ଅଭିନବ ଉପାୟରେ ଚାଷୀଙ୍କ ଠାରୁ ଲୁଟିଲେ ୨୭୯୦୦ ଟଙ୍କା
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ବୁଧବାର ଜୈନିକ ଚାଷୀଙ୍କ ଠାରୁ ଲୁଟେରା ମାନେ ଅଭିନବ ଉପାୟରେ ୨୭ହଜାର ୯ ଶହ ଟଙ୍କା ଲୁଟିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରକାଶ ଯେ, ହିଂଜିଳି ଥାନା ସାରୁ ଗ୍ରାମ ଦେଉଳବନ୍ଧ ସାହିର ଅଲେଖ ପୋଲାଇ ଟଙ୍କା ଉଠାଣ ସକାଶେ ହିଂଜିଳିକାଟୁ ସହରକୁ ଆସିଥିଲେ । ବ୍ୟାଙ୍କରୁ ୩୦ ହଜାର ଟଙ୍କା ଉଠାଣ ପରେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ପରିସର ନିକଟସ୍ଥ ସେବା ସମବାୟ ସମିତିକୁ ଯାଇ ଋଣ ବାବଦକୁ ୨୧ଶହ ଟଙ୍କା ପୈଠ କରିବା ପରେ ଅବଶିଷ୍ଟ ୨୭୯୦୦ ଟଙ୍କା ଧରି ସେବା ସମବାୟ ସମିତି ବାହାରକୁ ଆସିଥିଲେ । ଉକ୍ତ ସମୟରେ ଏକ ଅଚିହ୍ନା ଯୁବକ ବାଇକ ଯୋଗେ ଆସି ବୃଦ୍ଧଙ୍କୁ ନିଜକୁ କେନ୍ଦ୍ର ସରକାରଙ୍କ ଏକ ଯୋଜନାର ଏଜେଂଟ ଭାବେ ପରିଚୟ ଦେଇ ବୃଦ୍ଧଙ୍କୁ ନିଜ ବାଇକ ପଛପଟେ ବସାଇ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ନିକଟକୁ ନେଇ କେନ୍ଦ୍ର ସରକାରଙ୍କଏକ ନିର୍ଦ୍ଧିଷ୍ଟ ଯୋଜନାରେ ଟଙ୍କା ଜମା କଲେ କମ୍ ଦିନରେ ଟଙ୍କା ଦ୍ୱିଗୁଣିତ ହେବ ବୋଲି ପ୍ରଲୋଭନ ଦେଖାଇଥିଲା । ବୃଦ୍ଧ ଜଣକ ଯୁବକଙ୍କ ପ୍ରଲୋଭନର ଶିକାର ହୋଇ ଏକ ଫର୍ମରେ ଦସ୍ତଖତ କରିବା ସହ ଧରିଥିବା ୨୭୯୦୦ ଟଙ୍କା ଅଚିହ୍ନା ଯୁବକଙ୍କ ହାତକୁ ଦେଇଥିଲେ । ଟଙ୍କା ପାଇ ଯୁବକ ଜଣକ ଆଖି ପିଛୁଳାକେ ବାଇକ ଯୋଗେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ବୃଦ୍ଧଙ୍କ ଟଙ୍କା ଲୁଟ ହୋଇଥିବା ଜାଣିପାରି ବୃଦ୍ଧ ଚାଷୀ ଜଣକ ଘଟଣା ନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଜଣାଇଥିଲେ । ବିଡ଼ିଓ ପାତ୍ର ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପାଇଁ ବୃଦ୍ଧଙ୍କୁ କହିଥିଲେ । ଘଟଣା ନେଇ ବୃଦ୍ଧ ଜଣକ ହିଂଜିଳି ଥାନାରେ ମୈଖିକ ଭାବେ ଅଭିଯୋଗ କରିଥିବା ନେଇ କହିଛନ୍ତି । ତେବେ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଘଟଣା ନେଇ ବିଡ଼ିଓଙ୍କ ଠାରୁ ଖବର ପାଇ ଥାନା ଆଇଆଇସି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।