ଅଭିମୁନ୍ୟ ପଣ୍ଡାଙ୍କ ହତ୍ୟାର ତଦନ୍ତ ପାଇଁ ସରକାରଙ୍କୁ ଓସାର ଅନୁରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କନ୍ଧମାଳ ଜିଲ୍ଲାର ବିଶିଷ୍ଟ ସୂଚନାଧିକାର କର୍ମୀ ଶ୍ରୀ ଅଭିମୁନ୍ୟ ପଣ୍ଡାଙ୍କ ହତ୍ୟା ଘଟଣାକୁ ଛଅଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରି ନାହିଁ ବା ତଦନ୍ତରେ କୌଣସି ଅଗ୍ରଗତି ଘଟୁନାହିଁ । ତେଣୁ ପୋଲିସ୍ ତଦନ୍ତ ଉପରେ ସର୍ବସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଉକ୍ତ ଘଟଣାର ସମୟବଦ୍ଧ ତଦନ୍ତ ପାଇଁ ଏସ୍‌.ଆଇ.ଟି(ସ୍ପେସାଲ ଇନ୍‌ଭେଷ୍ଟିଗେସନ ଟିମ୍‌)କୁ ଦେବାକୁ ନିବେଦନ କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୋମବାର ‘ଓସା’ ତରଫରୁ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଆୟୋଜନ କରାଯାଇଥିଲା । ଏହି ଗଣଧାରଣାରେ ଶତାଧିକ ସୂଚନାଧିକାର କର୍ମୀ ଯୋଗଦେଇ ଅଭିମନ୍ୟୁ ହତ୍ୟାକାଣ୍ଡର ଦୃଢ ନିନ୍ଦା କରିବା ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷାନ ଦାବୀ କରିଥିଲେ । ସୂଚନାଧିକାର କର୍ମୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ଜିଆଉଦ୍ଦିନ ଅହମ୍ମଦ, ଅଭିଯାନର ମୟୁରଭଞ୍ଜ ଆବାହକ ସନ୍ତୋଷ ମହାନ୍ତି, ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସ, ପ୍ରମୋଦ ଦେ, କେଦାର ନାଥ ସାହୁ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତଙ୍କ ସୁରକ୍ଷା କବଚ ସାଜିବା ସହ ସୂଚନାଧିକାର କର୍ମୀଙ୍କ ହତ୍ୟାକାରୀ ସାଜିଛନ୍ତି ବୋଲି କହିଥିଲେ । ଅଭିମନ୍ୟୁ ହତ୍ୟାକାଣ୍ଡର ୬ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ପୋଲିସ୍ ପ୍ରଶାସନ ଧରିବାରେ ବିଫଳ ହୋଇଥିବାରୁ ଏହା କି ପ୍ରକାର ୫-ଟି ସରକାର ବୋଲି ସେମାନେ ଭର୍ତ୍ସନା କରିଥିଲେ । ଅଭିମୁନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀମାନେ ସୁପାରି କିଲର ଏବଂ ସେମାନଙ୍କୁ ପ୍ରଚୁର ଅର୍ଥ ଦିଆଯାଇ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଛି ବୋଲି ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତିି ଯେ, ଏହି ହତ୍ୟାକାଣ୍ଡରେ ଠିକାଦାର, ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଶାସକ ଦଳର କୁଜିନେତା ଏବଂ ମଦ ମାଫିଆଙ୍କ ଜଘନ୍ୟ ଷଡ଼ଯନ୍ତ୍ର ରହିଛି ଯାହାର ଫର୍ଦ୍ଦାଫାଶ ଜରୁରୀ । ତେଣୁ ଘଟଣାର ଏସ୍‌.ଆଇ.ଟି ତଦନ୍ତ, ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ରାଜ୍ୟରେ ସୂଚନାଧିକାର କର୍ମୀମାନଙ୍କୁ ସୁରକ୍ଷା ଯେଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଏକ ପ୍ରତିନିଧି ଦଳ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ସୂଚନାଧିକାର କର୍ମୀ ମାହି ନିକେତାର, ଜିଆଉଦ୍ଦିନ, କେଦାର ନାଥ ସାହୁ ପ୍ରମୁଖ ରାଜଭବନକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ