ଅଭିନବ ପ୍ରଚେଷ୍ଟା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରୁ ଶିକ୍ଷା ଲାଭ କରିବାକୁ ପରାମର୍ଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତୀୟ ପ୍ରଶାସନିକ ସେବା (ଆ.ଇ.ଏ.ଏସ୍) ଶିକ୍ଷାନବିଶମାନଙ୍କ ସହ ଆଲୋଚନା କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହା ନିର୍ଦ୍ଦେଶକ ରଂଜନା ଚୋପ୍ରାଙ୍କ ନେତୃତ୍ୱରେ ଏହି ୬ ଜଣିଆ ଦଳ ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ । ଆଲୋଚନା ବେଳେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରି ନିଜ ନିଜ ଅଂଚଳରେ ସେସବୁର କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବା ପାଇଁ ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷତଃ ନୂଆ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି, ଶିଳ୍ପ ପାଇଁ କ୍ଷେତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି, ଗ୍ରାମ ସମୁଦାୟ ଭିତ୍ତିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରକୃତି ପର୍ଯ୍ୟଟନ, ରୋଜଗାର କ୍ଷମତା ବୃଦ୍ଧି ମାଧ୍ୟମରେ ମହିଳା ସଶକ୍ତିକରଣ, ସହରାଞ୍ଚଳ ଜଙ୍ଗଲ ପରିଚାଳନା, ଗ୍ରାମାଞ୍ଚଳରେ ସହରୀ ସୁବିଧା ସୃଷ୍ଟି, ପ୍ରତି ଘରକୁ ପାଇପ୍ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ, ସଡ଼କ ଓ ପୋଲ ନିର୍ମାଣ ଏବଂ ସେସବୁର ରକ୍ଷଣାବେକ୍ଷଣ, ପୋଲ ତଳେ ସ୍ୱଳ୍ପ ଉଚ୍ଚ ଡ୍ୟାମ୍ ନିର୍ମାଣ ଆଦି କ୍ଷେତ୍ରରେ ଅନେକ ନୂତନ କୌଶଳର ପ୍ରୟୋଗ ରାଜ୍ୟରେ ସଫଳତାର ସହ କରାଯାଇଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସୃଜନାତ୍ମକ ପ୍ରୟୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ରୂପାନ୍ତରଣରୁ ମଧ୍ୟ ଶିକ୍ଷାଲାଭ କରିବାକୁ ପ୍ରୋବେଶନରମାନଙ୍କୁ ପରାମର୍ଶ ଦେଇଥିଲେ । ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ପରିବହନ ନିରୀକ୍ଷଣ, ସାଧାରଣ ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ଜଙ୍ଗଲ ଚତୁଃପାର୍ଶ୍ୱ ନିର୍ଣ୍ଣୟ, ସାଟେଲାଇଟ୍ ମାଧ୍ୟମରେ ବିକାଶ ଡ଼ାଟାହବ୍ ପ୍ରସ୍ତୁତି, ସାର୍ବଜନୀନ ସ୍ୱାସ୍ଥ୍ୟସେବା ସଂପ୍ରସାରଣ, ଆର୍ଥିକ ପରିଚାଳନା, ଚାଷ କ୍ଷେତ୍ରରେ ଶସ୍ୟ ସ୍ଥିତି ଅନୁଧ୍ୟାନ, ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ, ସ୍ୱୟଂକ୍ରିୟ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ବିଭାଗ ମଧ୍ୟରେ ଫାଇଲର ଦେଣନେଣ, ତ୍ୱରିତ ନିଷ୍ପତ୍ତି ଗ୍ରହଣ, ବିଭିନ୍ନ ପ୍ରକାର ବୃତ୍ତି ପ୍ରଦାନ, ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ ଆଦି କ୍ଷେତ୍ରରେ ନୂତନ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ କରାଯାଇଛି । ବନାନୀ, ପ୍ରାକୃତିକ ଦୃଶ୍ୟରାଜି, ବନ୍ୟଜନ୍ତୁ ଓ ଜୈବ ବିବିଧତା ଆଦି ପ୍ରାକୃତିକ ସଂପତ୍ତିର ଆମେ ବ୍ୟବସାୟିକ ବ୍ୟବହାର କରିନାହୁଁ । ବରଂ ଏସବୁର ସଂରକ୍ଷଣ ଏବଂ ଅବିବୃଦ୍ଧିରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସାମିଲ କରି ସେମାନଙ୍କ ପାଇଁ ନୂତନ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି କରିଛୁ । ଏହି ମୋଡ଼େଲ୍ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ପ୍ରାକୃତିକ ପରିବେଶ ପାଇଁ ବେଶ ଲାଭଦାୟକ ହୋଇଛି । ଓଡ଼ିଶାରେ ଶସ୍ୟ ବିବିଧକରଣ, ଭୂତଳଜଳର ବ୍ୟବହାର ଏବଂ ପରିପୁରଣ, ଜୈବିକ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏସବୁ କ୍ଷେତ୍ରରେ ସୃଜନାତ୍ମକ ଅଭିନବ ପ୍ରକଳ୍ପମାନ ପ୍ରସ୍ତୁତକରି ନିଜ ନିଜ ଅଂଚଳରେ ପ୍ରୟୋଗ କରିବାକୁ ସେ ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଥିଲେ । ଗୋପବନ୍ଧୁ ଏକାଡେମୀର ମହା ନିର୍ଦ୍ଦେଶ ରଂଜନା ଚୋପ୍ରା ଜଣାଇଥିଲେ ଯେ ଭେଟିବାକୁ ଆସିଥିବା ସମସ୍ତ ଶିକ୍ଷାନବିଶମାନେ ଓଡ଼ିଶା କ୍ୟାଡ଼ର ଅନ୍ତର୍ଭୁକ୍ତ ଏବଂ ସେମାନେ ୨୦୨୧ ବ୍ୟାଚ୍ର । ଏହି ଶିକ୍ଷାନବିଶମାନେ ହେଲେ ଓଡ଼ିଶାର ଡ଼ାକ୍ତର ରିନା ପ୍ରଧାନ, କେରଳର ଦୀନା ଦସ୍ତାଗୀର, ପଞ୍ଜାବର କିରନ୍ଦୀପ୍ କାଉର୍, ମହାରାଷ୍ଟ୍ରର ପି.ଅରବିନ୍ଦ ଜାଦେଶିର୍କେ, ରାଜସ୍ଥାନର ରହମ୍ କ୍ଷେତ୍ରୀ, ଏବଂ ତ୍ରୀପୁରାର ଧିମନ୍ ଚକ୍ମା । ଏମାନେ ପ୍ରାୟ ୧ ବର୍ଷ ଓଡ଼ିଶାରେ ବର୍ତ୍ତମାନ ତାଲିମ ନେବେ । ଗୋପବନ୍ଧୁ ଏକାଡ଼େମୀ ତାଲିମ ଯୁଗ୍ମ କମିଶନର ହିମାଂଶୁ ଭୁଷଣ ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ