଶ୍ଚିତତା ଭିତରେ ରହିଛି l ଗୋଟେ ପଟେ ସ୍ୱୟଂକ୍ରୀୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ଅନ୍ୟ ପଟେ ପରିବହନ କାର୍ଯ୍ୟାଳୟ ପରିସରରେ ବିପଦ ସଂକୁଳ ଭାବେ ଡ୍ରାଇଭିଂ ଟେଷ୍ଟ କୁ ନେଇ ଲୋକ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି l ଖୁବ ଶୀଘ୍ର ସ୍ୱୟଂକ୍ରୀୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଶେଷ କରିବା ସହିତ ସମସ୍ତ ଗାଡି ସେଠାରେ ଡ୍ରାଇଭିଂ ଟେଷ୍ଟ କରାଇବା ପାଇଁ ଦାବି କରାଯାଇଛି l