ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ : ସ୍କୁଲ୍ ଚାଲିଲୁ ଆମେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାମାରୀ କରୋନା ଯୋଗୁଁ ଆଜକୁ ଦୁଇବର୍ଷ ହେବ ବିଦ୍ୟାଳୟରେ ତାଲା ପଡ଼ିଥିଲା । ଯଦ୍ୱାରା କିଛି ବିଦ୍ୟାର୍ଥୀ ବସ୍ତାନି ଠାରୁ ଦୂରରେ ରହିଯାଇଥିଲେ । ପାଠ ପଢାରୁ ମନ ଛାଡ଼ି ଯାଇଥିଲା । ଏହି ଦୁଇବର୍ଷ ମଧ୍ୟରେ କିଛି ପିଲା ବାପା ଓ ମାଆଙ୍କ ସହ ମୂଲ ଲାଗିବା ପାଇଁ ଚାଲିଗଲେ । ଏବେ ସ୍କୁଲ୍ ଖୋଲିବା ପରେ ବି ପିଲାମାନେ ସ୍କୁଲ୍ ଯିବାର ନାଁ ଧରିଲେ ନାହିଁ । ଏହା କୌଣସି ଉପାନ୍ତ ଅଞ୍ଚଳର ବିଦ୍ୟାର୍ଥୀମାନଙ୍କ କଥା ନୁହେଁ । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଥିଲା ଖୋଦ୍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇରେ । ବିଦ୍ୟାର୍ଥୀ ମାନଙ୍କର ଏଭଳି ଅଭାବନୀୟ ପରିସ୍ଥିତିକୁ ଦେଖି ଗାଁର ବିକାଶ ଦିଗରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ ଗତ କିଛିଦିନ ତଳେ ଗାଁରେ ଆରମ୍ଭ କରିଥିଲେ ‘ଆସ ଆମେ ସ୍କୁଲ୍କୁ ଯିବା’ ସଚେତନତା କାର୍ଯ୍ୟକ୍ରମ । ଗାଁର ଅଭିଭାବକ ଓ ବିଦ୍ୟାର୍ଥୀଙ୍କୁ ବୁଝାସୁଝା କରିବା ପରେ ଏବେ ୧୧ଜଣ ବିଦ୍ୟାର୍ଥୀ ସ୍କୁଲ୍ ଯିବା ଲାଗି ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି । ଆମେ ଆଉ ମୂଲ ଲାଗିବାକୁ ଯିବୁ ନାହିଁ । ସ୍କୁଲ୍କୁ ଯିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପାଠ ପଢିବୁ, ଭଲ ମଣିଷ ହେବୁ । ସୂର୍ଯ୍ୟଙ୍କ ପରି ଚମକିବୁ । ଫୁଲ ପରି ମହକିବୁ ବୋଲି ବିଦ୍ୟାର୍ଥୀମାନେ ନିଜ ମନର କଥାକୁ ପ୍ରକାଶ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଆଦିବାସୀ ବିଦ୍ୟାର୍ଥୀମାନେ ସ୍କୁଲ୍ ଯିବା ପୂର୍ବରୁ ସେମାନଙ୍କୁ ସ୍କୁଲ୍ ବ୍ୟାଗ୍, ଖାତା, କଲମ ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଆଦି ଜିନିଷ ଶହୀଦନଗର ଅଞ୍ଚଳର ସାମାଜିକ କର୍ମୀ ଶ୍ରୀମତୀ କ୍ରିଷ୍ଣା ମହାପାତ୍ର ଯୋଗାଇ ଦେଇଛନ୍ତି । ପାଠ୍ୟ ଉପକରଣ ଗୁଡ଼ିକୁ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ସାମାଜିକ କର୍ମୀ ଶ୍ରୀପତି ଆଚାର୍ଯ୍ୟ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା ଏବଂ ପ୍ରଦୀପ୍ତ ରଞ୍ଜନ ରାଉତଙ୍କ ଉପସ୍ଥିତିରେ ପ୍ରଦାନ କରଯାଇଛି । ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ଯିବା ନିଶ୍ଚିତ ହେବା ପରେ ଅଭିଭାବକ ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି ।


