ଅଭିଯୁକ୍ତ ଗାଡି ଚାଳକ ଦୋଷୀ ସାବ୍ୟସ୍ତ , ୫ ଶହ ଟଙ୍କା ଜରିମାନା ଧାର୍ଯ୍ୟ କଲେ ମାଜିଷ୍ଟ୍ରେଟ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଗୁରୁବାର ଏକ ମକଦ୍ଦମା ର ଚୂଡାନ୍ତ ଶୁଣାଣି କରିଛନ୍ତି। ମାମଲା ନଂ. ଜି. ଆର – ୧୮୦/୨୦୧୪ ର ଚୂଡାନ୍ତ ଶୁଣାଣି କରି ସମସ୍ତ ୫ ସାକ୍ଷ୍ୟ ଙ୍କ ବୟାନ ଆଧାରରେ ସମସ୍ତ ତଥ୍ୟ ପ୍ରମାଣ କୁ ଭିତ୍ତିକରି ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମର ଗାଡି ଚାଳକ ବୁଲୁ ସେଠୀ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଙ୍କୁ ୫ ଶହ ଟଙ୍କା ଜରିମାନା , ଜରିମାନା ଅନାଦୟେ ୭ ଦିନ କାରାଦଣ୍ଡ ପାଇଁ ମାଜିଷ୍ଟ୍ରେଟ ରାୟ ପ୍ରଦାନ କରିଥିଲେ। ରାୟ ଶୁଣାଣି ସମୟରେ ଅଭିଯୁକ୍ତ ଜଣକ କୋର୍ଟ ରେ ଉପସ୍ଥିତ ଥିଲେ।ପରେ କୋର୍ଟ ଙ୍କ ଆଦେଶ ବଳରେ ଅଭିଯୁକ୍ତ ୫ ଶହ ଟଙ୍କା ଜରିମାନା ଦାଖଲ କରିବା ପରେ ଛାଡ଼ ପାଇଥିଲେ। ଗତ ୨୦୧୪ ଜୁନ ୨୦ ତାରିଖ ସକାଳ ପ୍ରାୟ ୮ ଟା ରେ ଅଭିଯୁକ୍ତ ବୁଲୁ ଟ୍ରାକ୍ଟର ନଂ. ଓ ଆର ୦୭ ଜେଡ୍ – ୩୪୮୬ ନେଇ ଯାଉଥିବା ବେଳେ ବି. ନୂଆପଡ଼ା ଗ୍ରାମ ରାସ୍ତା କଡର ଏକ ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେବାରୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା। ଏନେଇ ତତ୍କାଳୀନ ନୂଆପଡ଼ା ବିଦ୍ୟୁତ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ଇଂ. ରାଜେଶ କୁମାର ପାଲ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୭୪/୧୪ ଦଫା – ୨୭୯ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ଟ୍ରାକ୍ଟର ଚାଳକ ବୁଲୁ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ପୋଲିସ ଅଧିକାରୀ ତଥା କେ. ନୂଆଗାଁ ଥାନା ନୂଆପଡ଼ା ପୋଲିସ ଫାଣ୍ଡି ର ତତ୍କାଳୀନ ଏ ଏସ ଆଇ କୃଷ୍ଣଚନ୍ଦ୍ର ଗୌଡ ଘଟଣାର ତଦନ୍ତ କରି କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ପ୍ରଦାନ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ନକୁଳ ପ୍ରଧାନ ଏବଂ କ୍ୟାଡ଼ର ଏପିପି ବିପ୍ଳବ କୁମାର ମୁଦୁଲି ମାମଲା ପରିଚାଳନା କରୁଥିଲେ।