ଅଭିନବ ମତଦାନ ସଚେତନତା
ବିହାରର ପାଟନାରେ ଜଣେ ୪୫ବର୍ଷୀୟ ବ୍ୟକ୍ତି ସାଇକେଲ ଚଳାଇ ଲୋକମାନଙ୍କୁ ମତଦାନ କରିବାକୁ ଉତ୍ସାହିତ କରିବା ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୪୫ ବର୍ଷୀୟ ଲାଲ୍ ମଣି ଦାସ୍ ଭୋଟ୍ ଆରମ୍ଭ ହେବା ପୂର୍ବରୁ ସାଇକେଲ ଚଳାଇ ନିଜର ଅଭିଯାନ ଆରମ୍ଭ କରିଥିଲେ । ଏପରି କରିବା ପାଇଁ ତାଙ୍କୁ କୌଣସି ରାଜନେତା ବା ଦଳ କହି ନଥିବା ବେଳେ ନିଜ ସ୍ୱଇଚ୍ଛାରେ ସେ ଏଭଳି କରୁଥିବା କହିଛନ୍ତି । ଭୋଟ୍ ଶେଷ ହେବା ପର୍ଯ୍ୟନ୍ତ ସେ ନିଜର ଏହି ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ଦେଶରେ କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ମତଦାନ କରିବାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି । କିଛି ଲୋକଙ୍କୁ ପ୍ରାର୍ଥୀ ପସନ୍ଦ ନଥିବାରୁ ମଧ୍ୟ ସେମାନେ ମତଦାନ କେନ୍ଦ୍ରକୁ ଯାଇ ନଥାନ୍ତି । ସେମାନଙ୍କୁ ମତଦାନ କରିବା ତାଙ୍କର ଅଧିକାର ଏବଂ ମତଦାନ କେତେ ଜରୁରୀ ସେ ବିଷୟରେ ଜଣାଇବା ସହ ପ୍ରାର୍ଥୀ ପସନ୍ଦ ନଥିଲେ ସେମାନେ ମତଦାନ କେନ୍ଦ୍ରକୁ ଯାଇ ନୋଟା ବଟନ୍ ମଧ୍ୟ ଦବାଇପାରିବେ ବୋଲି ଜଣାଇବା ପାଇଁ ମୁଁ ଏଭଳି ଅଭିଯାନ ଆରମ୍ଭ କରିଛି ବୋଲି କହିଛନ୍ତି ଲାଲ ମଣି ଦାସ୍ । ପେଶାରେ ଜଣେ ଖାଦ୍ୟ ବିକାଳି ହୋଇଥିବା ବେଳେ ତାଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ସକାଳ ଖାଦ୍ୟ ବିକିବାକୁ ପଡ଼ିଥାଏ । ନିଜର ପେଶାକୁ ଆଖି ଆଗରେ ରଖି ସେ ନିଜ ଶରୀରରେ ଏବଂ ଚଳାଉଥିବା ସାଇକେଲରେ ମତଦାନର ଗୁରୁତ୍ୱ ଲେଖାଥିବା କାଗଜ ଲଗାଇ ଲୋକମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରୁଥିବା ଜଣାପଡ଼ିଛି । ତାଙ୍କର ଏହି ଅଭିଯାନ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଲୋକେ ତାଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।