ଅଭିଯୁକ୍ତଙ୍କ ସହିତ ସେଲ୍ଫି ଉଠାଇ ସସପେଣ୍ଡ୍ ହେଲେ ଆଇଆଇସି
ଭୁବନେଶ୍ୱର: ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ଉଠାଇବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଡିଜି ବି.କେ ଶର୍ମା ତାଙ୍କୁ ଆଜି ସସ୍ପେଣ୍ଡ କରିଛନ୍ତି । ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଫଳରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଗୁରୁତର ଭାବେ ଆହତ ହୋଇଥିଲେ । ଏଥିସହ ଦିଲୀପଙ୍କ ଜଣେ ସାଙ୍ଗ ବିପିନ ମୁଦୁଲି ମଧ୍ୟ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଧା ମୋହନ ବିଶ୍ୱାଳ ଓରଫ ମୁନ୍ନା ଫେରାର ଥିଲା ।
ଅସ୍ତରଙ୍ଗ ପୁଲିସ୍ ମୁନ୍ନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍ ତାକୁ ଗିରଫ କରିଥିଲା । ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍ ତାକୁ ନିମାପଡ଼ା ଥାନାକୁ ଆଣିଥିଲା । ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁଣ୍ଡାତା’ ସହିତ ସେଲ୍ଫି ଉଠାଇଥିଲେ । ଆଉ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଆଇଆଇସି ଚର୍ଚ୍ଚାକୁ ଆସିଥିଲେ ।