ଅଭିଯୁକ୍ତ ସ୍ୱାମୀଙ୍କୁ ବର୍ଷେ ଜେଲ ଦଣ୍ଡାଦେଣ ସହ ୧ ହଜାର ଟଙ୍କା ଜରିମାନା
ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା ଘଟଣାର ରାୟ ପ୍ରକାଶିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଅଞ୍ଚଳର ଜୈନିକା ବିବାହିତା ମହିଳାଙ୍କୁ ନିର୍ଯ୍ୟାତନା ଦେବା ଘଟଣାର ରାୟ ଶନିବାର ପ୍ରକାଶ ପାଇଛି । ଅଭିଯୁକ୍ତ ସ୍ୱାମୀ ନିରାକାର ପାଣିଗ୍ରାହୀଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ହିଞ୍ଜିଳିକାଟୁ ଆସିଷ୍ଟାଣ୍ଟ ସେକସନ ସବଜଜ୍ ଅବକାଶ ଚୌଧୁରୀ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତିରକ୍ତ ୧ମାସ ଜେଲଦଣ୍ଡ ପାଇଁ ରାୟ ପ୍ରକାଶ ପାଇଛି । ପ୍ରକାଶ ଯେ, ବେଲଗାଁ ଥାନା ଅଞ୍ଚଳର ନିରାକାର ପାଣିଗ୍ରାହୀ ବିବାହ ପରଠାରୁ ପ୍ରତ୍ୟହ ସ୍ତ୍ରୀ ପ୍ରଭାସିନି ପାଣିଗ୍ରାହୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ମାର୍ଚ୍ଚ ୮ ତାରିଖରେ ନିରାକାର, ସ୍ତ୍ରୀ ପ୍ରଭାସିନିଙ୍କୁ ନିସ୍ତୁକ ମାଡ ମାରିବା ସହ ହତ୍ୟା ଉଦ୍ୟମ କରିବା ଏବଂ ତାଙ୍କରି ସମସ୍ତ ଲୁଗାକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଘଟଣା ନେଇ ମହିଳା ଜଣଙ୍କ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ବେଲଗାଁ ଥାନାରେ କେସ ନଂ- ୯/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ସ୍ୱାମୀ ନିରାକାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସବଜଜ୍ ଅବକାଶ ଚୌଧୁରୀ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦ୍ୱିତୀକୃଷ୍ଣ ସାବତ ମାମଲା ପରିଚାଳନା କରିଥିଲେ ।